ଶୁନ୍ୟ ସ୍ବରୂପ ମା’ଲଛମା, ବିଗ୍ରହରେ ମହାଲକ୍ଷ୍ମୀ : ଏକ ବିହଙ୍ଗାବଲୋକନ 

ଧର୍ମର ପରିଷର ବ୍ୟାପକ ତେବେ ସାଧାରଣତଃ ସତ୍ କର୍ମ, ସତ୍ୟ ବଚନ, ସେବା, ନିରହଂକାର, ଉଦାରତା ଆଦି ମହତ ମାନବୀୟ ଗୁଣ ଗୁଡିକୁ ଆମେ ଧର୍ମ ବୋଲି ବିବେଚନା କରିପାରିବା । ଏହି ପରିପ୍ରେକ୍ଷୀରେ ଧର୍ମର ଶକ୍ତି ଯେଉଁଠି ଥାଏ ମହାଲକ୍ଷ୍ମୀ ସେଇଠି ଥାଆନ୍ତି ବୋଲି ବିଶ୍ବାସ ରହିଛି । ପୂରାତନ କାଳରୁ ବର୍ତ୍ତମାନ ପର୍ଯ୍ୟନ୍ତ ମଣିଷର ଜୀବନ ଧାରଣର ସମସ୍ତ ଆବଶ୍ୟକତା ଲକ୍ଷ୍ମୀଙ୍କର ଦ୍ବାରା ପୁରଣ ହୋଇ ଆସୁଛି । ସନାତନ ଧର୍ମ ଧାରାରେ ଦେବୀ ଐଶ୍ଚର୍ଯ୍ୟ, ସୌଭାଗ୍ୟ, ବିଭବ, ପ୍ରତିଷ୍ଠା, କ୍ଷମତା, ମର୍ଯ୍ୟଦା ଆଦିର ପ୍ରତିକ ଭାବେ ପରିଚିତ । ଭାରତୀୟ ଶାସ୍ତ୍ର ଆଧାରରେ ଲକ୍ଷ୍ମୀଙ୍କର ଅନେକ ସ୍ବରୂପ ରହିଛି । ମହାଲକ୍ଷ୍ମୀ, ଗଜଲକ୍ଷ୍ମୀ, ସୌଭାଗ୍ୟ ଲକ୍ଷ୍ମୀ, ରାଜଲକ୍ଷ୍ମୀ, ସ୍ବର୍ଗଲକ୍ଷ୍ମୀ, ଧନଲକ୍ଷ୍ମୀ ଆଦି ଭାବରେ ସେ ପରିଚିତ ।

ପୂର୍ବରୁ ଦେବୀ ଲକ୍ଷ୍ମୀ ଶୁନ୍ୟ ସ୍ବରୂପ ଥିଲେ । ପରେ ଦେବୀଙ୍କର ପ୍ରତିମା ପୂଜା, ଯାଗଯଜ୍ଞ ଆଦିର ପ୍ରବର୍ତ୍ତନ କରାଯାଇଛି । ଯେତେବେଳେ ଲକ୍ଷ୍ମୀ ଶୂନ୍ୟ ସ୍ବରୂପା ସେତେବେଳେ ସେ ମା’ଲଛମା/ ମାଁ ଲଛମାଁ । ଦ୍ବାପର ଯୁଗରେ ଗୋପରେ ଜନ୍ମ ହେବା ପୂର୍ବରୁ ଯେପରି ଭଗବାନ ଶ୍ରୀକୃଷ୍ଣ ଥିଲେ, ସେହିପରି ଲକ୍ଷ୍ମୀଙ୍କ ସ୍ବରୂପ ପୂର୍ବରୁ ମଧ୍ୟ ଏହି ଦେବୀ ସଚରାଚର ଜଗତରେ ବ୍ୟାପ୍ତ ହୋଇ ଭୂଦେବୀ, ସୌଭାଗ୍ୟର ଦେବୀ ଆଦି ବିବିଧ ନାମରେ ବିଶ୍ବ ବ୍ରହ୍ମାଣ୍ଡର ପାଳନ ପୋଷଣ କରୁଥିଲେ । ପୃଥିବୀର ଉର୍ବରତା ସହ ଶସ୍ୟ ସଂଭାର ଉତ୍ପାଦନ କ୍ଷମତାର ସେ ଅଧିଷ୍ଠାତ୍ରୀ ଅଟନ୍ତି । ବେଦ ପୂର୍ବରୁ ଦେବୀ ମାଁଲଛମାଁ ଥିଲେ ଓ ପରବର୍ତ୍ତୀ ସମୟରେ ସାତ୍ବତ ଧର୍ମଧାରିଙ୍କ ଇଷ୍ଟଦେବୀ ରୂପେ ଶୁନ୍ୟ ରୂପରେ ଉପାସିତା ହୋଇ ଆସିଲେ । ଏହି ଧର୍ମ ଧାରାରେ ଏକ ମାତ୍ର ପରଂବ୍ରହ୍ମ ହେଉଛନ୍ତି ଶ୍ରୀକୃଷ୍ଣ । ଆଜି ସାତ୍ବତ ଧର୍ମଧାରା ଲୁପ୍ତ କହିଲେ ଅତ୍ୟୁକ୍ତି ହେବନାହିଁ । ତେବେ ଯାଦବ ସଂସ୍କୃତି ପରଂପରାରେ ଏହି ବିଶାଳ ଧର୍ମଧାରାର କ୍ଷୁଦ୍ର ଶ୍ରୋତ ଦେଖିବାକୁ ମିଳେ । ପୂର୍ବେ ଶ୍ରୀକୃଷ୍ଣଙ୍କର ମଧ୍ୟ ମୂର୍ତ୍ତି ପୂଜା ହେଉନଥିଲା । ଆଜି ମଧ୍ୟ ମଗଧା ଯାଦବ ମାନଙ୍କ ପିତୃ ଉପାସନା ସ୍ଥଳୀ (ପିଦର୍)ରେ ଇଷ୍ଟ ଦେବତା ଭାବେ କୃଷ୍ଣ, ବଳରାମ ଓ ମାଁଲଛମାଁଙ୍କର ଶୁନ୍ୟ ସ୍ବରୂପକୁ ଉପାସନା କରାଯାଏ କିନ୍ତୁ ମୂର୍ତ୍ତି ପୂଜା ହୋଇନଥାଏ । ପାରଂପାରିକ ବିଧାନ ଅନୁସାରେ ଏହି ଦେବା ଦେବୀଙ୍କୁ ସୁମରଣା କରାଯାଏ ଓ ଶୂନ୍ୟ ରୂପକୁ ଧ୍ୟାନ କରାଯାଇ ଉପାସନା କରାଯାଏ । ଏହି ଧାରାର ପ୍ରତ୍ୟେକଟି ସ୍ଥରରେ ଶସ୍ୟ/ଅନ୍ନର ଆବଶ୍ୟକତା ପଡିଥାଏ । ଅନ୍ନ ହିଁ ବ୍ରହ୍ମ ଓ ଏହାର ଅଧିରାକିଣୀ ହେଉଛନ୍ତି ଦେବୀ ଲକ୍ଷ୍ମୀ । ଗୋମୟ , ଗୋମୂତ୍ର ଲକ୍ଷ୍ମୀଙ୍କର ନିବାସ ଭାବେ ବିବେଚନା କରାଯାଏ ଓ ଶସ୍ୟକୁ ହିଁ ଲକ୍ଷ୍ମୀଙ୍କର ସ୍ବରୂପ ଭାବେ ବିବେଚନା କରାଯାଏ । ତେଣୁ ଦେବାଦେବୀ ଆସ୍ଥାନକୁ ଗୋମୟ ଦ୍ବାରା ଲିପା ଯାଇଥାଏ । କେଉଁ ଏକ ସ୍ମରଣାତିତ କାଳରୁ କୃଷି କ୍ଷେତ୍ରରେ ପ୍ରଥମ ଉତ୍ପାଦିତ ଶସ୍ୟକୁ ଇଷ୍ଟ ଦେବାଦେବୀଙ୍କ ପାଖରେ ପ୍ରଥମେ ଅର୍ପଣ କରି ଏହାକୁ ପ୍ରସାଦ ଜ୍ଞାନରେ ଭକ୍ଷଣ କରାଯିବାର ପରଂପରା ଆଜି ମଧ୍ୟ ଅନୁଶୃତ ହୋଇ ଆସୁଛି ଓ ଏହା ମହା ପାର୍ବଣର ରୂପ ନେଇଛି ।

ଋଗ୍ ବେଦରେ ମାଁଲଛମାଁ (ଲକ୍ଷ୍ମୀ) ଭାଗ୍ୟଦେବୀ ଭାବରେ ପରିଚିତ । ଶ୍ରୀସୂକ୍ତରେ ଏହାର ବହୁଳ ବର୍ଣ୍ଣନା ରହିଛି । ପ୍ରାଚୀନ କାଳରୁ ଉପାସିତା ହୋଇ ଆସୁଥିବା ଭୂଦେବୀ ମଧ୍ୟ ଲକ୍ଷ୍ମୀଙ୍କର ଏକ ସ୍ବରୂପ ବୋଲି ବିଶ୍ବାସ କରାଯାଏ । ସେଥିରୁ ସ୍ପଷ୍ଟ ହୁଏ ଯେ ଜୀବନ ଧାରଣ ପାଇଁ ପ୍ରତ୍ୟେକ ଜୀବର ଯାହାସବୁ ଆବଶ୍ୟକ ହୁଏ ସବୁର ଅଧିକାରିଣୀ ଦେବୀ ହେଉଛନ୍ତି ଲକ୍ଷ୍ମୀ । ମାଁଲଛମାଁ – ମହାଲକ୍ଷ୍ମୀ – ଲକ୍ଷ୍ମୀ ଏକ ଓ ଅଭିନ୍ନ ।

ବ୍ରହ୍ମ ବୈବର୍ତ୍ତ ପୁରାଣ ଅନୁସାରେ ଏକଦା ଏକ ଦିବ୍ୟ ସାୟଂ କାଳରେ ଗୋଲକର ଦିବ୍ୟରମଣ ବାସନା ପୋଷଣ କରି ପରମପୁରୁଷ ଶ୍ରୀକୃଷ୍ଣ ନିଜ ଅଙ୍ଗକୁ ଦୁଇଭାଗ କରି ବାମ ଅଙ୍ଗରୁ ଗୋଲକ ବାସିନୀ ଶ୍ରୀରାଧାଙ୍କୁ ସୃଷ୍ଟିକଲେ ଏହାପରେ-

“ଶ୍ରୀକୃଷ୍ଣଙ୍କ ଲୋମ ମୁଳୁଁ ସମସ୍ତ ଗୋପାଳ

ଜନମି ଗୋଳକ ପୂର୍ଣ୍ଣ କଲେ ତତକାଳ ।

ସେ ଅନ୍ତରେ ରାଧାଙ୍କର ବାମ ପାରୁଶରୁ

ଜନମ ହୋଇଲେ ମହାଲକ୍ଷ୍ମୀ ଚାରୁଭୁରୁ ।

ବୈକୁଣ୍ଠ ଭୂବନେ ନାରାୟଣଙ୍କର

ପ୍ରିୟପତ୍ନୀ ହୋଇ ରହିଲେସେ ରାମାବର ।

ତାହାଙ୍କ ଅଂଶରେ ରାଜଲକ୍ଷ୍ମୀ ଜାତ ହୋଇ

ରାଜ ଭବନରେ ବାସ କଲେ ତହୁଁ ଯାଇ ।

ପୁଣି ଆଉ ଏକ ଅଂଶେ ମର୍ତ୍ତ୍ୟ ଲକ୍ଷ୍ମୀ ଜାତ

ହେଲେ ସେ ଗୃହୀଙ୍କ ଗୃହେ ସଦା ଉପସ୍ଥିତ ।

ସେହିଟି ଅତ୍ୟନ୍ତ ଶସ୍ୟ ରକ୍ଷଣ କାରିଣୀ

ଗୃହ ଦେବତା ବୋଲନ୍ତି ତାଙ୍କୁ ସର୍ବପ୍ରାଣୀ ।” (ବ୍ରହ୍ମ ବୈବର୍ତ୍ତ ପୁରାଣ)

ପରିଶେଷରେ ଏତିକି କୁହାଯାଇ ପାରିବ ଯେ ମହାଲକ୍ଷ୍ମୀଙ୍କ ବିବିଧ ଐଶ୍ଚର୍ଯ୍ୟ ଆଦୌ କାଳ୍ପନିକ ନୂହଁ ବରଂ ବାସ୍ତବ ଓ ପ୍ରମାଣ ସିଦ୍ଧ । ସେହିପରି ‘ମାଁ ଲଛମାଁ’ ହିଁ ‘ମହାଲକ୍ଷ୍ମୀ’ ଓ ‘ଲକ୍ଷ୍ମୀ’ ହିଁ ‘ମାଁ ଲଛମାଁ’ । ଯେଉଁଠି କୃଷ୍ଣ ଉଭୟ ତତ୍ବ ଓ ପରମର ସ୍ବରୂପ – ପରମ ପୁରୁଷ ।

ସୁନୀଲ କୁମାର ଧଙ୍ଗଡାମାଝୀ 

ସଂପାଦକ, ଓଡ଼ିଆ ବାର୍ତ୍ତା

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.