୧୯୨୪ ମସିହାରେ ଅଖିଳ ଭାରତବର୍ଷୀୟ ଯାଦବ ମହାସଭା ସ୍ଥାପିତ ହୋଇ ପ୍ରତ୍ୟକ ରାଜ୍ୟରେ ତା’ର ପ୍ରାଦେଶିକ ମହାସଭା ମାଧ୍ଯମରେ କାର୍ଯ୍ୟକ୍ରମମାନ ଜାରି ରଖିଛି। ସେହି କ୍ରମରେ ଓଡ଼ିଶାରେ ‘ଉତ୍କଳ ଯାଦବ ମହାସଭା’ ରାଜ୍ୟର ଯାଦବ ମାନଙ୍କ ସାମାଜିକ ଓ ଆର୍ଥିକ ବିକାଶ ପାଇଁ କାର୍ଯ୍ୟ କରୁଛି। ଉତ୍କଳ ଯାଦବ ମହାସଭା ଅଧିନରେ ପ୍ରତ୍ୟକ ଜିଲ୍ଲାରେ ‘ଜିଲ୍ଲା ଯାଦବ ମହାସଭା’ ଓ ଶାଖା ଭାବରେ ‘ଯୁବ ଯାଦବ ମହାସଭା’ ଏବଂ ‘ମହିଳା ମହାସଭା’ ରହିଛି। ସେହିପରି ଜିଲ୍ଲା ଯାଦବ ମହାସଭା ଅଧିନରେ ବ୍ଲକ ଯାଦବ ସମିତି ଓ ବ୍ଲକ ଯାଦବ ସମିତି ଅଧିନରେ ଆଞ୍ଚଳିକ ଯାଦବ ସମିତି ରହିଛି। ଆଞ୍ଚଳିକ ଯାଦବ ସମିତି ଅଧିନରେ ଗ୍ରାମ୍ୟ ଯାଦବ କମିଟି ରହିଛି। ବର୍ତ୍ତମାନ ଆଶିର୍ବାଦ ବେହେରା ଉତ୍କଳ ଯାଦବ ମହାସଭାର ସଭାପତି ଭାବେ କାର୍ଯ୍ୟରତ। ତେବେ ଅଖିଳ ଭାରତବର୍ଷୀୟ ଯାଦବ ମହାସଭା ସ୍ଥାପିତ ହେବା ପୂର୍ବରୁ ଓଡ଼ିଶାରେ ୧୯୧୪ ମସିହାରେ ‘ଉତ୍କଳ ଗୋପ ବୈଶ୍ୟ ମହାସଭା’ ଓ ୧୯୧୯ ମସିହାରେ ‘ଯଦୁବଂଶୀ କ୍ଷତ୍ରିୟ ସମାଜ’ ଗଠିତ ହୋଇଥିଲା। ‘ଉତ୍କଳ ଗୋପ ବୈଶ୍ୟ ମହାସଭା’ ଗୋପପୁରିଆ ଯାଦବ ମାନଙ୍କ ପ୍ରତିନିଧିତ୍ୱ କରୁଥିବାବେଳେ ‘ଯଦୁବଂଶୀ କ୍ଷତ୍ରିୟ ସମାଜ’ ମଥୁରାପୁରିଆ ଯାଦବ ମାନଙ୍କ ସଂଗଠନ ଥିଲା। ଗୋପପୁରିଆମାନେ ନିଜକୁ ବୈଶ୍ୟ ବୋଲି ଭାବୁଥିବା ବେଳେ ମଥୁରାପୁରିଆ ଓ ମଗଧାମାନେ ନିଜକୁ କ୍ଷତ୍ରିୟର ପରିଚୟ ଦେଉଥିଲେ। ଆଇନ ବ୍ୟବସାୟ କରୁଥିବା ଗଣେଶ୍ୱର ଦାସ (ମଧୁ ବାରିଷ୍ଟରଙ୍କ ବନ୍ଧୁ) ଉତ୍କଳ ଗୋପ ବୈଶ୍ୟ ମହାସଭା ଗଠନ କରିଥିବା ବେଳେ ମଥୁରାପୁରିଆ ଶାଖାର ଜଣେ ସମ୍ରାନ୍ତ ଶ୍ରେଣୀୟ ବ୍ୟକ୍ତି ଶିବ ଶେଖର ମହାପାତ୍ର ଯଦୁବଂଶୀ କ୍ଷତ୍ରିୟ ସମାଜ ଗଠନ କରିଥିଲେ। ଦୁଇ ଜଣ ଯାକ ନିଜ ନିଜ ସଂଗଠନର ସଭାପତି ଥିଲେ। ଉଭୟେ କଟକର ବାସିନ୍ଦା ଥିଲେ। ଗଣେଶ୍ବର ଦାସ ମୁକ୍ତିଆର ଥାଇ ଆଇନ ବ୍ୟବସାୟ କରୁଥିବାରୁ ତାଙ୍କ ପାଖକୁ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଯାଦବମାନେ ଆସୁଥିଲେ। ଏହାସହ ତାଙ୍କର ସାଙ୍ଗଠନିକ ଦକ୍ଷତା ଅତୁଳନୀୟ ଥିଲା। ତେଣୁ ଅଳ୍ପ ଦିନ ମଧ୍ୟରେ ଉତ୍କଳ ଗୋପ ବୈଶ୍ୟ ମହାସଭା ସୁଦୃଢ ହୋଇ ପାରିଥିଲା। ଅନ୍ୟପକ୍ଷରେ ସାମ୍ରାନ୍ତବାଦୀ ଚିନ୍ତାଧାରାର ଶିବ ଶେଖର ମହାପାତ୍ର ନିଜ ସଂଗଠନକୁ ସୁଦୃଢ କରିବାକୁ ଓଡ଼ିଶାର ଯଦୁବଂଶୀ କ୍ଷତ୍ରିୟ ରାଜା ମାନଙ୍କ ସହ ଯୋଗାଯୋଗ କରିଥିଲେ। ଶିବ ଶେଖରଙ୍କ ପ୍ରୟାସ ଯୋଗୁଁ ପୁରୀ ଗଜପତି, ପାରଳା ଗଜପତି, କଳାହାଣ୍ଡି ରାଜା, ଦେବଗଡ଼ ରାଜା, ଆଳି ଓ ପଟିଆ ରାଜା ଯଦୁବଂଶୀ କ୍ଷତ୍ରିୟ ସମାଜ ପ୍ରତି ଆସ୍ଥା ଭାଜନ କରି ସମ୍ମତି ସୂଚକ ପତ୍ର ପ୍ରଦାନ କରିଥିଲେ। ଏହି ରାଜାମାନେ ନିଜକୁ ଯଦୁବଂଶୀ କ୍ଷତ୍ରୀୟ ବୋଲି ଖୋଲାଖୋଲି ସ୍ବିକାର କରୁଥିଲେ। ଏଥିରେ ଉତ୍ସାହିତ ହୋଇ ଶିବ ଶେଖର ନିଜ ସଂଗଠନକୁ ରାଜ୍ୟସାରା ବ୍ୟାପ୍ତ କରିବାର ପ୍ରୟାସ କଲେ। ସେହି ସମୟରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ତାଙ୍କୁ ସମର୍ଥନ ମିଳିଥିଲା। କଳାହାଣ୍ଡି ରାଜ୍ୟର ସମ୍ରାନ୍ତ ଯଦୁବଂଶୀ ବାସୁଦେବ ଧଙ୍ଗଡାମାଝୀଙ୍କ ନେତୃତ୍ୱରେ କଳାହାଣ୍ଡିରେ ମଧ୍ୟ ଏହି ସଂଗଠନ ଚାଲିଥିଲା। ଦେଣ୍ଡୋଗୁଡା ଗୈାନ୍ତିଆ, ଭାନପୁର ଜମିଦାରଙ୍କ ବଂଶଜ ତଥା ରେଖପୁର ଗୈାନ୍ତିଆ ଯୋଗୀ ଭୋଇ, କାର୍ନିଖୁଣ୍ଟି ଗୈାନ୍ତିଆ, ଜୁର୍କାଭାଡି ଗୈାନ୍ତିଆ, ଗିଗିନା ଗୈାନ୍ତିଆ ଆଦି ଅନେକ ସମ୍ରାନ୍ତ ଯାଦବମାନଙ୍କ ପ୍ରଚେଷ୍ଟାରେ ଯଦୁବଂଶୀ କ୍ଷେତ୍ରୀୟ ସମାଜ ଆଗକୁ ବଢିଥିଲା। ଏହି ଯାଦବମାନେ ମିଳିତ ଭାବରେ ଯଦୁବଂଶୀ କ୍ଷତ୍ରିୟ ସମାଜକୁ ତୃଣମୂଳ ସ୍ତରରୁ ସୁଦୃଢ କରିପାରିଥିଲେ।
୧୯୨୦ ମସିହା ଡିସେମ୍ବର ମାସର ଏକ ଶୀତୁଆ ସଂଜରେ ଶିବ ଶେଖର ଖବର ପାଇଲେ ପୁରୀ ଗଜପତି ଓ ପାରଳା ଗଜପତି ମଧୁ ବାରିଷ୍ଟରଙ୍କ ଚଣ୍ଡି ଛକସ୍ଥିତ ବାସଭବନରେ ଉପସ୍ଥିତ ହେଲେ ବୋଲି। ତେଣୁ ସେ ମଧୁବାବୁଙ୍କ ବାସଭବନରେ ପହଞ୍ଚି ଦୁଇ ଗଜପତିଙ୍କୁ ନିଜ ଆଗମନର ଅଭିପ୍ରାୟ ଜଣାଇଲେ। ସଙ୍ଗେ ସଙ୍ଗେ ମଧୁବାବୁ କହିଲେ – ‘ଶିବ ଭାଇ, ଗଣେଷ ତ କି ଏକଟା ମହାସଭା ଗଠନ କରେଛେ। ଓନା କେ ଏସବୁ କରତେ ଦିନ ନା। ଆପନି କେନ ଏବର କାଜେ ମନୋନିବେଶ କରବେନ। ଆପନି ଓଡିଆ ଜାତିର କାଯେ, ଉତ୍କଳ ସମ୍ମିଳନୀ ତେ ସମୟ ଦିନ।’ ଦୁଇ ଗଜପତି ମଧ୍ୟ ମଧୁବାବୁଙ୍କ କଥାକୁ ସମର୍ଥନ କଲେ। ମଧୁ ବାରିଷ୍ଟରଙ୍କ କଥାରେ ଶିବ ଶେଖର ଖୁବ୍ ମର୍ମାହତ ହେଲେ ମଧ୍ୟ ହଠାତ୍ କିଛି ନକହି ସେଠାରେ ଚାଲିଆସିଲେ। କିନ୍ତୁ ସେ ପଛକୁ ହଟିବାର ବ୍ୟକ୍ତି ନଥିଲେ ତେଣୁ ୧୯୨୧ ମସିହା ଡିସେମ୍ବର ୨୭ ତାରିଖରେ ଯଦୁବଂଶୀ କ୍ଷତ୍ରିୟ ସମାଜର ଏକ ବଡ ସମ୍ମୀଳନୀ କଟକରେ କରିବାର ନିଷ୍ପତି ନେଲେ। ଦେବଗଡ଼, ଆଳି ଓ ପଟିଆ ରାଜା ଏ ସମ୍ମିଳନୀରେ ଯୋଗ ଦେବାକୁ ସମ୍ମତ ଦେଇଥିଲେ ମଧ୍ୟ ଅସୁସ୍ଥତାର ଆଳ ଦେଖାଇ ଶେଷରେ ସମ୍ମିଳନୀରେ ଯୋଗ ଦେଲେ ନାହିଁ। ବୋଧହୁଏ ମଧୁବାବୁଙ୍କ ପ୍ରରୋଚନାରେ। ଯଦିଓ ବରୋଦାର ରାଜା ଗାୟକଓ୍ବାଡ ଏ ସମ୍ମିଳନୀର ସଫଳତା କାମନା କରି ଶିବ ଶେଖରଙ୍କ ନିକଟକୁ ବାର୍ତ୍ତା ପଠାଇଥିଲେ। ଏହି ଘଟଣା ପରେ ବାରିଷ୍ଟର ମଧୁସୂଦନ ଦାସଙ୍କ ସହ ଶିବ ଶେଖରଙ୍କ ସମ୍ପର୍କ ଶେଷ ପର୍ଯ୍ୟନ୍ତ ସ୍ବଭାବିକ ହେଲାନାହିଁ। ଶେଷରେ ଆଗପଛ ହୋଇ ମଧୁବାବୁ ଓ ଶିବ ଶେଖର ଆରପାରିକୁ ଚାଲିଗଲେ। ଏମାନଙ୍କୁ ପୂର୍ବରୁ ଗଣେଶ୍ବରଙ୍କ ମୃତ୍ୟୁ ହୋଇ ସାରିଥିଲା। ଯଦିଓ ଉତ୍କଳ ସମ୍ମିଳନୀ କାର୍ଯ୍ୟ ମନ୍ଥର ହୋଇଯାଇଥିଲା କିନ୍ତୁ ୧୯୩୬ ଅପ୍ରେଲ ପହିଲାରେ ଓଡିଶା ସ୍ବତନ୍ତ୍ର ପ୍ରଦେଶର ମାନ୍ୟତା ପାଇଲା। ଶିବ ଶେଖରଙ୍କ ମୃତ୍ୟୁ ପରେ ଅଳ୍ପ ସମୟ ପାଇଁ ଚକ୍ରଧର ମହାପାତ୍ର ଓ ତାଙ୍କ ପରେ ରାୟବାହାଦୁର ଉମାଚରଣ ମହାପାତ୍ର ଯଦୁବଂଶୀ କ୍ଷତ୍ରିୟ ସମାଜର ସଭାପତି ହୋଇଥିଲେ। କିନ୍ତୁ ଏହି ସମୟରେ ଯାଦବମାନଙ୍କ ସାମାଜିକ ଆନ୍ଦୋଳନ ଅନେକଟା ଧିମେଇ ଯାଇଥିଲା। ଇତି ମଧ୍ୟରେ ୧୯୨୪ ମସିହାରେ ଅଖିଳ ଭାରତବର୍ଷୀୟ ଯାଦବ ମହାସଭା ଗଠିତ ହୋଇ ସାରା ଦେଶରେ ଯାଦବ ଆନ୍ଦୋଳନ ଚଳ ଚଞ୍ଚଳ ହୋଇ ଉଠିଲା। ୧୯୪୨ ମସିହାରେ ଅଖିଳ ଭାରତବର୍ଷୀୟ ଯାଦବ ମହାସଭା ଆନୁକୂଲ୍ୟରେ ଉତ୍କଳ ଯାଦବ ମହାସଭା ଗଠନ କରାଗଲା କଳାହାଣ୍ଡିର ବରପୁତ୍ର ମହେଶ୍ବର ନାୟକ (ପରେ ବିଧାୟକ ହୋଇଥିଲେ) ଓ ଅନ୍ୟ ତୁଙ୍ଗ ଯାଦବନେତା ମାନଙ୍କ ପ୍ରୟାସରେ। ଉତ୍କଳ ଯାଦବ ମହାସଭାର ପ୍ରଥମ ସଭାପତି ହେବାର ସୌଭାଗ୍ୟ ଲାଭ କଲେ ରାୟବାହାଦୁର ଉମାଚରଣ ମହାପାତ୍ର। ୧୯୪୬ ମସିହାରେ କଟକଠାରେ ଅଖିଳ ଭାରତବର୍ଷୀୟ ଯାଦବ ମହାସଭାର ରାଷ୍ଟ୍ରୀୟ ସମ୍ମିଳନୀ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା।
ସୁନୀଲ କୁମାର ଧଙ୍ଗଡାମାଝୀ ସଂପାଦକ, ଓଡ଼ିଆ ବାର୍ତ୍ତା





