ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ରବିନ୍ଦ୍ର ମିଶ୍ର): ଶନିବାର ମଧ୍ୟାହ୍ନରେ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅନ୍ତର୍ଗତ ଥୁଆମୂଳ ରାମପୁର-ଭବାନୀପାଟଣା ମୁଖ୍ୟ ରାସ୍ତାର ଶିରିମସ୍କା ଛକ ନିକଟରେ ଘଟିଛି ଏକ ଦୁର୍ଘଟଣା। ଶିରିମସ୍କା ପଟରୁ ଥୁଆମୂଳ ରାମପୁରକୁ ଆସୁଥିବା ଏକ ବାଇକ୍ କୁ ହାଇଓ୍ବା ଧକ୍କା ଦେବା ଫଳରେ ବାଇକ୍ ଚାଳକ କେଦାରନାଥ ମାଝୀଙ୍କ ସମେତ ଶୁଭଶ୍ରୀ ମାଝୀ, ସୌରଭୀ ମାଝୀ ନାମକ ଦୁଇ ଯୁବତୀଙ୍କ ଅବସ୍ଥା ଗୁରୁତର ହୋଇଛି। ସମସ୍ତେ ଶିରିମସ୍କା ଗ୍ରାମର ବୋଲି ଜଣାପଡିଛି। ଘଟଣା ସ୍ଥଳରେ ସ୍ଥିତି ଉତ୍ତେଜନା ପୁର୍ଣ୍ଣ ଥିବା ବେଳେ ସ୍ଥାନୀୟ ଲୋକେ ଦୁର୍ଘଟଣା ଘଟାଇଥିବା ହାଇଓ୍ବା ଓ ଡ୍ରାଇଭର୍କୁ ଅଟକାଇ ଛନ୍ତି। ଗୁରୁତର ମାନଙ୍କୁ ଉଦ୍ଧାର କରି ଦିନ ସାଢେ଼ ୧୨ଟା ବେଳେ ଚିକିତ୍ସା ପାଇଁ ଥୁଆମୁଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।






