କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ବରୀ : ଏକ ଅଧ୍ୟୟନ

ଆଦିବାସୀ କନ୍ଧଙ୍କ ସ୍ତମ୍ଭପୂଜା ଓ ସ୍ତମ୍ଭେଶ୍ୱରୀଙ୍କ ପରମ୍ପରାର ବିବର୍ତ୍ତନ ପ୍ରକ୍ରିୟାରେ ମଧ୍ୟ ଯୁଗରେ ତନ୍ତ୍ର ପ୍ରଧାନ ମାଣିକେଶ୍ବରୀ ଦେବୀଙ୍କ ରୂପ ରେ କଳ୍ପନା କରାଯାଉଥିବା ବିଶ୍ୱାସ କରାଯାଏ। ଏଥିରେ ଆଦିବାସୀ ପରମ୍ପରା ଓ ଶାକ୍ତତନ୍ତ୍ର ର ଅପୂର୍ବ ସମନ୍ବୟ ସୃଷ୍ଟି ହୋଇଛି। ଏକାଦଶ ରୁ ତ୍ରୟୋଦଶ ଶତାବ୍ଦୀ କାଳ ଥିଲା, କଳାହାଣ୍ଡି ଅଞ୍ଚଳ ପାଇଁ ଦୁର୍ବିସହ ସମୟ। କଳାହାଣ୍ଡି, କୋରାପୁଟ ଓ ବସ୍ତର ଅଞ୍ଚଳ ତଥା ନାଗାବଳୀ ନଦୀ ର ଉପନଦୀ ଝଞ୍ଜାବତୀ ଓ ବେଦବତୀ ଭାବେ ପରିଚିତ ଇନ୍ଦ୍ରାବତୀ ନଦୀ ର ମଧ୍ୟବର୍ତ୍ତୀ ଅଞ୍ଚଳ ତ୍ରିକଳୀଙ୍ଗ ଭାବେ ପରିଚିତ ଥିଲା। ଦକ୍ଷିଣ କୋଶଳ ସହିତ ଏହି ତ୍ରିକଳୀଙ୍ଗର ଅଧିପତି ହେବା ପାଇଁ ସୋମ, କାଳଚୁରି, ଚୋଳ, ଚିନ୍ଦକ ନାଗଙ୍କ ବନ୍ଧୁ ଶକ୍ତି ଗଙ୍ଗ ରାଜ ଶକ୍ତି ମଧ୍ୟରେ ପ୍ରତିଯୋଗିତା ଚାଲିଥିଲା। ଏହା ଫଳ ରେ ବହୁ ଶତାବ୍ଦୀ ବ୍ୟାପୀ ଏହି ଅଞ୍ଚଳ ରଣଭୂମି ରେ ପରିଣତ ହୋଇଥିଲା। ଏହାର ସୁଦୂର ପ୍ରସାର ପରିଣତି ସେ ସମୟ ର ରାଜନୀତି, ଅର୍ଥନୀତି, ଓ ସାମାଜିକ ବ୍ୟବସ୍ଥା ଉପରେ ପଡ଼ିଥିଲା।

 

ସୂକ୍ଷ୍ମ ଭାବ ରେ ଅନୁଧ୍ୟାନ କଲେ ଜଣାଯାଏ ଯେ, ଏହି ଦୁର୍ଦ୍ଦିନ ସମୟରେ ମାଆ ମାଣିକେଶ୍ବରୀ, ଲଙ୍କେଶ୍ୱରୀ, ରକ୍ତେଶ୍ଵରି ବା ରକ୍ତାମ୍ବରି, ଡୋକରି ଭଳି ଦେବୀଙ୍କ ଉପାସନା କ୍ଷେତ୍ରରେ ଆଦିବାସୀ ଓ ଅଣ ଆଦିବାସୀଙ୍କ ଅନନ୍ୟ ସମନ୍ବୟ ସୃଷ୍ଟି ହୋଇଥିଲା। ଚିନ୍ଦକ୍ ରାଜବଂଶର ଇଷ୍ଟଦେବୀ ମାଣିକେଶ୍ବରୀ ବା ‘ମାଣିକ୍ୟ ଦେବୀ’ ଥିବା ବିଭିନ୍ନ ସ୍ଥାନରୁ ପ୍ରାପ୍ତ ଶିଳାଲିପିରୁ ଜଣାଯାଏ। ବିଶେଷକରି ମାଣିକେଶ୍ବରୀଙ୍କ ବିଷୟରେ ବହୁଳ ତଥ୍ୟ ଚିନ୍ଦକ ନାଗ ରାଜା ସୋମେଶ୍ୱର ଦେବଙ୍କ ବସ୍ତରରୁ ପ୍ରାପ୍ତ ଶିଳା ଲିପିରୁ ମିଳିଛି। ସେଥିରେ ଚିନ୍ଦକ ନାଗ ବଂଶର ମହାନ୍ ପ୍ରତାପୀ ରାଜା ସୋମେଶ୍ୱର ଦେବ ମାଣିକ୍ୟ ଦେବୀଙ୍କ ପ୍ରଚଣ୍ଡ ସାଧକ ଥିଲେ ବୋଲି ବର୍ଣ୍ଣିତ ହୋଇଥିବାର ପ୍ରମାଣ ମିଳେ।

କାଳଚୁରୀ ରାଜାମାନଙ୍କ ଦ୍ୱାରା ଚିନ୍ଦକ ନାଗଙ୍କ ରାଜଧାନୀ ଚକ୍ରକୋଟ ଧ୍ୱଂସ ହେବା ପରେ ଏବଂ କାଲଚୁରି ଓ ସୋମବଂଶୀ ରାଜା ମାନଙ୍କ ପତନ ହେବା ପରେ ଏବଂ କାଳଚୁରୀ ଓ ସୋମବଂଶର ପତନ ପରେ ଛିନ୍ଦକନାଗ ବଂଶର ବନ୍ଧୁ ଶକ୍ତି ଗଙ୍ଗରାଜା ମାନେ ମାଣିକ୍ୟ ଦେବୀଙ୍କୁ ଆରାଧ୍ୟାା ଭାବରେ ଗ୍ରହଣ କରିଥିଲେ। ପରବର୍ତ୍ତୀ କାଳରେ ଗଙ୍ଗ ଶାସନର ଦୁର୍ବଳତାରୁ କାରୁଣ୍ଡ ଭାବେ ପରିଚିତ କଳାହାଣ୍ଡି ଅଞ୍ଚଳରେ ନାଗ ବଂଶର ଶାସନ ଆରମ୍ଭ ହୋଇଥିଲା। ନାଗବଂଶର ଅଧିଷ୍ଠାତ୍ରୀ ଭାବରେ ବର୍ତ୍ତମାନ ମାଣିକ୍ୟ ଦେବୀ ମାଣିକେଶ୍ଵରୀ ପୂଜା ପାଉଛନ୍ତି।
ଛିନ୍ଦକନାଗ, ଗଙ୍ଗ ଓ ନାଗରାଜା ମାନେ ଯୁଦ୍ଧ କାଳରେ ସମ୍ମୁଖ ରଣାଙ୍ଗନରେ ମାଣିକେଶ୍ଵରୀଙ୍କୁ ବିଜେ କରାଉଥିବାର ବିଭିନ୍ନ କିମ୍ବଦନ୍ତୀରୁ ଜଣାଯାଏ। କଳାହାଣ୍ଡିର କାରୁଣ୍ଡ ନାଗବଂଶର ଷଷ୍ଠ ରାଜା ହରିଶଚନ୍ଦ୍ର ଦେଓ ୧୧୭୩ ରୁ ୧୨୦୧ ଖ୍ରୀଷ୍ଟାବ୍ଦ ଯାଏ ପ୍ରାକ୍ତନ ଜେନାବଳୀପାଟଣା ବା ବର୍ତ୍ତମାନ ର ଜୁନାଗଡ ରୁ ଶାସନ କରିଥିଲେ। ଭୀଷଣ ଗଣ୍ଡଗୋଳ ଓ ଅଶାନ୍ତିକର ପରିସ୍ଥିତି ଦେଇ ତାଙ୍କର ଶାସନ କାଳ ଅତିବାହିତ ହୋଇଥିଲା ଏବଂ ଏହି ପରିସ୍ଥିତି ରେ ମାନସିକ ଯନ୍ତ୍ରଣା ମଧ୍ୟରେ ସେ ମୃତ୍ୟୁବରଣ କରିଥିଲେ। ତାଙ୍କ ମୃତ୍ୟୁ ପରେ ତାଙ୍କ ଗର୍ଭବତୀ ରାଣୀ ସୁରକ୍ଷା ଦୃଷ୍ଟି ରୁ ଗଙ୍ଗ ବଂଶଜ ପିତୃ ଘର ଯାହା ଫୁଲବାଣୀ ସ୍ଥିତ ଗଦାପୁର ରେ ଅବସ୍ଥିତ ସେଠାକୁ ସେ ପଳାୟନ କଲେ।

ହରିଶଚନ୍ଦ୍ର ଦେଓଙ୍କ ମୃତ୍ୟୁ ପରେ କାରୁଣ୍ଡ ରାଜ୍ୟ ଗୃହଯୁଦ୍ଧ ଓ ଅସ୍ଥିରତା ରେ କବଳିତ ହୋଇଥିଲା। ଏଣୁ କନ୍ଧ ସର୍ଦ୍ଦାର ଓ ନେତୃସ୍ଥାନୀୟ ବ୍ୟକ୍ତି ମାନେ ନିଜ ରାଜ୍ୟର ମହାରାଣୀଙ୍କ ସନ୍ଧାନ ନେଇ ତାଙ୍କ ନାବାଳକ ପୁତ୍ରକୁ ସେହି ଫୁଲବାଣୀ ସ୍ଥିତ ଗଦାପୁର ଠାରେ ଠାବ କଲେ। ସମ୍ପୂର୍ଣ ସୁରକ୍ଷା ପ୍ରଦାନର ପ୍ରତିଶୃତି ଦେଇ ରାଣୀ ଓ ତାଙ୍କ ନାବାଳକ ପୁତ୍ର ରାମଚନ୍ଦ୍ର ଦେଓଙ୍କୁ ରାଜ୍ୟକୁ ଫେରାଇ ଆଣିଲେ। ନାବାଳକ ନାତି ଓ ଅସହାୟ କନ୍ୟାଙ୍କ ସୁରକ୍ଷା ପାଇଁ ଗଦାପୁର ରାଜା ଚିନ୍ତା କରୁଥିବା ବେଳେ କନ୍ଧ ସର୍ଦ୍ଦାରମାନେ ନିଜ ରାଜାଙ୍କ ସୁରକ୍ଷା ନିମନ୍ତେ ଦୃଢ ପ୍ରତିଶ୍ରୁତି ଦେଇଥିଲେ ହେଁ ରାଜାଙ୍କ ମନରେ ଶଙ୍କା ଥିବା ହେତୁ ନାବାଳକ ରାମଚନ୍ଦ୍ର ଦେଓ ଙ୍କ ସୁରକ୍ଷା କରିବା ନିମନ୍ତେ ସେଠାରେ ପୂଜା ପାଉଥିବା ମାଆ ମାଣିକେଶ୍ଵରୀଙ୍କ ଚଳନ୍ତି ପ୍ରତିମାକୁ ସାଙ୍ଗରେ ପଠାଇଥିଲେ। ବିଶ୍ବାସର ବାତାବରଣ ସୃଷ୍ଟି ପାଇଁ ଯୁଗସାଇପାଟଣା ଠାରେ ପାଟମାଝୀଙ୍କ ଦ୍ବାରା ରାମଚନ୍ଦ୍ର ଦେଓଙ୍କ ରାଜ୍ୟାଭିଷେକ ହେଲା ଓ ମାଣିକେଶ୍ଵରୀଙ୍କ ପୂଜା ଆରମ୍ଭ ହେଲା। ପରେ ରାମଚନ୍ଦ୍ର ଦେଓ ଭଣ୍ଡେଶିର ଗଡ ତଥା ଆଧୁନିକ ଭବାନୀପଟଣା ଠାରେ ମାଣିକେଶ୍ଵରୀଙ୍କ ପୂଜା ଆରମ୍ଭ କଲେ ଓ ଜେନାବଳୀ ପାଟଣା ରୁ ନିଜର ଶାସନ ଚଳାଇଲେ।

ନାଗବଂଶର ୨୭ତମ ରାଜା ଫତେନରାୟଣ ଦେଓଙ୍କ ଶାସନ କାଳ ରେ ଜୁନାଗଡ ତଥା ପ୍ରାକ୍ତନ ଜେନାବଳୀପାଟଣା ଠାରେ ଭୟଙ୍କର ମହାମାରୀ ଦେଖା ଦେଇଥିଲା। ଏପରିକି ରାଜାଙ୍କ ଦ୍ବିତୀୟ ପୁତ୍ର ମଧ୍ୟ ଏହି ମହାମାରୀର ଶିକାର ହୋଇଥିଲେ। ମୁମୁର୍ଷୁ ଅବସ୍ଥାରେ ଥିବା ଯୁବରାଜ ଉଦିତ ପ୍ରତାପ ଦେଓଙ୍କୁ ରାଜା ପ୍ରାକ୍ତନ ଭଣ୍ଡେଶିର ଗଡ ତଥା ଆଧୁନିକ ଭବାନୀପଟଣା ଆଣି ମାଣିକେଶ୍ଵରୀଙ୍କ ନିକଟରେ ଶରଣାଗତ ହେବା କଥା ଅନେକ ଐତିହାସିକ ମତ ବ୍ୟକ୍ତ କରନ୍ତି। ଯୁବରାଜ ଆରୋଗ୍ୟ ଲାଭ କଳା ପରେ ୧୮୪୯ ମସିହାରେ ରାଜା ଫତେନାରାୟଣ ଦେଓ ଭବାନୀପଟଣା କୁ ନିଜର ରାଜଧାନୀ ସ୍ଥାନାନ୍ତରଣ କରିଥିଲେ ଓ ଏହା ସହିତ ମା ମଣିକେଶ୍ଵରୀଙ୍କୁ ନିଜର ରାଜ ଇଷ୍ଟଦେବୀ ରୂପେ ଗ୍ରହଣ କଲେ। ପ୍ରଖ୍ୟାତ ଚିନ୍ଦକ ନାଗ ରାଜା ସୋମେଶ୍ଵର ଦେବଙ୍କ ନାଗପୁର ମହାରାଷ୍ଟ୍ର ସଂଗ୍ରହାଳୟରେ ସଂଗୃହୀତ ପ୍ରସ୍ତରଲିପି ପ୍ରଶସ୍ତି ରେ ତାଙ୍କ ବଂଶ, ପିତା, ଇଷ୍ଟଦେବୀ, ମହେଶ୍ବର, ଓ ଇଷ୍ଟଦେବୀଙ୍କ ବିଷୟ ରେ ବର୍ଣିତ ହୋଇଛି। ଏହା ତାଙ୍କ ପାଟରାଣୀ ଗଙ୍ଗାମା ଦେବୀ ଦୁଇଟି ଶିବାଳୟ ପାଇଁ କୋରମାରୁକା ଗ୍ରାମଦାନ ଅବକାଶରେ ଉତ୍କୀର୍ଣ୍ଣ ହୋଇଥିଲା। ଏହା ତେଲୁଗୁ ଲିପିରେ ଖୋଦେଇ ହୋଇଥିବାର ଜଣା ପଡିଛି।

ଓ ସ୍ଵସ୍ତି ସହଶ୍ରଫଣା ମଣିକିରଣ ନିଶାଚର ନାଗୋବଂଶୋଦ୍ଭବ
ଭୋଗବତୋ ପୁରବରେଶ୍ଵର ସବସୁ ବ୍ୟାଘ୍ର ଲାଞ୍ଛନା
“କାଶ୍ୟପ ଗୋତ୍ର ” ପ୍ରକୋଟ ବିଜୟ ଶୋଷଣ ବିଶ୍ଵ
ବିଶ୍ଵମ୍ଭରା ପରମେଶ୍ବର ପରମଭଟ୍ଟାରକ ମହାମହେଶ୍ଵର
ଚରଣ କଞ୍ଜ କଞ୍ଜଳକ ପୁନଜପିଞ୍ଜରିତ ଭ୍ରମରାୟମାନ ମାକାନ୍ତକ
” ଶ୍ରୀ ମାଣିକ୍ୟ ଦେବୀ” ପାଦପଦ୍ମରାଧକ ପ୍ରବଳ ସାଧକ,
ଶ୍ରୀ ଭାବଡେକଭୂଷଣ ଶ୍ରୀ ସୋମେଶ୍ଵର ଦେବ।..

ଭବାନୀପଟଣା ରାଜପ୍ରାସାଦ ପରିସରରେ ଥିବା ମାଆ ମଣିକେଶ୍ଵରୀଙ୍କ ମନ୍ଦିର ବ୍ୟତୀତ କଳାହାଣ୍ଡି ର ଯୁଗସାଇପାଟଣା, ଓ ଥୁଆମୂଳ ରାମପୁରରେ ଦେବୀଙ୍କ ମନ୍ଦିର ଅଛି। ଏତତବ୍ୟତୀତ ରାୟଗଡା ର କାଶୀପୁର, ପାରଳାଖେମୁଣ୍ଡି, ସାନଖେମୁଣ୍ଡି, ବଡଖେମୁଣ୍ଡି, ତଥା ଇନ୍ଦ୍ରାବତୀ ନଦୀର ଉଦ୍ଗମସ୍ଥଳ ମରଦିଗୁଡାରେ ମଧ୍ୟ ଦେବୀଙ୍କ ମନ୍ଦିର ରହିଛି। କନ୍ଧମାଳର କୋଟଗଡ ଓ ରାୟଗଡାର ଡାଙ୍ଗସୁରଦା ଠାରେ ମଣିକେଶ୍ଵରୀ ପୂଜା ପାଉଛନ୍ତି। କଳାହାଣ୍ଡିର କନ୍ଧ ଜନଜାତିଙ୍କ ବିଷୟରେ ଅନୁସନ୍ଧାନ କରୁଥିବା ସମୟ ରରେ ତାଙ୍କ ଦ୍ବାରା ପୂଜିତା ଏକ ଦେବୀଙ୍କ ବିଷୟରେ ଏହି ଗବେଷକ ଜାଣିବାକୁ ପାଇଥିଲା। ସେ ଦେବୀ ହେଉଛନ୍ତି “ମାଣିକସାଇରୋ” ଓ ଏହି ଦେବୀଙ୍କୁ କନ୍ଧ ସମ୍ପ୍ରଦାୟର ଲୋକେ ଧରଣିପେନୁଙ୍କ ଭଉଣୀ ରୂପେ ମାନନ୍ତି। ଅନେକଙ୍କ ମତରେ ଏହି ଦେବୀ ହେଉଛନ୍ତି ମାଆ ମାଣିକେଶ୍ଵରୀ। ଦେବୀ ମାଣିକେଶ୍ଵରୀଙ୍କ ଆଲୋଚନା ବେଳେ ତାଙ୍କ ନାମକରଣ ତାପ୍ତର୍ଯ୍ୟପୂର୍ଣ୍ଣ ମନେ ହୁଏ। କଳାହାଣ୍ଡି ଅଞ୍ଚଳରେ ବିଭିନ୍ନ ପ୍ରକାର ରତ୍ନପଥର ସହିତ ମାଣିକ୍ୟପଥର ବହୁଳ ଭାବେ ଉପଲବ୍ଧ ହେଉଥିବା କାରଣରୁ ବିଶେଷ କରି ସେହି ଯୁଗସାଏ ପାଟଣା ଅଞ୍ଚଳ ରେ ଭୁଲ ପରିମାଣରେ ମାଣିକ୍ୟ ପଥର ଥିବା କାରଣରୁ ମାଣିକ୍ୟର ଦେବୀ ଭାବରେ ଦେବୀଙ୍କ ନାମ ମାଣିକେଶ୍ଵରୀ ହେଇଥିବା ବିଶ୍ବାସ କରାଯାଏ। ଏହି ମାଣିକ୍ୟକୁ ନେଇ ରାଜ୍ୟର ନାମ ମଧ୍ୟ କାରୁଣ୍ଡ ହୋଇଥିବାର କିମ୍ବଦନ୍ତୀ ରହିଛି। ମାଣିକ୍ୟ, ନିଲମ ଓ ପାନ୍ନା ଜାତୀୟ ରତ୍ନ ପଥରର ମୂଳପିଣ୍ଡକୁ ସଂସ୍କୃତରେ କୁରୁଣ୍ଡମ କୁହାଯାଏ। ଏହି ରତ୍ନପଥରର ପ୍ରାପ୍ତି ସ୍ଥାନ କାରୁଣ୍ଡକୁ ନେଇ କୋରିଣ୍ଡମ ଶବ୍ଦର ଉଦ୍ଭବ। କଳାହାଣ୍ଡିର କନ୍ଧମାନେ ଏହି ଅଞ୍ଚଳକୁ କରଣ୍ଡ ଦେଶ ବୋଲି ବିବେଚନ କରନ୍ତି।

ସିଦ୍ଧାର୍ଥ ଶାଶ୍ଵତ ପଣ୍ଡା

ଜୁନାଗଡ, କଳାହାଣ୍ଡି

ମୋ: ୯୪୩୭୭୦୦୦୨୯ 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.