ବିଦ୍ୟାଳୟ ଛାଡ଼ନ୍ତା ତଥା ଅସଦାଚରଣ ନିରାକରଣକୁ ନେଇ ସଚେତନତା କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଆଜିର ଶିଶୁ ଆସନ୍ତା କାଲିର ଭବିଷ୍ୟତ । ଏହି ଶିଶୁ କିପରି ବିଦ୍ୟାଳୟରେ ପାଠ ପଢି ଭବିଷ୍ୟତରେ ଉତ୍ତମ ନାଗରିକ ହୋଇ ଅନ୍ୟାୟ ବିରୋଧରେ ସ୍ୱର ଉତ୍ତୋଳନ କରିପାରିବେ , ଏହି କଥାକୁ ଚିନ୍ତା କରି ତଥା ଛାତ୍ରଛାତ୍ରୀ ମାନଙ୍କୁ ଭବିଷ୍ୟତରେ ଆଦର୍ଶ ନାଗରିକ କରିବା ଉଦ୍ଦେଶ୍ୟ ନେଇ ଆଜି ଗଜପତି ଜିଲ୍ଲା ଗୁମ୍ମା ବ୍ଲକ୍ ସେରଙ୍ଗ ଥାନା ଅନ୍ତର୍ଗତ ଭୁବନୀ ଗ୍ରାମ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟରେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

ପ୍ରାଧିକରଣ’ର ଅଧ୍ୟକ୍ଷ ତଥା ଜିଲ୍ଲା ଜଜ ଶ୍ରୀ ଜଗଦୀଶ ପ୍ରସାଦ ମହାନ୍ତି’ଙ୍କ ନିର୍ଦ୍ଦେଶ କ୍ରମେ ଏହି ସଚେତନତା କାର୍ଯ୍ୟକ୍ରମ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ବିମଳ ରାଉଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପ୍ରାଧିକରଣର ସଚିବ ଶ୍ରୀ ରାଉଳ , ଛାତ୍ରଛାତ୍ରୀ ମାନଙ୍କୁ ଭବିଷ୍ୟତରେ ସୁନାଗରିକ ହୋଇ କିପରି ନାଁ କମାଇବେ ତଥା ଅନ୍ୟ ସାଙ୍ଗସାଥି’ଙ୍କୁ ବିଦ୍ୟାଳୟରେ ପଢିବା ନିମନ୍ତେ ପ୍ରୋତ୍ସାହିତ କରିବେ ସେ ନେଇ ସଚେତନ କରିବା ସହ ବିଭିନ୍ନ ଆଇନ କାନୁନ ବିଷୟରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ଉଦବୋଧନ ସଚେତନ କରାଇଥିଲେ ।

ଏହି ଅବସରରେ ନିମନ୍ତ୍ରିତ ଅତିଥି ଭାବେ ଜିଲ୍ଲା ନ୍ୟାୟାଳୟର ଭାରପ୍ରାପ୍ତ କ୍ୟାଡ଼ର ପବ୍ଲିକ ପ୍ରସିକ୍ୟୁଟର ଶ୍ରୀ ରାଜେଶ କୁମାର ମିଶ୍ର ସାଇବର କ୍ରାଇମ ତଥା ସେରଙ୍ଗ ଥାନାଧିକାରୀ କମଳା ଚୌଧୁରୀ ବାଲ୍ୟ ବିବାହ ତଥା ଅସଦାଚରଣ ରୋକିବା ନେଇ ରହିଥିବା ବିଭିନ୍ନ ଆଇନ ଉପରେ ସମସ୍ତଙ୍କୁ ସୂଚନା ଦେଇଥିଲେ। ସେହିପରି ପାରଳାଖେମୁଣ୍ଡି ଓକିଲ ସଂଘର ପୂର୍ବତନ ସଭାପତି ଜିତୁ ପଟ୍ଟନାୟକ ଛାତ୍ରମାନଙ୍କୁ ଜୀବନର ଲକ୍ଷ୍ୟ ଉପରେ ଉଦବୋଧନ ଦେଇଥିଲେ ଏବଂ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଓକିଲ ମମତା ଦେବୀ ଓ ଗୁମ୍ମା ବ୍ଲକ ଶିକ୍ଷା ଅଧିକାରୀ ନାରାୟଣ ରଞ୍ଜନ ମଣ୍ଡଳ ପ୍ରମୁଖ ଉପସ୍ଥିତ ହୋଇ ବିଭିନ୍ନ ଆଇନ ବିଷୟରେ ପିଲାଙ୍କୁ ସଚେତନ କରିଥିଲେ। ସର୍ବଶେଷରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ଭି: ଉମାକାନ୍ତ ସମସ୍ତଙ୍କୁ ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ। ପାରା ଲିଗାଲ ଭଲ୍ୟୁଣ୍ଟର ଶଶୀରେଖା ବିଷୋୟୀ , ଜିଲ୍ଲା ଆଇନ ସେବା ପ୍ରାଧିକରଣର କର୍ମଚାରୀ ତଥା ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ମିଳିତ ସହଯୋଗରେ ଉକ୍ତ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପନ୍ନ ହୋଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.