ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନସ୍ଥ ମାଣ୍ଡେଲ ଗ୍ରାମ ପଞ୍ଚାୟତର ଐତିହାସିକ ଅସୁରଗଡ ଶ୍ରୀରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ସୋମବାର ପୂର୍ବାହ୍ନ ୧୦ ଘଣ୍ଟା ସମୟରେ କଳସ ଯାତ୍ରାରୁ ଆରମ୍ଭ ହୋଇଯାଇଛି। ନର୍ଲା-ରୁପ୍ରାରୋଡ ରାସ୍ତା ସାନ୍ଦୁଲ ନଦୀ ବ୍ରୀଜ ପାଖରୁ ଯଜ୍ଞ ମଣ୍ଡପ ଯାଏଁ ଦୀର୍ଘ ଅଢେଇ କି.ମି ଧରି ପ୍ରତିଷ୍ଠା ଉତ୍ସବ ପରିଚାଳନା କମିଟିର ସଭାପତି ଘନଶ୍ୟାମ ପଧାନ ଓ ସମ୍ପାଦକ ତୁଷାର ସାହୁଙ୍କ ନେତୃତ୍ୱରେ କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା। ଶ୍ରୀରାମ ଫଟୋଚିତ୍ର ରହିତ ଗୈରିକ ପତାକା ଧରି ଶ୍ରଦ୍ଧାଳୁ ଭକ୍ତମାନେ ଜୟ ଶ୍ରୀରାମ ନାରା ଦେଇ ଘଣ୍ଟ, ନିଶାଣ ବାଦ୍ୟର ତାଳେ ତାଳେ ଚାଲିଥିବା ବେଳେ ୫୦୦ ରୁ ଉର୍ଦ୍ଧ୍ୱ ମହିଳା ଭକ୍ତ ମୁଣ୍ଡରେ କଳସ ମୁଣ୍ଡେଇ ଭବ୍ୟ କଳସ ଶୋଭାଯାତ୍ରାରେ ଭାଗ ନେଇଥିଲେ। ଛତ୍ରପୁର ଗଞ୍ଜାମ ସାମନ୍ତରାୟପୁର ଶାସନରୁ ଆସିଥିବା ପୂଜକ ଦଳଙ୍କ ମୁଖ୍ୟ ପୁରୋହିତ ପଣ୍ଡିତ ମନୋଜ ଶତପଥି ସାନ୍ଦୁଲ ନଦୀ ଜଳ ଘାଟରେ ଗଙ୍ଗା ପୁଜନ କରି ସୁଦ୍ଧି କରଣ କରିବା ପରେ ପୂଜନ ବିଧି ସାରି କଳସ ଯାତ୍ରା ଆରମ୍ଭ ହୋଇଥିଲା। ପୂର୍ବଦିନ ୧୯/୪ ରବିବାର ଦିନ ପ୍ରାତଃ ୭ ଘଣ୍ଟା ସମୟରେ ଦୀକ୍ଷା ଗ୍ରହଣ, ସଂସ୍କାର ଓ ଅଙ୍କୁରାରୋପଣ ଓ ସଂଧ୍ୟାରେ ଦେବାଦେବୀଙ୍କ ମୁର୍ତ୍ତି, ଅସ୍ତ୍ର ଶସ୍ତ୍ରାଦିକୁ ଧାନ୍ୟାଧିବାସ କରାଯାଇଥିଲା। କଳସ ଯଜ୍ଞ ମଣ୍ଡପରେ ସ୍ଥାପନା ପରେ ଅଧିବାସ ଓ ମଣ୍ଡଳକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଯଜ୍ଞ କର୍ତ୍ତା ଭାବରେ ହାରାମଣି ପଧାନ ଓ ଘନଶ୍ୟାମ ପଧାନ, ଜଗନ୍ନାଥ ଗଉଡ ଓ ଯଶୋବନ୍ତୀ ଗଉଡ, ବୈଦ୍ୟନାଥ ପାଢୀ ଓ ପୁଷ୍ପାଞ୍ଜଳୀ ମହାହୂତି, ମିନାକ୍ଷୀ ନାଏକ ଓ ତୁମେଶ୍ୱର ନାଏକ ଏବଂ ପୀତାମ୍ବର ଗଉଡ ଓ ଧରିତ୍ରୀ ଗଉଡ ଏଭଳି ୫ ଯୋଡି ଦମ୍ପତି ଦାଇତ୍ୱ ନିର୍ବାହନ କରୁଛନ୍ତି। ସେହିଭଳି ବ୍ରହ୍ମା ପୁରୋହିତ ଭାବରେ ପଣ୍ଡିତ ମନୋଜ କୁମାର ପାଢୀ, ସହଯୋଗୀ ପଣ୍ଡିତ ଭାବରେ ଶେଷଦେବ ପାଢୀ, ଆଶିଷ କୁମାର ଷଢଙ୍ଗୀ, ବନୌଜ ଶତପଥି, ସୌମ୍ୟରଞ୍ଜନ ଶତପଥି, କଳ୍ପତରୁ ପାଢୀ, ସଙ୍ଗମ ଦାସ, ସୁବ୍ରତ ମିଶ୍ର ଓ ସମ୍ବିତ ରଥ ପ୍ରମୁଖ ଦାଇତ୍ୱରେ ରହି ପୂଜା ପରିଚାଳନା କରୁଥିବା ଜଣାପଡିଛି। ଯଜ୍ଞ ମଣ୍ଡପ ସହଯୋଗୀ ଭାବରେ ଗୋବିନ୍ଦ ଗଉଡ, ନିର୍ମଳ ଗଉଡ, ନରୋତ୍ତମ ଗଉଡ, ଅମର୍ତ୍ତ୍ୟ ଗଉଡ ଜଗଦିଶ ଗଉଡ, ବାରିକ ଗଉଡ, ନାବିକ ଗଉଡ, ତ୍ରୀଲୋଚନ ପଧାନ ପ୍ରମୁଖ ଯଜ୍ଞ ପରିଚାଳନାରେ ସହଯୋଗ କରୁଥିବା ଜଣାପଡିଛି। ଏଠାରେ ପ୍ରକାଶ ଯୋଗ୍ୟ ଯେ ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମ ୯ ଦିନ ଧରି ଚାଲିବ। ୨୭ ତାରିଖ ସକାଳେ ପୂର୍ଣ୍ଣାହୂତି ପଡିବ।





