ଓଡ଼ିଆ ବାର୍ତ୍ତା/ ମୁରିବାହାଲ (ଅମରେଶ ମାଝୀ): ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକରେ ଜନଗଣନାର ସର୍ବପ୍ରଥମ ଗୃହ ଗଣନା କାର୍ଯ୍ୟ ଆରମ୍ଭ ହୋଇଛି। ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ଯୋଜନାଗୁଡ଼ିକର ସଠିକ୍ ରୂପାୟନ ପାଇଁ ଏହି ତଥ୍ୟ ସଂଗ୍ରହ ପ୍ରକ୍ରିୟାକୁ ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ କରାଯାଇଛି। ଏବେ ପ୍ରଶିକ୍ଷିତ ଏନୁମୁରେଟରମାନେ ଘରେ ଘରେ ପହଞ୍ଚି ଘର ଗଣନା କରି କ୍ରମିକ ସଂଖ୍ୟା ଲିପିବଦ୍ଧ କରୁଛନ୍ତି। ସୂଚନାଯୋଗ୍ୟ ଯେ ଏହି କାର୍ଯ୍ୟ ପାଇଁ ନିୟୋଜିତ ଏନୁମୁରେଟର ଓ ସୁପରଭାଇଜର ମାନଙ୍କୁ ପୂର୍ବରୁ ବ୍ଲକ ସ୍ତରରେ ସ୍ୱତନ୍ତ୍ର ପ୍ରଶିକ୍ଷଣ ଦିଆଯାଇଥିଲା। ଏହି ଟ୍ରେନିଂ ଆଧାରରେ ସେମାନେ ଘରକୁ ଘର ବୁଲି ଗୃହ ଗଣନା ପରେ ପରିବାର ବିବରଣୀ, ଘରର ଅବସ୍ଥା, ପାନୀୟ ଜଳର ମୁଖ୍ୟ ଉତ୍ସ, ଆଲୋକର ମୁଖ୍ୟ ଉତ୍ସ, ଇଣ୍ଟରନେଟ ପରି ୩୩ଟି ଅନ୍ୟାନ୍ୟ ଜୀବନଶୈଳୀ ସମ୍ବନ୍ଧୀୟ ପ୍ରଶ୍ନ ପଚାରି ଫର୍ମ ପୂରଣ କରିବେ। ଗଣନା ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ତ୍ରୁଟିଶୂନ୍ୟ କରିବା ପାଇଁ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ସୁପରଭାଇଜରମାନଙ୍କୁ ନିଯୁକ୍ତି ଦିଆଯାଇଛି।ସୁପରଭାଇଜରମାନେ କ୍ଷେତ୍ରସ୍ତରରେ ଗଣନାକାରୀଙ୍କ କାର୍ଯ୍ୟର ତଦାରଖ କରିବା ସହ ସେମାନଙ୍କୁ ଆବଶ୍ୟକୀୟ ବୈଷୟିକ ସହାୟତା ପ୍ରଦାନ କରି ସବିଶେଷ ରିପୋର୍ଟ ପ୍ରଦାନ କରିବେl କୌଣସି ବି ପରିବାର ଯେପରି ଏହି ଗଣନାରୁ ବାଦ୍ ନ ପଡ଼ନ୍ତି ସେଥିପାଇଁ ସୁପରଭାଇଜରମାନେ ସିଧାସଳଖ ତତ୍ତ୍ୱାବଧାନ କରୁଛନ୍ତି। ଆମେ ଏବେ ଘର କୁ ଘର ବୁଲି ଘରର କ୍ରମିକ ନମ୍ବର ପକଉଛୁ ପରେ ସବିଶେଷ ତଥ୍ୟ ପଚାରି ବୁଝିବୁl ପ୍ରଶିକ୍ଷଣ ଅନୁଯାୟୀ କାର୍ଯ୍ୟ କରୁଥିବାରୁ ସହଜ ହେଉଛି ବୋଲି କିଛି ଏନୁମୁରେଟର ପ୍ରକାଶ କରିଛନ୍ତି। ଜନସାଧାରଣ ଏହି ପ୍ରକ୍ରିୟାରେ ପ୍ରଶାସନକୁ ସହଯୋଗ କରିବାକୁ ବ୍ଲକ କର୍ତ୍ତୃପକ୍ଷ ନିବେଦନ କରିଛନ୍ତି।





