ବାଲେଶ୍ବରରେ ୧୨ତମ ପଟିଦିଅଁ ଅଙ୍କନ ଉତ୍ସବ ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ
ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଓଡ଼ିଶାରେ ଅକ୍ଷୟ ତୃତୀୟା ଅବସରରେ ଅଖିମୁଠି, ଅନୁକୂଳ, ଶୁଭାରମ୍ଭ, ପ୍ରତିଷ୍ଠା ଇତ୍ୟାଦି କରାଯିବାର ପରମ୍ପରା ଥିଲା ବେଳେ ଶ୍ରୀ ଜଗନ୍ନାଥ ମନ୍ଦିରରେ ଚିତ୍ରକରମାନଙ୍କୁ ପଟିଦିଅଁ ଅଙ୍କନ ପାଇଁ ଆଜ୍ଞାମାଳ ଓ ବସ୍ତ୍ର ପ୍ରଦାନ ପୂର୍ବକ ସ୍ବୀକୃତି ପ୍ରଦାନ କରାଯାଏ। ‘ନୋସି କଳଚୁରାଲ ଏକାଡେମୀ’ ଓ ‘ବାଲେଶ୍ଵରୀ କଳା କେନ୍ଦ୍ର’ ଆୟୋଜିତ ହେବାକୁଥିବା ୧୨ତମ ପଟିଦିଅଁ ଅଙ୍କନ ଉତ୍ସବ ପାଇଁ ବାଲେଶ୍ବର ଓ ମୟୂରଭଞ୍ଜ ଜିଲ୍ଲାର ଭିନ୍ନ ଭିନ୍ନ ୮ଟି ଜଗନ୍ନାଥ ମନ୍ଦିରରୁ ୯ ଜଣ ଚିତ୍ରକର ଆଜି ବିଧିବଦ୍ଧ ଭାବେ ସ୍ବୀକୃତି ଗ୍ରହଣ କରିଛନ୍ତି।
ଗଣେଶ୍ୱରପୂରର ତ୍ରାହି ଅଚ୍ୟୁତ ଜଗନ୍ନାଥ ମନ୍ଦିର, ଛନପୂର୍ ଜଗନ୍ନାଥ ମନ୍ଦିର, ରେମୁଣା ମଧିପୁର ଜଗନ୍ନାଥ ମନ୍ଦିର, ନୀଳଗିରି ଜଗନ୍ନାଥ ମନ୍ଦିର, ସାଶଙ୍ଗ ଜଗନ୍ନାଥ ମନ୍ଦିର, ଜୟଦେବ କସବା ଜଗନ୍ନାଥ ମନ୍ଦିର , ବେତନଟୀ ଜଗନ୍ନାଥ ମନ୍ଦିର , ଦୁବଲାଗଡି ଜଗନ୍ନାଥ ମନ୍ଦିରରୁ ବଡ ଠାକୁର ବଳଭଦ୍ର (ଅନନ୍ତ ବାସୁଦେବ) ପାଇଁ ଗଦାଧର ମହାନ୍ତି, ଭବାନୀ ଶଙ୍କର ନାୟକ, ପ୍ରଦୀପ ବାଡି, ସୁଭ୍ରାଦ ( ମା ଭୁବନେଶ୍ଵରୀ) ପାଇଁ ଦେବାଶିଷ ପତି, ଭବଶଙ୍କର ସାହୁ ଓ ସମୀର ବେହେରା, ଜଗନ୍ନାଥ (ଅନନ୍ତ ନାରାୟଣ) ପାଇଁ ଶିଳ୍ପୀ କେଶୁ ଦାସ, ଅରୁଣ ବାରିକ ଓ ଅଙ୍କିତ ଦାସ ପ୍ରମୁଖ ମନ୍ଦିର ତରଫରୁ ଆଜ୍ଞାମାଳ ଓ ବସ୍ତ୍ର ପ୍ରଦାନ ପୂର୍ବକ ସ୍ବୀକୃତି ପ୍ରଦାନ କରିଥିଲେ। ସମସ୍ତ ମନ୍ଦିର ତରଫରୁ ମନୋରଞ୍ଜନ ସାହୁ, ରବୀନ୍ଦ୍ର ଚଣ୍ଡ ଓ ସପରିବାର, ଶଶଧର ପଣ୍ଡା, ହର ନାରାୟଣ ମଡୁଆଳ , ବିଶ୍ଵନାଥ ବିଶ୍ଵାଳ, ରାଜକିଶୋର ରାୟ, କୁନା ନନ୍ଦ, ବ୍ରହ୍ମା, ପୁଣ୍ୟଶ୍ଳୋକ ବ୍ରହ୍ମା, ପ୍ରଭାସ ଦାସ, ବିଶିଷ୍ଟ ପାରମ୍ପରିକ ଚିତ୍ରକର ଶ୍ରୀଧର ମହାରଣା, ପୂର୍ଣ୍ଣ ଚନ୍ଦ୍ର ପଣ୍ଡା, ବିଜୟ ଶତପଥି, ଜୀବନ ଶତପଥି ପ୍ରମୁଖ ଯୋଗ ଦେଇଥିଲେ।

ପ୍ରକାଶ ଥାଉ କି ଆସନ୍ତା ଜୁନ୍ ୨୪ ରୁ ୨୯ (ପବିତ୍ର ସ୍ନାନ ପୂର୍ଣ୍ଣିମା) ୬ ଦିନ ଧରି ବିଗତ ବର୍ଷ ପରି ନୋସି ଉତ୍କଳା ପରିସରରେ ପାରମ୍ପରିକ ପଟିଦିଅଁ ଅଙ୍କନ, ପଟ୍ଟଚିତ୍ର କର୍ମଶାଳା, ପ୍ରଦର୍ଶନୀ, ଆଲୋଚନା ସହ ଶାସ୍ତ୍ରୀୟ ସଙ୍ଗୀତ ଓ ନୃତ୍ୟ, ଚଢ଼େଇୟା ନାଟ ଇତ୍ୟାଦି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ।





