କଳାହାଣ୍ଡିରେ ଜାଲ୍ ନୋଟ୍ କାରବାର: ରାକେଟର ପର୍ଦ୍ଦାଫାସ ଜରୁରୀ 

ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): କଳାହାଣ୍ଡି ଜିଲ୍ଲାରେ ଧିରେ ଧିରେ ଜାଲ ନୋଟ କାରବାର ବଢ଼ି ଚାଲିଥିବା ନେଇ ଚର୍ଚ୍ଚା ଆଲୋଚନା ହେଉଛି। ଅନ୍ୟ ଜିଲ୍ଲାରେ ଏହି ରାକେଟ ଧରା ପଡୁଥିବାବେଳେ କଳାହାଣ୍ଡି ପୁଲିସ ଟେର୍ ପାଉନଥିବା ସାଧାରଣରେ ଆଲୋଡ଼ନ ସୃଷ୍ଟି ହୋଇଛି। ଗତ କିଛି ବର୍ଷ ତଳେ ବୋର୍ଡ଼ା ଅଞ୍ଚଳରେ ଏକ ରାକେଟ୍ ପର୍ଦ୍ଦାଫାସ୍ ହୋଇଥିଲା। ବର୍ତ୍ତମାନ ପୁଲିସ ନିରବଦ୍ରଷ୍ଟା ସାଜିଛି ଓ ରାକେଟର ଚେର ଲମ୍ବିବାରେ ଲାଗିଛି ବୋଲି ଜିଲ୍ଲାସାରା ଚର୍ଚ୍ଚା ଆଲୋଚନା ହେଉଛି। କେବଳ କଳାହାଣ୍ଡି ନୁହେଁ, ପଶ୍ଚିମ ଓଡ଼ିଶାରେ ଏହି କାରବାରର ନେଟୱର୍କ ରହିଛି। କିନ୍ତୁ, କେଉଁଠି ସୂତ୍ର ତାହା ସ୍ପଷ୍ଟ ହୋଇପାରୁନି। ସୂଚନା ଅନୁସାରେ, ଜିଲ୍ଲାର ବୋର୍ଡ଼ା ଅଞ୍ଚଳରେ ୨୦୨୩ରେ ଜାଲ ନୋଟ୍ କାରବାରର ଏକ ବଡ଼ ରାକେଟ ଦୀର୍ଘଦିନ ଧରି କାମ କରୁଥିବା ପୁଲିସ ସୂଚନା ପାଇଥିଲା। ଜାଲ ନୋଟ ଛପାରେ ବ୍ୟବହୃତ ପ୍ରିଣ୍ଟିଂ ମେସିନ ଓ କାଗଜ ପୁଲିସ ଜବତ କରିବା ସହ ବୋର୍ଡ଼ା ଓ କୁସମେଲର ଜଣେ ଯୁବକକୁ ପୁଲିସ ଗିରଫ କରିଥିଲା। ସେହିଭଳି ଜୁନାଗଡ଼ ଅଞ୍ଚଳରେ ମଧ୍ୟ ଜାଲ ନୋଟର କାରବାର ବୃଦ୍ଧି ପାଇଥିବାବେଳେ ଲୋକେ ନକଲି ନୋଟ ନେଇ ଆତଙ୍କିତ ହେବାରେ ଲାଗିଛନ୍ତି। ଜୁନାଗଡ଼ ବଜାରରେ ୫ଶହ ଟଙ୍କିଆ ଜାଲ ନୋଟ ନଜରକୁ ଆସିଥିଲା। ଏନେଇ ବଣିକ ସଂଘ ପକ୍ଷରୁ ଜୁନାଗଡ ଥାନା ଆଇଆଇସିଙ୍କୁ ଅବଗତ କରାଯାଇଛି। କେବଳ କଳାହାଣ୍ଡି ଜିଲ୍ଲା ନୁହେଁ, ଗତ ୨୦୨୩ ଫେବ୍ରୁଆରି ୨ ରାତିରେ ଏସ୍‌ଟିଏଫ୍ ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ପୁଲିସ ସହାୟତାରେ ଆଇ ଲଭ୍ ମାଇ ଟିଟିଲାଗଡ଼ ନିକଟରୁ କଳାହାଣ୍ଡି ଜିଲ୍ଲା କେଗାଁ ଥାନା କଣ୍ଟାମାଳ ଗାଁର ଜଣଙ୍କୁ ଗିରଫ କରିଥିଲା। ସର୍ବାଧିକ ୩୧ଲକ୍ଷ ୨୭ ହଜାର ଟଙ୍କାର ଜାଲ୍ ନୋଟ ଜବତ ହୋଇଥିଲା। ସେହିଭଳି ୨୦୨୪ ମାର୍ଚ୍ଚ ୨୮ରେ ପାଟଣାଗଡ଼ ଭଇଁଷା ଅଞ୍ଚଳରୁ ୨ଜଣଙ୍କୁ ଗିରଫ ସହ ୧ଲକ୍ଷ ୩୭ ହଜାର ଟଙ୍କାର ଜାଲ ନୋଟ, ୨୦୨୫ ଏପ୍ରିଲ ୧୦ରେ ଟିଟିଲାଗଡ଼ ରଘୁନାଥପଡ଼ାର ଏମ୍‌ଡି ସବିର ଓ ସିକେରର ନେତ୍ରା ରାଉତଙ୍କୁ ଗିରଫ ସହ ୪୯ ହଜାର ଟଙ୍କାର ଜାଲ୍ ନୋଟ୍ ପୁଲିସ ଜବତ କରିଥିଲା। ଗତକାଲି ସୋନପୁର ପୁଲିସ ବିପୁଳ ପରିମାଣର ଜାଲ ନୋଟ ଜବତ କରିବା ପରେ ଅଞ୍ଚଳରେ କେଉଁଠି ନା କେଉଁଠି କାରବାରର ଗୋପନୀୟ ଆଡ଼ା ରହିଥିବା ଆଶଙ୍କା କରାଯାଉଛି। ପ୍ରକାଶ ଯେ, ପଶ୍ଚିମ ଓଡ଼ିଶାରେ ପ୍ରଥମେ ବରଗଡ଼ ଜିଲ୍ଲାରୁ ଜାଲ ନୋଟ ରାକେଟର ପର୍ଦ୍ଦାଫାଶ ହୋଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଜାଲ ନୋଟ କାରବାରରେ କଳାହାଣ୍ଡିର ସମ୍ପୃକ୍ତି ଥିବା ଓ ଜିଲ୍ଲା ବାହାରେ ଧରା ପଡୁଥିବାବେଳେ ଏହାର ଖିଅ କେଉଁଠି ତାହା ଜଣାପଡୁନି। କଳାହାଣ୍ଡି ଜିଲ୍ଲାର ଜୁନାଗଡ଼,‌ ନର୍ଲା, ଭବାନୀପାଟଣା, କେସିଙ୍ଗା, ଧର୍ମଗଡ଼ ସମେତ ବିଭିନ୍ନ ଅଞ୍ଚଳରେ ନକଲି ନୋଟର କାରବାର ସାଧାରଣରେ ଆତଙ୍କ ସୃଷ୍ଟି କରିଛି। ତେଣୁ ପୁଲିସ ପକ୍ଷରୁ ଏନେଇ ଖୋଲତାଡ଼ କରାଗଲେ ନକଲି ନୋଟ କାରବାରର ଗୁମର ଫିଟବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.