ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଦେହେଲି ଗ୍ରାମର ଭିନ୍ନକ୍ଷମ ମହିଳା ମୋହିନୀ ଦୀପ (୩୭)ଙ୍କୁ ତାଙ୍କ ସ୍ଵାମୀ ଭଗବାନ ଗଉଡ ହତ୍ୟା କରିଥିବା ନେଇ ନର୍ଲା ପୋଲିସ କେସ ନଂ ୧୦୪/୨୬ ରେ ୟୁଏସ (୧୦୩)୧ ବିଏନଏସ ଧାରା ବଳରେ କୋର୍ଟ ଚାଲାଣ କରିଛି। ଘଟଣାରୁ ଜଣାପଡିଛି ଯେ ଗତ ଗୁରୁବାର ୧୪/୪ ରାତି ୮ ଘଣ୍ଟା ସମୟରେ ବନ୍ଧୁ ଘର ଗାଁ ବୁଢ଼ୀପଦରରୁ ପତି-ପତ୍ନୀ ବାଇକ ଯୋଗେ ଛୋଟ ଛୋଟ ଦୁଇ ପୁଅଙ୍କୁ ଧରି ଘରକୁ ଫେରୁଥିଲେ। ଏହି ସମୟରେ କୌଣସି କଥାକୁ ନେଇ ଦୁହିଁଙ୍କ ମଧ୍ୟରେ ବଚସା ହୋଇଥିଲା। ମଦ ନିଶାରେ ମାତାଲ ହୋଇଥିବା ସ୍ବାମୀ ଭଗବାନ ସ୍ତ୍ରୀ ମୋହିନୀଙ୍କୁ ବହୁତ ମାଡ ମାରିଥିଲା। ଭଗବାନ ପେଶାରେ ଜଣେ ୱେଲ୍ଡିଙ୍ଗ କାମ ବାଲା ହୋଇଥିବାରୁ ତା’ ବାଇକ ଡିକିରେ ରଖିଥିବା ହାତୁଡ଼ି କାଢି ସ୍ତ୍ରୀ ମୁଣ୍ଡରେ ଜୋରରେ ମାରିବାରୁ ଘଟଣା ସ୍ଥଳରେ ସ୍ତ୍ରୀ ମୋହିନୀର ମୃତ୍ୟୁ ହୋଇଥିଲା। ଏହାପରେ ବଲବସପୁର-ବୁଢୀପଦର ଗାଁ ସୀମାରେ ଥିବା ମୁରୁମ ଖାଲରେ ମୃତ ସ୍ତ୍ରୀର ଶବକୁ ଘୋଷାରି ଘୋଷାରି ନେଇ ପକେଇ ଦେଇ ଦୁଇ ଛୁଆଙ୍କୁ ନେଇ ଘରକୁ ଚାଲି ଯାଇଥିଲା ଦୁର୍ବୃତ୍ତ ଭଗବାନ। ଦୁଇଦିନ ଖରାରେ ପଡି ରହି ଶବ ଦୁର୍ଗନ୍ଧ ହେବା ପରେ ସ୍ଥାନୀୟ ଲୋକ ଶନିବାର ସକାଳୁ ନର୍ଲା ପୋଲିସକୁ ଖବର ଦେଇଥିଲେ। ପୋଲିସ ତଦନ୍ତ ଆରମ୍ଭ କରିଥିଲା। ମୃତ ମୋହିନୀର ମାଆଙ୍କ ଏତେଲାକୁ ଭିତ୍ତି କରି ଆସାମୀକୁ ଗିରଫ କରିଥିଲା ପୋଲିସ। ପଚରା ଉଚୁରା ପରେ ପୋଲିସ ଆଗରେ ସମସ୍ତ ଘଟଣା ବର୍ଣ୍ଣନା କରି ସ୍ତ୍ରୀକୁ ହତ୍ୟା କରିଥିବା ସ୍ୱୀକାର କରିଥିଲା ଦୁର୍ବୃତ୍ତ ଭଗବାନ। ଭଗବାନ ନର୍ଲା ଥାନା ମାଣ୍ଡେଲ ଗ୍ରାମ ପଞ୍ଚାୟତ ଆସୁରଗଡର ବାସିନ୍ଦା। ହେଲେ ସେ ସ୍ତ୍ରୀ ଛୁଆ ପିଲା ନେଇ ନର୍ଲା ଥାନା ଅନ୍ତର୍ଗତ ଦେହେଲିର ଗଡରାପଡାରେ ରହି ୱେଲ୍ଡିଙ୍ଗ କାମ କରୁଥିଲା। ମଙ୍ଗଳବାର ସଂଧ୍ୟାରେ ପୋଲିସ ଭଗବାନକୁ କୋର୍ଟ ଚାଲାଣ କରିଛି।





