କଳାହାଣ୍ଡି : ‘ପ୍ରକାଶ’ ଆଣିଦେଲା ସଫଳତା 

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, କଳାହାଣ୍ଡି ତରଫରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ମାଟ୍ରିକ ପରୀକ୍ଷାରେ ଅଧିକ ସଂଖ୍ୟକ ଏ-ୱାନ୍ ଗ୍ରେଡ ହାସଲ ନିମନ୍ତେ ‘ପ୍ରକାଶ’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ସାମିଲ ହୋଇଥିବା ଛାତ୍ରଛାତ୍ରୀ ରେକର୍ଡ ସଂଖ୍ୟାରେ ଏ-୧ ଗ୍ରେଡ ରଖି ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। ଏଥିପାଇଁ ଏକ ଦୀର୍ଘମିଆଦି ଯୋଜନା କାର୍ଯ୍ୟକାରୀ ହୋଇଥିଲା। ଜୁଲାଇ ମାସରେ ସମସ୍ତ ପ୍ରଧାନଶିକ୍ଷକମାନଙ୍କୁ ନେଇ ଯୋଜନା ପ୍ରସ୍ତୁତ କରାଯାଇଥିଲା। ପ୍ରଥମେ ଜିଲ୍ଲାର ତେରଟି ବ୍ଲକର ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ପରୀକ୍ଷା ଆୟୋଜିତ ହୋଇଥିଲା ଓ ଚିହ୍ନଟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ପ୍ରଧାନଶିକ୍ଷକମାନଙ୍କ ଦ୍ଵାରା ବ୍ଲକ୍ ସ୍ତରରେ ଦୁଇ ଦିନିଆ ସ୍ୱତନ୍ତ୍ର ମାର୍ଗଦର୍ଶନ ଶିବିର ଆୟୋଜନ କରାଯାଇଥିଲା। ଜିଲ୍ଲା ସ୍ତରରେ ୨ ଟି ପର୍ଯ୍ୟାୟରେ ୪ ଦିନିଆ ସ୍ୱତନ୍ତ୍ର ଆବାସିକ ମାର୍ଗଦର୍ଶନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଶିବିରରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ୧୨୭ ଜଣ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀଙ୍କ ନେତୃତ୍ୱରେ ତଥା ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୩୬ ଜଣ ଜିଲ୍ଲା ସାଧନ ଶିକ୍ଷକ-ଶିକ୍ଷୟତ୍ରୀ ଛାତ୍ରଛାତ୍ରୀଙ୍କୁ ଉତ୍ତମ ମାର୍ଗଦର୍ଶନ କରିଥିଲେ। ଶିବିର ପରେ ମଧ୍ୟ ମାସିକ ପରୀକ୍ଷା, ଦୈନିକ ଅନଲାଇନ୍ କ୍ଲାସ ମାଧ୍ୟମରେ ସନ୍ଦେହ ମୋଚନ କରାଯାଉଥିଲା। ଫଳସ୍ୱରୂପ ଚଳିତ ବର୍ଷ ଜିଲ୍ଲାରେ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ରେକର୍ଡ ସଫଳତା ମିଳିଛି। ଜିଲ୍ଲାରେ ୧୧୮ ଜଣ ଏ-୧, ୧୨୭୬ ଜଣ ଏ-୨, ୩୬୧୬ ଜଣ ବି-୧, ୫୦୭୭ ଜଣ ବି-୨ ଗ୍ରେଡରେ ସଫଳତା ପାଇବା ସହ ୧୫୬ ଟି ବିଦ୍ୟାଳୟରେ ଶତ ପ୍ରତିଶତ ପାସ ହାର ଓ ଜିଲ୍ଲାରେ ୯୭.୮୬% ପାସ ହାର ହୋଇ ଜିଲ୍ଲା ରାଜ୍ୟରେ ସପ୍ତମ ସ୍ଥାନରେ ରହିଛି। ସରକାରୀ ଉଚ୍ଚ ବିଦ୍ୟାଳୟ ଗଣନାଥପୁରର ଛାତ୍ରୀ ସ୍ଵାତୀ ମହାକୁଡ଼ ୫୭୭ ମାର୍କ ରଖି ଜିଲ୍ଲା ଟପର ହୋଇଛନ୍ତି। ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶୁଭଲକ୍ଷ୍ମୀ ନାୟକ, ତପିମଣି ଜାନୀଙ୍କ ସମେତ ସମସ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ, ପ୍ରଧାନଶିକ୍ଷକ ଶିକ୍ଷୟିତ୍ରୀ ଓ ବିଷୟ ଶିକ୍ଷକ ଶିକ୍ଷୟିତ୍ରୀ, ପିତାମାତା ଓ ଅଭିଭାବକଙ୍କ ମିଳିତ ପ୍ରୟାସ ମାଧ୍ୟମରେ ପ୍ରକାଶ କାର୍ଯ୍ୟକ୍ରମ ଏକ ଦୃଷ୍ଟାନ୍ତମୂଳକ ସଫଳତା ଆଣିଦେଇଛି। ଜିଲ୍ଲାର ଏହି ସଫଳତା ପାଇଁ ଜିଲ୍ଲାରେ ଆନନ୍ଦର ଲହରୀ ଖେଳିଯାଇଛି। ଜିଲ୍ଲାପାଳ ଶ୍ରୀ ସଚିନ ପାୱାର ପ୍ରକାଶ ସମସ୍ତ ଛାତ୍ରଛାତ୍ରୀ, ପିତାମାତା ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.