ରାତି ୯ ଟାରେ ନର୍ଲା ଥାନାରେ ହାଇମାକ୍ସ ଡ୍ରାମା

ମୁମୁର୍ଷୁ ନାବାଳକକୁ ଆଣି ଥାନା ବାରଣ୍ଡାରେ ସୁଆଇଦେଲେ ପାଣିମୁଣ୍ଡା ଗ୍ରାମବାସୀ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଥାନା ଅଧିନସ୍ଥ ନିଶାଣପୁର ଗ୍ରାମ ପଞ୍ଚାୟତର ପାଣିମୁଣ୍ଡା ଗ୍ରାମର ମୁମୁର୍ଷୁ ନାବାଳକ ସୋନୁ ଗଉଡ(୧୭)ଙ୍କୁ ଅଟୋରିକ୍ସା ଯୋଗେ ଥାନାକୁ ଆଣି ବାରଣ୍ଡାରେ ଶୁଆଇ ଥାନା ଆଗରେ ଧାରଣାରେ ବସିବା ଭଳି ଘଟଣା ସୋମବାର ରାତି ୯ ରେ ଦେଖିବାକୁ ମିଳିଛି। ଗ୍ରାମବାସୀଙ୍କ ଜିଦ୍ ନାବାଳକ ସୋନୁକୁ ଅପ୍ରେଲ ୭ ରେ ନର୍ଲା ପୋଲିସ ଯେଉଁଭଳି ସୁସ୍ଥ ଅବସ୍ଥାରେ ଥାନାକୁ ଆଣିଥିଲା। ସେହିଭଳି ସୁସ୍ଥ ବାଳକ ଭାବରେ ବିଦାୟ ଦେଉ ନର୍ଲା ପୋଲିସ। ନହେଲେ ଥାନା ଆଗରେ ସାରା ରାତି ଧାରଣାରେ ବସିବୁ। ଆମକୁ ନ୍ୟାୟ ଦରକାର ବୋଲି ଅଡି ବସିଛନ୍ତି ଗ୍ରାମବାସୀ। ଖବରରୁ ଜଣାପଡିଛିଯେ ଗତ ୪ ଅପ୍ରେଲରେ ପାଣିମୁଣ୍ଡା ଗ୍ରାମରେ ୧୬ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା। ଏହା ୪ ଓ ୫ ତାରିଖ ଦୁଇଦିନ ଧରି ଚାଲିବା ପରେ ୬ ତାରିଖ ସକାଳେ ପୂର୍ଣ୍ଣାହୂତି ପଡିଲା। ଏପ୍ରିଲ ୭ ତାରିଖ ଗ୍ରାମର ଏକ ପରିତ୍ୟକ୍ତ କୂଅରୁ କାମଠଣା ବାମନପଡାର ଗୌରାଙ୍ଗ ମାଝୀ ନାମକ ଯୁବକଙ୍କ ମୃତଦେହ ଦେଖି ଗ୍ରାମର କିଛି ଯୁବକ ପୋଲିସକୁ ଫୋନ କରିଥିଲେ।

ପୋଲିସ ମୃତ ଯୁବକଙ୍କ ଗଲିତ ଶବକୁ କୂଅରୁ ଉଦ୍ଧାର କରି ତଦନ୍ତ ଆରମ୍ଭ କଲା। ଏହା ଏକ ପ୍ରେମ ଜନିତ ହତ୍ୟାକାଣ୍ଡ ବୋଲି ପୋଲିସ ଜାଣିବା ପରେ ଖଇରମାଳର ଅଭିଯୁକ୍ତ ଝିଅ ସମେତ ଗ୍ରାମର ୧୮ ଜଣ ଯୁବକଙ୍କୁ ଥାନାରେ ଅଟକ ରଖି ପଚରା ଉଚୁରା କରିଥିଲା। ସେଥି ମଧ୍ୟରୁ ଅଭିଯୁକ୍ତ ଝିଅ ସମେତ ୧୧ ଜଣଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ୭ ଜଣ ସନ୍ଦିଗ୍ଧଙ୍କୁ ନିଶାଣପୁର ଗ୍ରାମ ପଞ୍ଚାୟତର ନାଏବ ସରପଞ୍ଚ ନବ ଗଉଡଙ୍କ ଜିମାରେ ଛାଡି ଦେଇଥିଲା। ହେଲେ ୭ ଜଣଙ୍କ ମଧ୍ୟରେ ରହିଥିବା ନାବାଳକ ସୋନୁ ଗଉଡ(୧୭) ଗୁରୁତର ହୋଇ ପଡିଥିଲେ। ତାଙ୍କ ବାପା ଛିନୁ ଗଉଡ ସୋନୁକୁ ବାରମ୍ବାର ପଚାରିବାରୁ ପୋଲିସ ନିର୍ଧୁମ ମାଡ ମାରିଥିବା ପ୍ରକାଶ କରିଥିଲେ। ସୋନୁର ବାପା ଛିନୁ ଜଣେ ମୂଲିଆ। ପରଘରେ କାମ କଲେ ଚୁଳି ଜଳେ। ସେ ଭବାନୀପାଣା ସମେତ ଅନ୍ୟାନ୍ୟ ମେଡିକାଲ ନେଇ ନୟାନ୍ତ ହୋଇ ପଡିଲେ ହେଲେ ସୋନୁ ଆଉ ଭଲ ହୋଇ ପାରୁନି। ଅଣ୍ଟାରୁ ତଳକୁ ଅଚଳ ହୋଇ ପଡିଛି। ଯମ ଯନ୍ତ୍ରଣା ସହ ନିସ୍ତେଜ ହୋଇ କାଠ ଗଣ୍ଡି ଭଳି ପଡି ରହୁଛି। ଜଣେ ନିର୍ଦ୍ଦୋଶ ନାବାଳକ ପ୍ରତି ଏହା ପୋଲିସର ଅମାନବିକ ଅତ୍ୟାଚାର ବୋଲି ଗ୍ରାମବାସୀ ପ୍ରକାଶ କରିବା ସହ ଆଉ ମୋର ଦମ୍ଭ ନାହିଁ ମୋ ପୁଅ ସୋନୁର ଚିକିତ୍ସା ଖର୍ଚ୍ଚ ଉଠାଇବା ପାଇଁ ବୋଲି ସୋନୁର ବାପା କହୁଥିବା ବେଳେ ସୋନୁର ଗରୀବ ବାପା ମା ଙ୍କ ସମେତ ୭୦ ରୁ ଉର୍ଦ୍ଧ୍ୱ ଗ୍ରାମବାସୀ ନାବାଳକ ମୁମୁର୍ଷୁ ସୋନୁକୁ ଅଟୋ ଯୋଗେ ଆଣି ନର୍ଲା ଥାନା ବାରଣ୍ଡାରେ ସୁଆଇ ସୋନୁକୁ ୭ ତାରିଖ ପୋଲିସ ଯେମିତି ସୁସ୍ଥ ଭାବରେ ଆଣିଥିଲା ସେମିତି ସୁସ୍ଥ କରି ଛାଡୁ। ନହେଲେ ଆମେ ଥାନା ଛାଡିବୁ ନାହିଁ ବୋଲି ଯିଦରେ ଅଡିବସିଥିବା ଦେଖିବାକୁ ମିଳିଛି। ମୃତ ଯୁବକ ଗୌରାଙ୍ଗ ମାଝୀଙ୍କ ପରିବାର ଅଭିଯୋଗ ଆଣିଥିବା ଝିଅର ଭାଇ ସମେତ ଚାରିଜଣ ପ୍ରକୃତ ଖୁନି ଆସାମୀକୁ ଛାଡି ବିନା ତଦନ୍ତରେ ଗାଁ ସାରାର ଯୁବକଙ୍କୁ ଥାନାକୁ ଆଣି ହଇରାଣ କରୁଥିବା ମତବ୍ୟକ୍ତ କରୁଛନ୍ତି।

ଅନ୍ୟ ପକ୍ଷେ ନର୍ଲା ଆଇଆଇସି ବିଜୟରାଜ ମାଝୀଙ୍କ ମତାମତ ନେବାରୁ ଏହି ନାବାଳକ ସୋନୁକୁ ନର୍ଲା ଥାନାକୁ କେବେ ଅଣାଯାଇ ନାହିଁ। ମୁଁ ପ୍ରଥମ କରି ଏହି ପିଲାକୁ ଦେଖୁଛି ବୋଲି କହିଥିବା ବେଳେ। ନିଶାଣପୁର ନାଏବ ସରପଞ୍ଚ କିନ୍ତୁ ଥାନାକୁ ୭ ଜଣଙ୍କ ମଧ୍ୟରେ ଏହି ନାବାଳକ ସୋନୁକୁ ମଧ୍ୟ ବ୍ୟକ୍ତିଗତ ଜିମାରେ ନେଇଥିବା ପ୍ରକାଶ କରିଛନ୍ତି। ସମବେତ ଗ୍ରାମବାସୀଙ୍କ ଗୋଟିଏ ଯିଦ୍ ଆମକୁ ନ୍ୟାୟ ଦରକାର। ନିର୍ଦ୍ଦୋଶ ସୋନୁ ପୋଲିସ ମରଣାନ୍ତକ ବାଡେଇଛି। ତାକୁ ପ୍ରଥମେ ଚିକିତ୍ସା କରି ସୁସ୍ଥ କରୁ ତାହେଲେ ହିଁ ଆମେ ଥାନା ଆଗରୁ ଉଠିବୁ ବୋଲି ଜିଦ୍ ରେ ଅଟଳ ରହିଛନ୍ତି। ବର୍ତ୍ତମାନ ଘଟଣାକୁ ଗମ୍ଭୀରତାର ସହ ନେଇ କେସିଙ୍ଗା ଏସଡିପିଓ ସମ୍ବିତ ମାଝୀ ଆସି ପହଞ୍ଚିଛନ୍ତି ନର୍ଲା ଥାନାରେ। ସେ କଣ ବିଚାର କରୁଛନ୍ତି ଓ କିଭଳି ନ୍ୟାୟ ପ୍ରଦାନ କରୁଛନ୍ତି ଦେଖିବାକୁ ବାକି ରହିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.