କବି କେବେ ନିଜଠୁ ନିଜେ ଅଲଗା ହୋଇପାରେନା
ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଓଡ଼ିଶାର ଜଣେ ଲବ୍ଧପ୍ରତିଷ୍ଠ କବି ଭାବେ ସ୍ଵୀକୃତ ଶ୍ରୀଦେବଙ୍କ ତମାମ ଜୀବନର ସାରସ୍ୱତ ତଥା ସାଙ୍ଗଠନିକ କୃତିକୁ ନେଇ ଓଡ଼ିଆ ଭାଷା ବିକାଶ ଆନ୍ଦୋଳନ (ଓବିବିଏ) ପକ୍ଷରୁ ଏକ ଅଭିନବ କାର୍ଯ୍ୟକ୍ରମ ‘ଧାଅଁ ଧାଅଁ ହେ ଶ୍ରୀଦେବ’ ସ୍ଥାନୀୟ ସ୍ରଷ୍ଟା ନାଟ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।ଓବିବିଏର ସଭାପତି ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦ ଏହି କାର୍ଯ୍ୟକ୍ରମକୁ ପୌରୋହିତ୍ୟ କରି କହିଲେ ଯେ କବି କେବେ ନିଜଠୁ ନିଜକୁ ଅଲଗା କରିପାରେନା। ତାହା କଲେ ତା’ର ସାରସ୍ୱତ ସାଧନାରେ ବିଚ୍ୟୁତି ଘଟେ। କବି ଶ୍ରୀଦେବ ଦୀର୍ଘ ପାଞ୍ଚ ଦଶନ୍ଧି ଧରି କେବଳ ବାଣୀସାଧନାରେ ବୁଡ଼ି ରହି ନିଜ ସହ ଆମ ସମସ୍ତଙ୍କୁ ରାଜ୍ୟସ୍ତରରେ ଗୌରବାନ୍ୱିତ କରିଛନ୍ତି। ଗାଳ୍ପିକ ନିବାରଣ ଜେନା କବିଙ୍କ ଜୀବନୀ ସଂପର୍କରେ ଆଲୋଚନା କରିଥିବାବେଳେ କବି ପ୍ରଶାନ୍ତ ଦାସ ତାଙ୍କ ସାଙ୍ଗଠନିକ ଦକ୍ଷତା ସଂପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ।
ଶ୍ରୀଦେବଙ୍କ ସାରସ୍ୱତ ସାଧନାର ଦୀର୍ଘ ଓ ସଫଳ ଯାତ୍ରା ସଂପର୍କରେ କବି ଦୀପକ ବୋଷ ମଧ୍ୟ ବକ୍ତବ୍ୟ ରଖିଥିଲେ। ଓବିବିଏର ସାଧାରଣ ସଂପାଦକ ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀଙ୍କ ରଚିତ ଏକ କ୍ଷୁଦ୍ର ନାଟିକାରେ ପଣ୍ଡିତ ସଂଜୟ କୁମାର ପଣ୍ଡା, ଡକ୍ଟର ଲକ୍ଷ୍ମଣ ଚରଣ ବିଶ୍ୱାଳ ଓ ଜୁମରନାଥ ପାତ୍ର ଜୀବନ୍ତ ଅଭିନୟ କରି ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ। ନାଟକରେ କଲ୍ୟାଣୀ ନନ୍ଦ ସଙ୍ଗୀତ ପରିବେଷଣ କରିଥିବା ବେଳେ ପ୍ରଫୁଲ୍ଲ କୁମାର ମହାପାତ୍ର ସ୍ମାରକ ଦାୟିତ୍ୱ ତୁଲାଇଥିଲେ।
ଏହି ଅବସରରେ କବି ଶ୍ରୀଦେବ ଓ କବିପତ୍ନୀ ବିପାଶାଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା। ସମ୍ବର୍ଦ୍ଧନା ଉତ୍ତରରେ କବି ଶ୍ରୀଦେବ କହିଲେ ଯେ ସାହିତ୍ୟ ସାଧନାକୁ ସେ ଜୀବନର ବ୍ରତ ଭାବରେ ଗ୍ରହଣ କରି ନେଇଛନ୍ତି। ସେଥିପାଇଁ ତାଙ୍କୁ ନାନା ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବା ସହ ପରିବାରକୁ ମଧ୍ୟ ଉପେକ୍ଷା କରିବାକୁ ପଡ଼ିଛି। କବିପତ୍ନୀ ବିପାଶା କବିଙ୍କୁ ଜଣେ ଅତ୍ୟନ୍ତ ଧୈର୍ଯ୍ୟଶୀଳ ମଣିଷ ଭାବେ ଚିତ୍ରଣ କରିବା ସହିତ ତାଙ୍କ ପାଇଁ ତାଙ୍କ ପରିବାର ଗର୍ବ କରେ ବୋଲି କହିଥିଲେ। ଯୁଗ୍ମ ସଂପାଦକ ଜୁମରନାଥ ପାତ୍ର ମଞ୍ଚ ଆବାହନ କରିଥିବା ବେଳେ ଅନ୍ୟତମ ଯୁଗ୍ମ ସଂପାଦକ ଶାନ୍ତିଲତା ପଣ୍ଡା କବିତାରେ ଧନ୍ୟବାଦ ଅର୍ପଣ କରିଥିଲେ।
ଏହି ଉତ୍ସବରେ ଡକ୍ଟର ଶିରୀଶଚନ୍ଦ୍ର ଜେନା, ନିରଂଜନ ରାଉତ, ତପନ ରାୟ, ଡକ୍ଟର ରମାକାନ୍ତ ନାୟକ, ଅଞ୍ଜଳି ପଣ୍ଡା, ଗଗନ ଦଳେଇ, ପଦ୍ମଲୋଚନ ପ୍ରଧାନ, ଡକ୍ଟର ହେମମାଳା ଦାଶ, କମଳିନୀ ଦାସ, ହେମେନ୍ଦ୍ର ମହାପାତ୍ର, ଜୟନ୍ତୀ ବେହେରା, ଡକ୍ଟର ଅଶ୍ୱିନୀ କୁମାର ଶତପଥୀ, ରମାକାନ୍ତ ମହାନ୍ତି, ବେଣୁଧର ସାହୁ, ଅର୍ଚ୍ଚନା କର, ଊର୍ମିଳା ନାୟକ, ସ୍ମୃତି ଦାସ, ମମତା ମହାନ୍ତି, ମହେନ୍ଦ୍ର ପ୍ରସାଦ ପାଣିଗ୍ରାହୀ, ଦିଲ୍ଲୀପ ଚକ୍ରବର୍ତ୍ତୀ, ପଦ୍ମଲୋଚନ ଦତ୍ତ, ପ୍ରଭାକର ସାହୁ, କରୁଣାକର ସ, ମାମିନା ମହାପାତ୍ର, ଗୀତାଞ୍ଜଳି ଶତପଥୀ, ମହେନ୍ଦ୍ର ପୃଥାଳ, ତପନ କୁମାର ପଣ୍ଡା, ମଧୁସୂଦନ ମାଝୀ ପ୍ରମୁଖ ବହୁ ସାହିତ୍ୟିକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।





