ଓଡ଼ିଆ ବାର୍ତ୍ତା/ ଗଜପତି (ଗଣେଶ କୁମାର ରାଜୁ): ଆଜି ଗଜପତି ଜିଲ୍ଲା ମୁଖ୍ୟାଳୟ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷ ଠାରେ ବିଶ୍ଵ ରେଡ କ୍ରସ୍ ଦିବସ ପାଳିତ ହୋଇଯାଇଛି। ମାନବବାଦି ସମାଜସେବକ ଜନ୍ ହେନେରୀ ଡ୍ୟୁରାଣ୍ଟ ଙ୍କ ସମ୍ମାନରେ ତାଙ୍କ ଜନ୍ମଦିବସରେ ପ୍ରତି ବର୍ଷ ମଇ ଆଠ ତାରିଖରେ ବିଶ୍ବ ରେଡ କ୍ରସ୍ ଦିବସ ପାଳନ କରା ଯାଇଥାଏ। ଏହି ଅବସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମୁନୀନ୍ଦ୍ର ହୋନ୍ନାଗା ଯୋଗ ଦେଇ ରେଡ କ୍ରସ୍ ସଂଗଠନ ର ମହତ୍ତ୍ଵ ଓ ସମାଜ’ର ପୁନରୁଦ୍ଧାର ରେ ତା’ର ଭୂମିକା ବିଷୟରେ ନିଜର ଅଭିଭାଷଣ ପ୍ରସ୍ତୁତ କରି “ଆଜିର ଏହି ଯୁଦ୍ଧ ବିଭୀଷିକା ଦୁନିଆ ମଧ୍ୟରେ ରେଡ୍ କ୍ରସ ଶତ୍ରୁ-ମିତ୍ର ର ଭେଦ ଭାବରୁ ଉର୍ଦ୍ଧ୍ଵ କୁ ଯାଇ ମାନବ କଲ୍ୟାଣ ନିମନ୍ତେ ନିଃସ୍ୱାର୍ଥପର ଭାବରେ କାର୍ଯ୍ୟରତ” ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବରେ ଉପଖଣ୍ଡ ପୋଲିସ ଅଧିକାରୀ ପାରଳାଖେମୁଣ୍ଡି ଶ୍ରୀ ମାଧବା ନନ୍ଦ ନାୟକ ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ ତ୍ରିପାଠୀ ମଞ୍ଚାସୀନ ହୋଇ ନିଜ ନିଜର ବକ୍ତବ୍ୟ ରଖିଥିଲେ। ସଭା ପରିଚାଳନା ଦାୟୀତ୍ବରେ ଡେପ୍ୟୁଟି କଲେକ୍ଟର ଏମର୍ଜେନ୍ସୀ ଶ୍ରୀ ବିନାୟକ ଚନ୍ଦ୍ର ରାଉଳ ଉପସ୍ଥିତ ରହି ଜିଲ୍ଲା ରେଡ କ୍ରସ୍ ବିଷୟ ରେ ଅନେକ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ । ମୁଖ୍ୟତଃ ଭାବେ ବିଗତ ବର୍ଷରେ ଜିଲ୍ଲାରୁ ମୋଟ ୨୬,୫୩,୮୩୦ ଟଙ୍କା ରେଡ କ୍ରସ୍ ପାଣ୍ଠି ପାଇଁ ସଂଗୃହିତ ହୋଇଥିଲା । ଏହି ପାଣ୍ଠିକୁ ସର୍ବାଧିକ ୧୬,୬୩,୮୫୦ ଟଙ୍କାର ଅନୁଦାନ କରିଥିବାରୁ ଆର୍:ଟି:ଓ: ବିଭାଗକୁ ପୁରସ୍କୃତ କରା ଯାଇଥିଲା । ସେହିଭଳି ସର୍ବାଧିକ ରକ୍ତ ଦାନ ପାଇଁ ସରକାରୀ ଏସ:ଏସ:ଡି: ଉଚ୍ଚ ବିଦ୍ୟାଳୟ ମୋହନା କୁ ମଧ୍ୟ ପୁରସ୍କୃତ କରା ଯାଇଥିଲା । ଗତ ଅପ୍ରେଲ ମାସ ଓଡ଼ିଆ ପକ୍ଷରେ ଅନୁଷ୍ଠିତ ହୋଇଥିବା ରକ୍ତଦାନ ଶିବିରରେ ରକ୍ତଦାନ କରିଥିବା ସମସ୍ତଙ୍କୁ ଏହି କାର୍ଯ୍ୟକ୍ରମ ଅବସରରେ ପ୍ରମାଣପତ୍ର ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରା ଯାଇଥିଲା । ଏ ବର୍ଷର ପ୍ରସଙ୍ଗ ‘ମାନବତାରେ ଏକତା’ କୁ ସମସ୍ତ ବକ୍ତା ନିଜ ନିଜ ଅନୁସାରେ ସୁନ୍ଦର ଭାବରେ ବ୍ୟାଖ୍ୟାନ କରିଥିଲେ । ସମାଜ ମଙ୍ଗଳ ପାଇଁ ରେଡ କ୍ରସ୍ ସହ ଯୋଡ଼ି ହେବା ପାଇଁ ମୁଖ୍ୟ ଅତିଥି ସମସ୍ତ ଜିଲ୍ଲା ବାସୀଙ୍କୁ ଆହ୍ବାନ କରିଥିଲେ । ଉକ୍ତ ବୈଠକରେ ଜିଲ୍ଲାଧିକାରୀଗଣ, ଜିଲ୍ଲାର ସମାଜସେବୀ ଓ ବୁଦ୍ଧିଜୀବୀ ଏବଂ ଗଣମାଧ୍ୟମ ପ୍ରତିନିଧି ପ୍ରମୁଖ ଉପସ୍ଥିତ ରହି କାର୍ଯକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ।





