ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ମାଁ ମାଣିକେଶ୍ଵରୀ ବିଶ୍ବବିଦ୍ୟାଳୟ ଆନୁକୁଲ୍ୟରେ ପ୍ରେରଣାଦାୟୀ ନିରବଚ୍ଛିନ୍ନ ବକୃତାମାଳା “ଉତ୍ତିଷ୍ଠତ” ର ୨୬୧ତମ ଅଧ୍ୟାୟ ଅନୁଷ୍ଠିତ ହୋଇଯାଇଛି। ବିଶ୍ଵ ରେଡକ୍ରସ୍ ଦିବସ ପାଳନ ଉପଲକ୍ଷେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୁଳପତି ପ୍ରଫେସର ପବନ କୁମାର ଅଗ୍ରୱାଲଙ୍କ ପ୍ରେରଣାରେ ଆୟୋଜିତ ଆଲୋଚନାଚକ୍ରରେ ନିମନ୍ତ୍ରିତ ବକ୍ତା ଭାବେ ଯୁବ ରେଡକ୍ରସ୍ ର ରାଜ୍ୟ ସଂଯୋଜକ ଅଧ୍ୟାପକ ଗୋପାଳ କୃଷ୍ଣ ମିଶ୍ର ଯୋଗଦେଇ ଚଳିତ ବର୍ଷର ରେଡକ୍ରସ୍ ଦିବସର ବାର୍ତ୍ତା “ମାନବିକତା ପାଇଁ ଏକତା” ବିଷୟରେ ଆଲୋକପାତ କରିବା ସହ ରାଜ୍ୟ ଯୁବ ରେଡକ୍ରସ୍ ରେ କଳାହାଣ୍ଡି ଜିଲ୍ଲାର ଉଲ୍ଲେଖନୀୟ କାର୍ଯ୍ୟଧାରା ପାଇଁ ପ୍ରଶଂସା କରିଥିଲେ। ଆବାହକ ମେଜର ଡ. ଜୟଦେବ ସାହୁଙ୍କ ଆବାହକତ୍ବରେ ଆୟୋଜିତ ଏହି ଆଭାସୀ ବକୃତା ମାଳାରେ ଜିଲ୍ଳା ଯୁବ ରେଡକ୍ରସ ସଂଯୋଜକ ଅଧ୍ୟାପକ ଶାନ୍ତନୁ କୁମାର ପରିଡ଼ା ସ୍ବାଗତ ଅଭିଭାଷଣ ଓ ନିମନ୍ତ୍ରିତ ବକ୍ତାଙ୍କ ପରିଚୟ ପ୍ରଦାନ କରିଥିଲେ। ଯୁବ ରେଡକ୍ରସ୍ ପରାମର୍ଶଦାତା ମୋହନ ଚରଣ ବିଷି କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ଜିଲ୍ଲା ଯୁବ ରେଡକ୍ରସ୍ ଆବାହକ ସଂପାଦକ ସଂଜିବ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ତଥା ସମଗ୍ର ରାଜ୍ୟରୁ ଅନେକ ବୁଦ୍ଧିଜୀବୀ,ବିଭିନ୍ନ ମହାବିଦ୍ୟାଳୟର ଅଧ୍ୟକ୍ଷ , ଅଧ୍ୟାପକ, ଅଧ୍ୟାପିକା ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ।





