ବାଲେଶ୍ଵରର ଗୀତିକାର ଗୋପୀନାଥ ବାରିକଙ୍କ ଆଉ ଏକ ଉପକ୍ରମ
ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): କୋଟି ଓଡ଼ିଆଙ୍କ ଆରାଧ୍ୟ ଦେବତା କଳାଠାକୁର ଶ୍ରୀଜଗନ୍ନାଥଙ୍କ ମହିମା ପ୍ରଚାର ଉଦ୍ଦେଶ୍ୟରେ ଗୀତିକାର ଶ୍ରୀ ଗୋପୀନାଥ ବାରିକଙ୍କ ରଚନା ଏବଂ ଜଣାଶୁଣା କଣ୍ଠଶିଳ୍ପୀ ଶ୍ରୀ ଜୟଦେବ ମିଶ୍ରଙ୍କ କଣ୍ଠଦାନରେ ଏକ ନୂତନ ଭକ୍ତିଗୀତ ‘ଜଗାରେ ଜଗାରେ’ ଆଜି ଲୋକାର୍ପିତ ହୋଇଯାଇଛି। “ନୀଳାଦ୍ରି ନାଥଙ୍କ ନୀଳ ଚକ୍ର ଚାହିଁ, ଭକ୍ତର ହୃଦୟ ଉଛୁଳି ପଡ଼ଇ” ପଂକ୍ତିରୁ ଆରମ୍ଭ ହୋଇଥିବା ଏହି ଭାବପୂର୍ଣ୍ଣ ଭଜନଟି ଶବ୍ଦ ଓ ସ୍ୱରର ଅପୂର୍ବ ସମନ୍ୱୟରେ ପ୍ରସ୍ତୁତ। ଏହା ଶ୍ରୋତାଙ୍କୁ ଭକ୍ତିର ଏକ ନିଆରା ଅନୁଭୂତି ପ୍ରଦାନ କରିବ ବୋଲି ଆଶା କରାଯାଉଛି। ଯୁଗ ଯୁଗ ଧରି ମହାପ୍ରଭୁଙ୍କୁ ନେଇ ଅସଂଖ୍ୟ ଗୀତ ଓ କବିତା ରଚନା ହୋଇ ଆସୁଛି ଯାହା ଭକ୍ତ ହୃଦୟକୁ ଆନ୍ଦୋଳିତ କରିଥାଏ। ବାଲେଶ୍ୱରର ଗୀତିକାର ଶ୍ରୀ ବାରିକ ଓ ଶ୍ରୀ ମିଶ୍ରଙ୍କ ଏହି ‘ଜଗାରେ ଜଗାରେ’ ସେହି ପରମ୍ପରାର ଏକ କ୍ଷୁଦ୍ର ଭକ୍ତି ନୈବେଦ୍ୟ। ଏହି ଅବସରରେ ସମସ୍ତ ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁଙ୍କୁ ଭଜନଟି ଶୁଣିବା ସହ ନିଜର ମୂଲ୍ୟବାନ ମତାମତ ପ୍ରଦାନ କରିବାକୁ ଏବଂ ଅନ୍ୟମାନଙ୍କ ସହ ସେୟାର କରିବାକୁ ନିବେଦନ କରାଯାଇଛି।





