ଅନୁଷ୍ଠିତ ହେଲା କବିତା ପାଠ, ପ୍ରତିଭା ସମ୍ମାନ, ସାଂସ୍କୃତିକ କାର୍ଯ୍ୟକ୍ରମ
ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ସ୍ଥାନୀୟ ଗାନ୍ଧୀସ୍ମୃତି ଭବନ ପରିସରରେ ବାଲେଶ୍ୱରରୁ ନିୟମିତ ପ୍ରକାଶିତ ପାଉଥିବା ମାସିକ ସମ୍ବାଦଭିତ୍ତିକ ପତ୍ରିକା ‘ସମୟର ଚକ୍ର’ର ୧୫ତମ ବାର୍ଷିକଉତ୍ସବ ଓ କବିତା ପାଠ, ପ୍ରତିଭା ସମ୍ମାନ, ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି। ସାହିତ୍ୟ ବିନା ସମ୍ବାଦ ପତ୍ର ପ୍ରତିଷ୍ଠା ଲାଭ କରିପାରିବ ନାହିଁ । ସତ୍ୟ ସମ୍ବାଦ ପରିବେଷଣରେ ଅନେକ ସଂକଟ ଅଛି ହେଲେ ମିଛ ସିଂହାସନରେ ବସାଇ କାହାକୁ ରାଜା କରା ଯାଇପାରେନା। ପ୍ରତ୍ୟେକ ମଣିଷର ଜୀବନ ସମ୍ବାଦପତ୍ରର ଖୋଲାପୃଷ୍ଠା ପରି। ସେଥିରେ ଏପରି ସ୍ୱାକ୍ଷର ଛାଡ଼ିଯିବା ଯାହାକୁ ପଢ଼ି ଉତ୍ତର ସାଧକମାନେ ଜୀବନ ଜିଇଁବାର କଳା ଶିଖିପାରିବେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ। ଅତିଥି ମାନେ ଆହୁରି କହିଲେ ଯେ ‘ସମୟର ଚକ୍ର’ କେବଳ ପତ୍ରିକା ଭାବରେ ନୁହେଁ ସାମାଜିକ କାର୍ଯ୍ୟ, ପ୍ରତିଭା ସମ୍ମାନ, ସଂସ୍କୃତି ତଥା ଆଂଚଳିକ ବିକାଶ କ୍ଷେତ୍ରରେ ବିଭିନ୍ନ ସାମାଜିକ ଅନୁଷ୍ଠାନ ସହିତ ସାମିଲ ହୋଇ ବିକଶିତ ସମାଜ ଗଠନ ଦିଗରେ ନିଜକୁ ପ୍ରତିପାଦିତ କରିପାରିଛି।
ଏଥିରେ ସହ ସମ୍ପାଦିକା ସତ୍ୟଭାମା ଜେନା ମଞ୍ଚ ଆହ୍ୱାନ କରିଥିବା ବେଳେ ଅଧ୍ୟାପକ ଡକ୍ଟର ଅଶ୍ୱିନୀ କୁମାର ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ।ସମାଜସେବୀ କବି ଅଭୟ ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲେଶ୍ୱର ସାଂସଦ ପ୍ରତାପଚନ୍ଦ୍ର ଷଡଙ୍ଗୀ, ମୁଖ୍ୟବକ୍ତା ଭାବେ ରାଜ୍ୟ ମହିଳା କମିଶନ୍ ଅଧ୍ୟକ୍ଷା ଶୋଭନା ମହାନ୍ତି, ବରେଣ୍ୟ ଅତିଥି ଭାବେ ବସ୍ତା ବିଧାୟିକା ଶ୍ରୀମତୀ ସୁବାସିନୀ ଜେନା, ଯୁବନେତା ବିକ୍ରମ ପଣ୍ଡା, ଶିକ୍ଷାବିତ୍ ଡକ୍ଟର ପଙ୍କଜ କୁମାର ଜେନା, ସମାଜସେବୀ ଗଙ୍ଗାଧର ଜେନା, ଡକ୍ଟର କାଳିକିଙ୍କର ଦାସ, କବି ନିରୋଦ ସୁନ୍ଦର ଜେନା ପ୍ରମୁଖ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ସଂପାଦକ ସର୍ବେଶ୍ୱର ଜେନା ଅତିଥି ପରିଚୟ ପ୍ରଦାନ କରିବା ସହ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଏହି ଅବସରରେ ଉଲ୍ଲେଖନୀୟ ଅବଦାନ ପାଇଁ ୨୩ ଜଣ ପ୍ରତିଭାଧରଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯିବା ସହିତ ‘ସମୟର ଚକ୍ର’ର ବାର୍ଷିକ ବିଶେଷାଙ୍କ ଲୋକାର୍ପିତ ହୋଇଥିଲା।

ପ୍ରଥମ ଅଧିବେଶନରେ କବିତା ପାଠ ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା। ଏହାକୁ ଗାଳ୍ପିକ ଶାନ୍ତନୁ ପଟ୍ଟନାୟକ ପରିଚାଳନା କରିଥିବା ବେଳେ ବରିଷ୍ଠ ସାହିତ୍ୟିକ କବି ବ୍ରଜେନ୍ଦ୍ରନାଥ ଗିରି ସଭାପତିତ୍ୱ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଉଦଳା ଏନ.ଏ.ସି. ଚେୟାରମ୍ୟାନ କବି ପ୍ରମିଳା ପଣ୍ଡା। ମୁଖ୍ୟବକ୍ତା ଭାବେ ଫକୀରମୋହନ ସାହିତ୍ୟ ପରିଷଦର ସଂପାଦକ ଡକ୍ଟର ରତ୍ନାକର ସିଂହ, ବରେଣ୍ୟ ଅତିଥି ଭାବେ ସମାଜସେବୀ ପ୍ରତିମା ପଣ୍ଡା, କବି କଲ୍ୟାଣୀ ନନ୍ଦ, ଭଗବାନ ଦାସ ଖଣ୍ଡେଲୱାଲ, ଶିକ୍ଷାବିତ୍ ପୂର୍ଣ୍ଣଚନ୍ଦ୍ର ବିନ୍ଧାଣୀ, କବି ହାଡିବନ୍ଧୁ ପାତ୍ର, ସମାଜସେବୀ ସୁଶାନ୍ତ କର ପ୍ରମୁଖ ଯୋଗ ଦେଇ ବାଲେଶ୍ୱରର ଏହି ପତ୍ରିକା ଆଗାମୀ ଦିନରେ ଅଧିକ ସମ୍ପ୍ରସାରିତ ହେଉ ବୋଲି ପରାମର୍ଶ ଦେଇଥିଲେ। ଏହି ଅବସରରେ ୨୫ରୁ ଉର୍ଦ୍ଧ୍ୱ କବି କବିତା ପାଠ କରିଥିଲେ। ଉଦଯାପନୀ ଉତ୍ସବ ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନୋଜ କୁମାର ନାୟକ ପରିଚାଳନା କରିଥିଲେ। ଏଥିରେ ସମାଜସେବୀ ସୋମନାଥ ବିଶ୍ୱାଳ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ଭାବରେ ରେମୁଣା ବ୍ଳକ ଚେୟାରମ୍ୟାନ ରାଜେନ୍ଦ୍ର କୁମାର ରାଉତ, ମୁଖ୍ୟବକ୍ତା ଭାବରେ ସମାଜସେବୀ ଶ୍ରଦ୍ଧାଞ୍ଜଳି ରାୟ, ବରେଣ୍ୟ ଅତିଥି ଭାବେ ସମାଜସେବୀ ବିକାଶ ପାଢୀ, ସମାଜସେବୀ ସିମନ ଦାସ ମହାପାତ୍ର, ସତେନ୍ଦ୍ର ଦାସ, ଲୁଲୁମିନତୀ ସେଠୀ, ରତିକାନ୍ତ ଦାସ, ପ୍ରହ୍ଲାଦ କୁମାର ଦାସ ପ୍ରମୁଖ ଯୋଗଦାନ କରି କୁନି କୁନି ପିଲାମାନଙ୍କ ମନୋବଳ ଦୃଢ କରିବା ସହ ସେମାନଙ୍କୁ ପୁରସ୍କୃତ କରି ଉତ୍ସାହିତ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସୁସଙ୍ଗମ ଜେନା, ଲଲାଟେନ୍ଦୁ ପଟ୍ଟନାୟକ, ଅଭୟ ସାହୁ, ମନୋଜ ମୁଖୀ, ସଂଗୀତ ନିର୍ଦ୍ଦେଶକ ଅମରେଶ ପାତ୍ର ପ୍ରମୁଖ ସହଯୋଗ କରିଥିଲେ । କୁନି କଣ୍ଠଶିଳ୍ପୀ ସୁହାନି ସାଈ ଜେନା ସ୍ୱାଗତ ସଂଗୀତ ଓ ନନ୍ଦିକା ବିଶ୍ୱାଳ ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ। ଶେଷରେ କୁନି କଣ୍ଠଶିଳ୍ପୀ ରିତୀକା ମହାପାତ୍ରଙ୍କ ସଂଗୀତରେ ଦର୍ଶକ ଝୁମିଥିଲେ।





