ଚାଷୀ ଆନ୍ଦୋଳନର ପ୍ରଭାବ ନାଁ ଅନ୍ୟ କିଛି ? : କୋକସରାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ସ୍ଥଗିତ !

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଳକ କାର୍ଯ୍ୟାଳୟଠାରେ ଆସନ୍ତା ୧୮ ତାରିଖରେ ହେବାକୁ ଥିବା ବ୍ଳକସ୍ତରୀୟ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ହଠାତ୍ ବାତିଲ ହୋଇଛି। ଯାହାକୁ ନେଇ ଅନେକ ଚର୍ଚ୍ଚା ଆଲୋଚନା ହେଉଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଚିଠି ନମ୍ବର ନମ୍ବର ୧୧୬୯ ଅନୁସାରେ ୧୮.୦୫.୨୦୨୬ ତାରିଖରେ କୋକସରା ବ୍ଲକ ମୁଖ୍ୟାଳୟରେ ଅନୁଷ୍ଠିତ ହେବାକୁ ଥିବା ଜନ ଅଭିଯୋଗର ପରବର୍ତ୍ତୀ ମିଳିତ ଶୁଣାଣି ବାତିଲ କରାଯାଇଛି। ଅନିବାର୍ଯ୍ୟ ପ୍ରଶାସନିକ କାରଣ ହେତୁ ୧୮.୦୫.୨୦୨୬ ତାରିଖରେ କଳାହାଣ୍ଡିର କଲେକ୍ଟରେଟ୍ ସମ୍ମିଳନୀ କକ୍ଷରେ ଜିଲ୍ଲା ମୁଖ୍ୟାଳୟରେ ଅନୁଷ୍ଠିତ ହେବା ପାଇଁ ଏହାକୁ ପୁନଃନିର୍ଦ୍ଧାରିତ କରାଯାଇଛି। ଅନ୍ୟପଟେ ଜନ ଶୁଣାଣି ସରକାରୀ ପୋର୍ଟାଲରେ ମଧ୍ୟ ଶିବର ବାତିଲ ହୋଇଥିବା ନେଇ ଉପଲବ୍ଧ କରାଯାଇଛି।‌ ହଠାତ୍ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ବାତିଲ ହେବା ପରେ ଚାଷୀ ଆନ୍ଦୋଳନର ଭୟ ନାଁ ଅନ୍ୟ କୌଣସି କାରଣ ବୋଲି ଚର୍ଚ୍ଚା ହେଉଛି। ଏପଟେ ଆନ୍ଦୋଳନରତ ଚାଷୀମାନେ ଅଭିଯୋଗ ଶୁଣାଣି ବନ୍ଦ ହୋଇପାରେ, କିନ୍ତୁ ଚାଷୀଙ୍କ ସ୍ୱର ନୁହେଁ ବୋଲି କହିଛନ୍ତି। ପ୍ରକାଶ ଯେ, ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ପ୍ରକଳ୍ପ ଜରିଆରେ କୋକସରା, ଜୟପାଟଣା ଓ ଧର୍ମଗଡ଼ ଅଞ୍ଚଳର ପ୍ରାୟ ୧୫ ହଜାର ଚାଷୀ ଧାନ ବିକ୍ରି ପଞ୍ଜୀକରଣରୁ ବଞ୍ଚିତ ହୋଇ ଗତ ୮ ତାରିଖରେ ହଜାର ହଜାର ଚାଷୀ ଜାତୀୟ ରାଜପଥ ଅବରୋଧ କରି ପ୍ରତିବାଦ ଜଣାଇଥିଲେ ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି ସନ୍ତୋଷଜନକ ପଦକ୍ଷେପ ନିଆଯାଇ ନାହିଁ। ସରକାରଙ୍କ ଉଦାସୀନତାକୁ ଦେଖି କୃଷକ ସଚେତନ ମଞ୍ଚ, କୋକସରା ପକ୍ଷରୁ ଚାଷୀର ଦୁଃଖ ଓ ଦାବି ସମ୍ପର୍କରେ ଉଲ୍ଲେଖ କରି ନ୍ୟାୟ ପାଇଁ ମୁଖ୍ୟମନ୍ତ୍ରୀ ଏବଂ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତିଙ୍କୁ ପୋଷ୍ଟ କାର୍ଡ ପଠାଇଛନ୍ତି। ଏହାରି ଭିତରେ କୋକସରାଠାରେ ଚାଲିଥିବା ଚାଷୀଙ୍କ ଗଣଧାରଣା ସପ୍ତାହେ ହେବ ଜାରିରହିଛି। ଚାଷୀ ଆନ୍ଦୋଳନ ଦିନକୁ ଦିନ ତ୍ରିବ୍ର ହେଉଥିବା ବେଳେ ଆସନ୍ତା ୧୯ ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ପାଇଁ ଚାଷୀ ସଂଘ ସଜବାଜ କରୁଛନ୍ତି। ତେବେ ଜିଲ୍ଲାପାଳଙ୍କ ବ୍ଳକସ୍ତରୀୟ ଜନ ଶୁଣାଣୀ ଶିବିର କୋକସରାରେ ଥିବାରୁ ଅସନ୍ତୋଷ ଚାଷୀଙ୍କ ଡରରେ ହଠାତ୍ ବାତିଲ କରିଥିବା ଏବେ ଚର୍ଚ୍ଚା ଜୋର ଧରିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.