ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଥାନା ଅନ୍ତର୍ଗତ ସରିଆଁ ପଞ୍ଚାୟତ ଅଞ୍ଚଳରେ ଦେଶୀ ଖୁଚୁରା ମଦ ବନ୍ଦ କରିବାକୁ ସ୍ଥାନୀୟ ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ଦାବି କରିଛନ୍ତି। ଏନେଇ ମଇ ୨୨ ତାରିଖ ଶୁକ୍ରବାର ଦିନ ରେଲି ମାଧ୍ୟମରେ ଜନଜାଗରଣ ସୃଷ୍ଟି କରାଯିବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଶୁକ୍ରବାର ସକାଳ ୭.୩୦ ରେ ଚିଆଁପଦର ଠାରୁ ମଦମୁକ୍ତ ଅଭିଯାନ ରେଲି ଆରମ୍ଭ ହୋଇ ଟୋଲବ୍ରାହ୍ମଣୀ, ସରିଆଁ, ଦେଣ୍ଡୋଗୁଡା ଦେଇ ଅର୍ଜୁନ ଗାଁ ପରିକ୍ରମା କରିବ। ତେବେ ଏକ ସୁସ୍ଥ ସମାଜ ଗଠନ ପାଇଁ ଅଞ୍ଚଳର ମହିଳାମାନଙ୍କ ଏହି ପ୍ରୟାସକୁ ଅନେକ ସଚେତନ ନାଗରିକ ସମର୍ଥନ କରିଥିବା ଜଣାପଡିଛି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ମଦ ଯୋଗୁଁ ଗାଁର ଶାନ୍ତ ପରିବେଶ ଅଶାନ୍ତ ହେବାରେ ଲାଗିଛି। ଛୋଟ ଛୋଟ କଥାକୁ ନେଇ କଳି ଝଗଡ଼ା ସୃଷ୍ଟି ହେଉଛି। ଅନେକ ଲୋକ ପରିବାରକୁ ଅଣଦେଖା କରି ନିଜ ଉପାର୍ଜିତ ସବୁ ଅର୍ଥ ମଦରେ ଉଡ଼ାଇ ଦେଉଛନ୍ତି। ଏହି ନିଶା ଯୁବପିଢିଙ୍କୁ କବଳିତ କରିଥିବାରୁ ସେମାନେ ବିପଥଗାମୀ ହେଉଛନ୍ତି। ସରିଆଁ ପଞ୍ଚାୟତ ଅଞ୍ଚଳରେ ଅନେକ ଦେଶୀ ମଦ କୋଠି ରହିଛି, ଯେଉଁଠି ସକାଳୁ ରାତ୍ରୀ ଯାଏଁ ମଦ୍ୟପମାନଙ୍କ ଭିଡ଼ ଲାଗି ରହିଥାଏ। ମଦ ଯୋଗୁଁ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇଥିବାବେଳେ ଅନେକ ସୁନାର ସଂସାର ଭାଙ୍ଗି ଚୁରମାର ହୋଇ ଯାଉଛି। ତେଣୁ ଅଞ୍ଚଳର ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ପଞ୍ଚାୟତ ଅଞ୍ଚଳକୁ ମଦ ମୁକ୍ତ କରିବାକୁ ଆହ୍ବାନ ଦେଇଛନ୍ତି।





