ଓଡ଼ିଆ ବାର୍ତ୍ତା/ ଭୁବନେଶ୍ଵର: ଅଖିଳ ଭାରତ ଟ୍ରେଡ୍ ୟୁନିଅନ୍ କଂଗ୍ରେସ (AITUC) ଓଡ଼ିଶା ପକ୍ଷରୁ କର୍ଣ୍ଣାଟକ ସରକାରଙ୍କ ମଜୁରୀ ହାର ସିଦ୍ଧାନ୍ତକୁ ସ୍ୱାଗତ କରାଯାଇଛି। ଏହି ସିଦ୍ଧାନ୍ତ ଅନୁସାରେ ରାଜ୍ୟର ଅନୁସୂଚିତ ନିଯୁକ୍ତି କ୍ଷେତ୍ରଗୁଡ଼ିକରେ ସର୍ବନିମ୍ନ ମଜୁରୀରେ ଉଲ୍ଲେଖନୀୟ ବୃଦ୍ଧି କରାଯାଇଛି। ସୂଚନା ଯୋଗ୍ୟ ଯେ – ସର୍ବନିମ୍ନ ମଜୁରୀରେ ପ୍ରାୟ ୬୦ ପ୍ରତିଶତ ବୃଦ୍ଧି କରାଯାଇଛି, ଯାହା ୮୦ରୁ ଅଧିକ ଅନୁସୂଚିତ ନିଯୁକ୍ତି ଶ୍ରେଣୀକୁ ପ୍ରସାରିତ କରିଛି। ଏହି ବୃଦ୍ଧି ରେ କର୍ଣ୍ଣାଟକରେ ଅଣକୁଶଳ ଶ୍ରମିକମାନଙ୍କ ପାଇଁ ମାସିକ ମଜୁରୀ ପ୍ରାୟ ୧୯,୩୦୦ ଟଙ୍କାକୁ ଵୃଦ୍ଧି ଠାରୁ ଉଚ୍ଚ କୂଶଳୀ ସର୍ବନିମ୍ନ ମଜୁରୀ ମାସିକ ଟ୨୫,୭୦୦ ଟଙ୍କା ପର୍ଯ୍ୟନ୍ତ ଵୃଦ୍ଧି କରାଯାଇଛି। ଏଆଇଟିୟୁସି ପକ୍ଷରୁ କର୍ଣ୍ଣାଟକର ଟ୍ରେଡ୍ ୟୁନିଅନ୍ଗୁଡ଼ିକର ନିରନ୍ତର ପ୍ରୟାସକୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛି, ଯାହା ଫଳରେ ଏହି ସଫଳତା ମିଳିଛି।
ଏଆଇଟିୟୁସି ଏହାକୁ କେବଳ ଶ୍ରମିକ କଲ୍ୟାଣର ପଦକ୍ଷେପ ଭାବେ ନୁହେଁ, ବରଂ ଏହା ଏକ ସୁଦୃଢ଼ ଅର୍ଥନୈତିକ ନୀତି ଭାବେ ଦେଖୁଛି। ସିମୀତ ମଜୁରୀ ଓ ଅସୁରକ୍ଷିତ ନିଯୁକ୍ତି ଆଧାରରେ ଅର୍ଥନୈତିକ ବିକାଶ ଗଢ଼ିଉଠିପାରିବ ନାହିଁ। ଦଶକ ଧରି ନବଉଦାରବାଦୀ ଓ ଶିଳ୍ପ ଉତ୍ପାଦକ ମାନେ ମୁଲ୍ୟଵୃଦ୍ଧି ନିୟନ୍ତ୍ରଣର ଵିଭ୍ରାନ୍ତ ତର୍କ ଦେଖାଇ କମ୍ ମଜୁରୀକୁ ଯୁକ୍ତିସଙ୍ଗତ ବୋଲି ପ୍ରମାଣ କରିବାକୁ ଚେଷ୍ଟା କରିଆସିଛନ୍ତି। ଏହା ପୁଞ୍ଜିବାଦୀ ବ୍ୟବସ୍ଥାର ଏକ ଭ୍ରମାତ୍ମକ ଅର୍ଥନୈତିକ ସିଦ୍ଧାନ୍ତ ରୂପେ ରହିଆସିଛି।
ସମଗ୍ର ଚାହିଦା (ଏଗ୍ରିଗେଟ୍ ଡିମାଣ୍ଡ) ହିଁ ବିକାଶର ପ୍ରକୃତ ଇଞ୍ଜିନ୍ ଅଟେ। ଯେତେବେଳେ ଶ୍ରମଜୀବୀ ଲୋକଙ୍କ ଆୟ ବଢ଼େ, ସେତେବେଳେ ଉପଭୋଗ ବଢ଼େ, ଉତ୍ପାଦନର ବିସ୍ତାର ହୁଏ, ନିଯୁକ୍ତି ବଢ଼େ ଏବଂ ସମଗ୍ର ଅର୍ଥନୀତିରେ କ୍ଷୁଦ୍ର ବ୍ୟବସାୟମାନେ ଉନ୍ନତି କରନ୍ତି।
କର୍ଣ୍ଣାଟକ ସରକାରଙ୍କ ଏହି ଆଦେଶ ନବଉଦାରବାଦୀଙ୍କ ତର୍କକୁ ଚ୍ୟାଲେଞ୍ଜ କରିଛି, ଯାହା କମ୍ ମଜୁରୀ ଓ ମିତବ୍ୟୟିତା ଆପେଆପେ ବିକାଶ ସୃଷ୍ଟି କରେ ବୋଲି କହିଥାଏ। କର୍ପୋରେଟ୍ ଟିକସ ରିହାତି ଓ ସସ୍ତା ଶ୍ରମ ଆଧାରରେ ସ୍ଥାୟୀ ବିକାଶ ହୋଇ ପାରିବ ନାହିଁ। ଅର୍ଥନୀତି ସେତେବେଳେ ବୃଦ୍ଧି ପାଏ, ଯେତେବେଳେ କେବଳ କିଛି କର୍ପୋରେଟ୍ ଗୋଷ୍ଠୀଙ୍କ ହାତରେ କେନ୍ଦ୍ରୀଭୂତ ନହୋଇ ସମ୍ପତ୍ତି ଲୋକମାନଙ୍କ ମଧ୍ୟରେ ସଞ୍ଚାଳିତ ହୁଏ। ଏହା କର୍ଣ୍ଣାଟକକୁ ପ୍ରକୃତ ବିକାଶ ମଡେଲ୍ ଦିଗରେ ଆଗକୁ ବଢ଼ିବାରେ ସାହାଯ୍ୟ କରିବ।
ଏଆଇଟିୟୁସି ଏହି ପ୍ରଗତିଶୀଳ ପଦକ୍ଷେପକୁ ସ୍ୱାଗତ କରୁଛି ଏବଂ ଏହାକୁ କଲ୍ୟାଣମୁଖୀ ଓ ଚାହିଦା-ଆଧାରିତ ଅର୍ଥନୈତିକ ଦୃଷ୍ଟିକୋଣ ଦିଗରେ ଏକ ସ୍ୱାଗତଯୋଗ୍ୟ ପରିବର୍ତ୍ତନ ଭାବେ ଦେଖୁଛି। ଏହା ଶ୍ରମିକମାନଙ୍କୁ ଖର୍ଚ୍ଚଯୋଗ୍ୟ ଭାର ଭାବେ ନୁହେଁ, ବରଂ ସମ୍ପତ୍ତିର ସୃଷ୍ଟା ଓ ଅର୍ଥନୀତିକୁ ଚଳାଉଥିବା ଉପଭୋକ୍ତା ଭାବେ ସ୍ୱୀକାର କରେ।
ଏଆଇଟିୟୁସି କେନ୍ଦ୍ର ସରକାର, ସମସ୍ତ ରାଜ୍ୟ ସରକାର ବିଶେଷକରି ଓଡିଶା ସରକାରଙ୍କୁ ଆହ୍ୱାନ କରୁଛି ଯେ, ତୁରନ୍ତ କର୍ଣ୍ଣାଟକ ସରକାରଙ୍କଠାରୁ ସଠିକ୍ ଓ ସମୟୋପଯୋଗୀ ପ୍ରେରଣା ନେଇ ଜାତୀୟ ସ୍ତରରେ ସର୍ବନିମ୍ନ ମଜୁରୀର ପୁନଃନିର୍ଦ୍ଧାରଣ କରନ୍ତୁ ଏବଂ ମହଙ୍ଗା ସହ ଜଡିତ ଜୀବିକାଯୋଗ୍ୟ ମଜୁରୀ ସୁନିଶ୍ଚିତ କରନ୍ତୁ। ଏଆଇଟିୟୁସି ସ୍ପଷ୍ଟ ଭାବେ ଦୋହରାଉଛି ଯେ, ଶ୍ରମିକ ଶ୍ରେଣୀକୁ ସଶକ୍ତ କରିବା ବିନା ମାନବିକ ଅର୍ଥନୀତି ଓ ଶକ୍ତିଶାଳୀ ଘରୋଇ ବଜାରର କଳ୍ପନା ଅସମ୍ଭବ। କର୍ଣ୍ଣାଟକ ମଡେଲ୍ ସମସ୍ତଙ୍କ ପାଇଁ ଅନୁକରଣୀୟ ମାନଦଣ୍ଡ ସ୍ଥାପନ କରୁ ବୋଲି ଏଆଇଟିୟୁସି ଓଡ଼ିଶା ରାଜ୍ଯ କମିଟି ପକ୍ଷରୁ କୁହାଯାଇଛି।





