ଉନ୍ମୋଚିତ ହେଲା ‘ଶରୀର ଏକ ପାନ୍ଥଶାଳା’ ପୁସ୍ତକ

ଡାକ୍ତର ନନ୍ଦଙ୍କ ପୁସ୍ତକ ସାଧାରଣ ଲୋକଙ୍କ ପାଇଁ ଶରୀର ବିଜ୍ଞାନର ଗବାକ୍ଷ ସଦୃଶ, କହିଲେ ଅତିଥି

ଓଡ଼ିଆ ବାର୍ତ୍ତା, ବାଲେଶ୍ୱର, ୪/୬(କୃଷ୍ଣ କୁମାର ମହାନ୍ତି): ମଣିଷ ଶରୀରକୁ ସହଜ ଭାଷାରେ ବୁଝାଇବା ଲକ୍ଷ୍ୟ ନେଇ ଲିଖିତ ବରିଷ୍ଠ ଭେଷଜ ବିଶେଷଜ୍ଞ ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦଙ୍କ ନୂତନ ପୁସ୍ତକ ‘ଶରୀର ଏକ ପାନ୍ଥଶାଳା’ ସଂପ୍ରତି ବାଲେଶ୍ୱର ଲକି ଇଣ୍ଟରନ୍ୟାସନାଲ ହୋଟେଲ ପ୍ରେକ୍ଷାଳୟରେ ଉନ୍ମୋଚିତ ହୋଇଯାଇଛି।

ଏହି ଉନ୍ମୋଚନ ଆସରରେ ଉଦଘାଟକ ଭାବେ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଯୋଗ ଦେଇ ପୁସ୍ତକଟିକୁ ଉନ୍ମୋଚନ କରିଥିଲେ । ସେ ତାଙ୍କ ଭାଷଣରେ କହିଲେ, “ଡାକ୍ତର ନନ୍ଦଙ୍କ ଏହି ଲେଖନୀ ଛାତ୍ରଛାତ୍ରୀ, ଗବେଷକ ଓ ସାଧାରଣ ପାଠକଙ୍କ ମାନବ ଶରୀର ସଂପର୍କରେ ଥିବା ସମସ୍ତ ଜିଜ୍ଞାସା ଦୂର କରିବ। ଏହା ଓଡ଼ିଆ ବାଣୀଭଣ୍ଡାରକୁ ନିଶ୍ଚିତ ଭାବରେ ସମୃଦ୍ଧ କରିବ।”

ବରିଷ୍ଠ ଗବେଷକ ଡକ୍ଟର ଶିରୀଶ ଚନ୍ଦ୍ର ଜେନାଙ୍କ ପୌରୋହିତ୍ୟରେ ଆୟୋଜିତ ଉତ୍ସବରେ କଟକ ଏସସିବି ମେଡିକାଲର ଭେଷଜ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର ଜୟନ୍ତ କୁମାର ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗ ଦେଇ ପୁସ୍ତକର ଆଙ୍ଗିକ ଓ ଆତ୍ମିକ ଦିଗ ଉପରେ ଆଲୋଚନା କରିଥିଲେ।

ଉତ୍ସବର ମୁଖ୍ୟଅତିଥି ଭାବେ ମହିଳା ଓ ପ୍ରସୂତି ବିଭାଗର ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଡାକ୍ତର ପ୍ରଫେସର ପୂର୍ଣ୍ଣଚନ୍ଦ୍ର ପଣ୍ଡା ଯୋଗ ଦେଇଥିଲେ। ସେ ପୁସ୍ତକର ପ୍ରଶଂସା କରି ତାଙ୍କ ବକ୍ତବ୍ୟରେ କହିଲେ, “ନିକଟ ଭବିଷ୍ୟତରେ ମଣିଷ ଶରୀର ଆଉ ଶରୀରର କିଛି ଅଙ୍ଗପ୍ରତ୍ୟଙ୍ଗ ସଂପର୍କରେ ଉଲ୍ଲେଖ ଥାଇ ଏହି ପୁସ୍ତକର ଏକ ପରିବର୍ଦ୍ଧିତ ସଂସ୍କରଣ ଆସିପାରିଲେ ପାଠକଙ୍କ ପାଇଁ ଆହୁରି ଉପଯୋଗୀ ହେବ।”

ପୁସ୍ତକର ଲେଖକ ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦ ନିଜ ଲେଖକୀୟ ଅଭିବ୍ୟକ୍ତି ରଖିଥିବା ବେଳେ ପ୍ରଫେସର ମହାପାତ୍ର କହିଲେ ଯେ “ଏହି ପୁସ୍ତକ ମାଧ୍ୟମରେ ଜଣେ ସାଧାରଣ ରୋଗୀ ମଧ୍ୟ ନିଜ ଶରୀର ଗଠନ ଓ ପ୍ରତ୍ୟେକ ଅଙ୍ଗର କାର୍ଯ୍ୟପ୍ରଣାଳୀ ସଂପର୍କରେ ସ୍ପଷ୍ଟ ଧାରଣା ପାଇପାରିବେ।”

କବି ଦୀପକ ବୋଷ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ସମାଜରେ ଡାକ୍ତରମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ। ପ୍ରଫେସର ରବିନାରାୟଣ ଦାଶ ପୁସ୍ତକ ସଂପର୍କରେ ସବିଶେଷ ବକ୍ତବ୍ୟ ରଖିଥିଲେ।

ସଭା ପ୍ରାରମ୍ଭରେ ଗୁରୁ ସତ୍ୟରଂଜନ ମହାନ୍ତି ଦୀପକ ବୋଷଙ୍କ ରଚିତ ଭଜନ ଗାନ କରିଥିଲେ। ଏହି ଅବସରରେ ସାରସ୍ୱତ ସ୍ରଷ୍ଟା ଜେ.ପି. ଦାସଙ୍କ ଉଦ୍ଦେଶ୍ୟରେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇଥଲା। ଡକ୍ଟର ସାରଙ୍ଗଧର ତ୍ରିପାଠୀ ଅତିଥି ଆବାହନ କରିଥିବା ବେଳେ ଶେଷରେ ପ୍ରଫେସର ରଶ୍ମିରେଖା ପତି ଧନ୍ୟବାଦ ଦେଇଥିଲେ। ଡକ୍ଟର ସୋମା ନନ୍ଦ ଓ ଇଂ. ସୁଧୀର କୁମାର ଦାଶ ସଭା ପରିଚାଳନାରେ ସହଯୋଗ କରିଥିଲେ।

ସୂଚନାଯୋଗ୍ୟ ଯେ, ପ୍ରତି ବର୍ଷ ଏକ ନିର୍ଦ୍ଦିଷ୍ଟ ତାରିଖରେ ଗୋଟିଏ ନୂଆ ପୁସ୍ତକ ରଚନା କରି ଲୋକାର୍ପିତ ହେବାର ଏକ ପରମ୍ପରା ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦ ଆରମ୍ଭ କରିବା ସହିତ ତାଙ୍କ ଜନ୍ମଦିନକୁ ଏଭଳି ଏକ ସାହିତ୍ୟ ସମାବେଶରେ ପାଳନ କରିଥାନ୍ତି ଯାହାକୁ ସହରର ଡାକ୍ତର ବର୍ଗ, ଲେଖକ ବର୍ଗ, ବୁଦ୍ଧିଜୀବି ବର୍ଗ, ସାମ୍ବାଦିକ ବର୍ଗ ସମେତ ସାଧାରଣ ଲୋକମାନେ ଉପସ୍ଥିତ ରହି ଉପଭୋଗ କରନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.