ବିଭିନ୍ନ ସଂଗଠନର ସମର୍ଥନ : ଦାବୀ ପୂରଣ ନ ହେଲେ ଆଗାମୀ ଦିନରେ ବିଧାନସଭା ଘେରାଉ ଚେତାବନୀ
ଓଡ଼ିଆ ବାର୍ତ୍ତା/ ମୁରିବାହାଲ (ଅମରେଶ ମାଝୀ): ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଟ୍ରକ ମାଲିକ ସଂଘ ପକ୍ଷରୁ ଆଜି ୧୨ ଘଣ୍ଟିଆ କଣ୍ଟାବାଞ୍ଜି ବନ୍ଦ ପାଳନ କରାଯାଉଛି। ଅଞ୍ଚଳର ବିକାଶ ପାଇଁ ଉପସ୍ଥାପିତ ୧୫ ଦଫା ଦାବି ପୂରଣ ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି। ବନ୍ଦକୁ ପ୍ରେସ କ୍ଲବ କଣ୍ଟାବାଞ୍ଜି, ବାର ଆସୋସିଏସନ, ନାଗରିକ କମିଟି କଣ୍ଟାବାଞ୍ଜି, ମା’ ଦୁଆର୍ଶନି କ୍ଲବ୍ ଦାବ୍ରି, ଡାଇମଣ୍ଡ କ୍ଲବ, ଡ୍ରାଇଭର ସଂଘ, ଅଟୋ ୟୁନିଅନ, ରେଳୱେ ଅଟୋ ସଂଘ, ମାରୱାଡ଼ି ଯୁବା ବିକାଶ ଶାଖା ଏବଂ ବ୍ରାହ୍ମଣ ସମାଜ, କୋଶଲ ମୁକ୍ତି ମୋର୍ଚ୍ଚା, ଚେମ୍ବର୍ ଏଫ୍ କମର୍ସ,ବସ୍ ମାଲିକ ସଂଘ ସମେତ ବହୁ ସାମାଜିକ ଓ ବ୍ୟବସାୟିକ ସଂଗଠନ,ବଣିକ ସଂଘ, ହେମାଳ ସଂଘ,ସମର୍ଥନ ଜଣାଇଛନ୍ତି। ଟ୍ରକ ମାଲିକ ସଂଘର କହିବା ଅନୁସାରେ, କଣ୍ଟାବାଞ୍ଜିରେ ଇଞ୍ଜିନିୟରିଂ, କୃଷି, ନସିଂ ଓ ଆଇନ କଲେଜ ସ୍ଥାପନ, କେନ୍ଦ୍ରୀୟ ବିଦ୍ୟାଳୟ, ସୈନିକ ସ୍କୁଲ, ସ୍ପିନିଂ ମିଲ୍, ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ, ସ୍ଥାୟୀ ସବ୍-ରେଜିଷ୍ଟ୍ରାର ଓ ଆରଟିଓ କାର୍ଯ୍ୟାଳୟ ସହ ବିଭିନ୍ନ ଜନହିତକର ପ୍ରକଳ୍ପ ପାଇଁ ଦୀର୍ଘଦିନ ଧରି ଦାବି ହୋଇଆସୁଛି। ମାତ୍ର ଏହି ଦାବିଗୁଡ଼ିକ ଉପରେ ସରକାରଙ୍କ ପକ୍ଷରୁ ଆଶାନୁରୂପ ପଦକ୍ଷେପ ନିଆଯାଇ ନଥୁବାରୁ ବନ୍ଦ ଡାକରା ଦିଆଯାଇଛି। ବନ୍ଦ ସମୟରେ ସହରର ଅଧିକାଂଶ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ ରହିଥିବା ବେଳେ ସାଧାରଣ ଜନଜୀବନ ପ୍ରଭାବିତ ହୋଇଛି। ବସ୍ ଗାଡ଼ି ଚଳାଚଳ ବନ୍ଦ ରହିଛି ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ସଂଘ ପକ୍ଷରୁ ସରକାରଙ୍କୁ ଶୀଘ୍ର ଦାବି ପୂରଣ କରିବାକୁ ଅନୁରୋଧ କରାଯାଇଛି। ସ୍ଥାନିୟ ତହସିଲଦାର ଙ୍କ ଜରିଆ ରେ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟ ରେ ୧୫ ଦଫା ଦାବିପତ୍ର ଦିଆ ଯାଇଥିଲା, ଦାବି ପ୍ରତି ସରକାର ଗମ୍ଭୀରତା ସହ ବିଚାର ନ କରନ୍ତି ତାହଲେ ଆଗାମୀ ଦିନ ରେ ବିଧାନସଭା ଘେରାଓ କରିବା ପାଇଁ ଚେତାବନୀ ଦେଇଛନ୍ତି l





