ନର୍ଲା ନବୋଦୟ ବିଦ୍ୟାଳୟରେ ବ୍ଲକ ସ୍ତରୀୟ “ବିକାଶର ଧାରା ଓଡିଶା ସାରା” କାର୍ଯ୍ୟକ୍ରମ

ଉଦ୍ଘାଟନୀ ଦିବସରେ “ଜାତି ଜନଜାତି ସମ୍ବାଦ ବୈଠକ”

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ନବୋଦ୍ଦୟ ବିଦ୍ୟାଳୟ ସମ୍ମେଳନ କକ୍ଷରେ ବ୍ଲକ ସ୍ତରୀୟ ବିକାଶ ଧାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ୫ ଦିନ ବ୍ୟାପି ଅନୁଷ୍ଠିତ ହେବାକୁ ଥିବା ଏହି ବ୍ଲକ ସ୍ତରୀୟ କାର୍ଯ୍ୟକ୍ରମରେ ଉଦ୍ଘାଟନୀ ଦିବସରେ ଜାତି ଜନଜାତି ସମ୍ବାଦ ବୈଠକ ନର୍ଲା ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଗୋବର୍ଦ୍ଧନ ମାଝୀଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବରେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିପିନ ବିହାରୀ ଦୀପ ଯୋଗଦାନ କରି ସମ୍ବିଧାନ ପ୍ରଣେତା ଡ. ବିଆର ଆମ୍ବେଦକରଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ୱଳନ କରିକାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ। ଏଥିରେ ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ତହସିଲଦାର ମନୋରଞ୍ଜନ ନାୟକ, ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଦେବେନ୍ଦ୍ର ସାମଲ, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଶ୍ୟାମ ସୁନ୍ଦର ନାୟକ, ସମାଜସେବୀ ପଦ୍ମନାଭ ବାଗ, ମଧୁ କୁମାର, ଧନୁର୍ଦ୍ଧର ସେନାପତି, ସୁଭଦ୍ରା ମାଝୀ, ନର୍ଲା ସିଡିପିଓ ଅଞ୍ଜଳୀ ପଟ୍ଟନାୟକ, ସ୍ୱତନ୍ତ୍ର ଉନ୍ନୟନ କମିଶନ ଉପାଧ୍ୟକ୍ଷା ରୀନା ଭୋଇ, ବୈଦ୍ୟରାଜ ପବିତ୍ର ଶବର ପ୍ରମୁଖ ମଞ୍ଚାସୀନ ରହି ରାଜ୍ୟ ସରକାରଙ୍କ ଦୁଇବର୍ଷ ପୂର୍ତ୍ତି ଅବସରରେ ରାଜ୍ୟର ବିକାଶ ଓ ସରକାଙ୍କ ସଫଳତା ବିଷୟରେ ବଖାଣି ଥିଲେ।

ବିଶେଷ କରି ବ୍ଲକ ଜନ ମଙ୍ଗଳ ସମ୍ପ୬ସାରଣ ଅଧିକାରୀ ଶ୍ରୀ ନାୟକ ରାଜ୍ୟ ସରକାରଙ୍କ ସଂରକ୍ଷଣା ବ୍ୟବସ୍ଥାରେ ବୃଦ୍ଧି, ଅନ୍ତଃ ଜାତି ବିବାହରେ ୨,୫୦,୦୦୦ ଟଙ୍କା ପ୍ରଦାନ, ସହିଦ ମାଧୋସିଂ ହାତଖର୍ଚ୍ଚ ପ୍ରଦାନ ଭଳି ସରକାରଙ୍କ ଯୋଜନା ଗୁଡିକ ବିଷୟରେ ଜନ ସଚେତନତା ସୃଷ୍ଟି କରିଥିଲେ। ସେହିଭଳି ଅତିରିକ୍ତ ତହସିଲଦାର ଶ୍ରୀ ନାୟକ ଜନଜାତିଙ୍କୁ ଜଙ୍ଗଲ ଜମି ଅଧିକାରରେ ପଟ୍ଟା ପ୍ରଦାନ ଭଳି ସରକାରଙ୍କ ଲୋକାଭିମୁଖୀ ଯୋଜନା ଗୁଡିକ ବିଷୟରେ ବର୍ଣ୍ଣନା କରି ଜନସଚେତନତା ସୃଷ୍ଟି କରିଥିଲେ। ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଉପାଧ୍ୟକ୍ଷା ସୁଶ୍ରୀ ରୀନା ଭୋଇ ରାଜ୍ୟ ସରକାରଙ୍କ ଜାତି ଓ ଜନଜାତିଙ୍କ ପାଇଁ ସମସ୍ତ ପ୍ରକାର ବିକାଶ ମୂଳକ ଯୋଜନା ଗୁଡିକ ଉପରେ କହିଥିଲେ। ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀ ମାଝୀ ଶିକ୍ଷା ବ୍ୟବସ୍ଥା କ୍ଷେତ୍ରରେ ଜାତି ଓ ଜନଜାତି ସମ୍ପ୍ରଦାୟର ଛାତ୍ରଛାତ୍ରୀଙ୍କ ପ୍ରତି କିଭଳି ସ୍ୱତନ୍ତ୍ର ସଂରକ୍ଷଣର ବ୍ୟବସ୍ତା ରଖିଛନ୍ତି ସେ ବିଷୟରେ ବିଷଦ ଭାବରେ ବୁଝାଇଥିଲେ। ପ୍ରଥମେ ମୁଖ୍ୟ ଅତିଥି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ସ୍ୱାଗତ ଭାଷଣ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ଶିକ୍ଷକ ଶରତ ଭୋଇ ମଞ୍ଚ ସଂଯୋଜନା କରିଥିବା ବେଳେ କନିଷ୍ଠ ଯନ୍ତ୍ରୀ ଆଲୋକ ନାଏକ, ବିପିସି ଭୋଳାନାଥ ଦାସ, ବିଏଲସି ସନତ ସାହୁ, ଆରଡବ୍ଲୁଏସଏସ ବିଭାଗର ସହକାରୀ ଯନ୍ତ୍ରୀ ସୁରେନ୍ଦ୍ର ସୁନାନୀ, ସନତ ନାଏକ, କାର୍ଯ୍ୟ ନିର୍ବାହୀ ଅଧିକାରୀ କୃଷ୍ଣଚନ୍ଦ୍ର ସାହୁ, କ୍ଷୀରସିନ୍ଧୁ ରଣା ପ୍ରକାଶ ଭୋଇ, ଯଜାତି ଭଞ୍ଜ, ବିକେଶ ସା, ସୋନମ ମହାରଣା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଇତ୍ୟବସରରେ ବିଭିନ୍ନ କ୍ଷେତ୍ରରେ ସଫଲତା ଅର୍ଜନ କରିଥିବା ଛାତ୍ର ଛାତ୍ରୀ ଓ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ଆୟୁର୍ବେଦିକ ଚିକିତ୍ସା କ୍ଷେତ୍ରରେ ସାରା ରାଜ୍ୟରେ ମାଇଲ ଖୁଣ୍ଟ ସ୍ଥାପନ କରିଥିବା ଟୋଲ ବ୍ରାହ୍ମଣୀର ବୈଦ୍ୟରାଜ ପବିତ୍ର ମୋହନ ଶବର, ଜୈବିକ ଚାଷ କରି ସାରା ରାଜ୍ୟରେ ଚହଳ ପକାଇଥିବା ଗଜରାଜ ମାଝୀ, ଆଦିବାସୀ କବି ଓ ଗବେଷକ ଶିକ୍ଷାବିତ କ୍ଷୀତିଶ ଚନ୍ଦ୍ର ମାଝି, ଲୋକ କଳାକାର ସଦନ ପ୍ରଗଣିଆ, ପ୍ରେମଚନ୍ଦ ପ୍ରଗଣିଆ ପ୍ରମୁଖଙ୍କୁ ମଞ୍ଚରେ ଉପଢୌକନ, ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିଭଳି ମ୍ୟାଟ୍ରିକ ପରୀକ୍ଷାରେ ଟପ୍ପର ହୋଇଥିବା ଉଲିକୁପା ସରକାରୀ ହାୟର ସେକେଣ୍ଡାରୀ ସ୍କୁଲର ଆଦିବାସୀ ଛାତ୍ରୀ କଲ୍ୟାଣୀ ଶବର, ପିଏମ ଶ୍ରୀ ଦାମୋଦର ସରକାରୀ ହାଇସ୍କୁଲ ର ଅନୁସୁଚିତ ସମ୍ପ୍ରଦାୟର ଛାତ୍ରୀ ଦୀକ୍ଷିତା କୁମାର, ସେହିଭଳି ମୁସ୍କୁଟି ମିଳିତ ପଞ୍ଚାୟତ ହାୟର ସେକେଣ୍ଡାରୀ ସ୍କୁଲର ଛାତ୍ରୀ ବିଶେଶ୍ୱରୀ ମାଝୀ, ଉଲିକୁପା ସରକାରୀ ହାୟର ସେକେଣ୍ଡାରୀ ସ୍କୁଲର ଛାତ୍ରୀ ଲିପ୍ସା ସୁନା ପ୍ରମୁଖଙ୍କୁ ଶିକ୍ଷା କ୍ଷେତ୍ରରେ ସଫଳତା ହାସଲ କରିଥିବାରୁ ମଞ୍ଚରେ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ ଅତିଥି ବୃନ୍ଦ। ଏହାପରେ ବିଭିନ୍ନ ଗ୍ରାମ ପଞ୍ଚାୟତ ଅଞ୍ଚଳରୁ ଆସିଥିବା ଲୋକ କଳାକାର ସଂକୀର୍ତ୍ତନ ଓ ଖଞ୍ଜଣୀ ବାଦନ ପରିବେଷଣ କରିଥିଲେ।

କାର୍ଯ୍ୟକ୍ରମରେ ଭିବିଜି ରାମଜୀ, (ଟାଟା ପାୱାର) ବିଦ୍ୟୁତ ବିଭାଗ, ନର୍ଲା ଚିକିତ୍ସା ବିଭାଗ, ଆଇସିଡିଏସ ବିଭାଗ, ଆରଡବ୍ଲୁଏସଏସ ବିଭାଗ ପ୍ରଭୃତି ର ଷ୍ଟଲ ଗୁଡିକ ଲଗାଯାଇ ଜନ ସଚେତନତା ସୃଷ୍ଟି କରାଯାଇଥିଲା। ଉଦ୍ଘାଟନୀ ଦିବସର କାର୍ଯ୍ୟକ୍ରମ ସରକାରଙ୍କ ଜାତି ଓ ଜନଜାତି ସମ୍ପ୍ରଦାୟ ପାଇଁ ଉଦ୍ଦିଷ୍ଟ ରହିଥିବା ବେଳେ ଆସନ୍ତା କାଲି ରାଜ୍ୟ ସରକାରଙ୍କ କୃଷି କ୍ଷେତ୍ରରେ ରହିଥିବା ବିଭିନ୍ନ ଯୋଜନା ଗୁଡିକ ଓ ଦୁଇ ବର୍ଷରେ ରାଜ୍ୟ ସରକାରଙ୍କ ସଫଳତା ବିଷୟରେ ଜନ ସଚେତନତା ସୃଷ୍ଟି କରାଯିବ ବୋଲି ଜଣାପଡିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.