ପିଲାଙ୍କ ଭବିଷ୍ୟତ ସହ ଖେଳ ବନ୍ଦ କରନ୍ତୁ, ଭୁଲ୍ ପାଠ୍ୟପୁସ୍ତକ ପାଇଁ ସରକାର ଜବାବ ଦିଅନ୍ତୁ -ଶିବ ହାତୀ ଯାଦବ, ସମାଜବାଦୀ ପାର୍ଟି ଓଡ଼ିଶା ପ୍ରଦେଶ ସଭାପତି

ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ୧୬୭୮ଟି ଭୁଲ୍ : ଶିକ୍ଷା ବ୍ୟବସ୍ଥା ପ୍ରତି ଘୋର ଅବହେଳା -ସମାଜବାଦୀ ପାର୍ଟି, ଓଡ଼ିଶା 

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ଓଡ଼ିଶାର ପ୍ରଥମ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠ୍ୟପୁସ୍ତକରେ ମୋଟ ୧୬୭୮ଟି ତ୍ରୁଟି ଚିହ୍ନଟ ହେବା ଅତ୍ୟନ୍ତ ଲଜ୍ଜାଜନକ ଏବଂ ଚିନ୍ତାଜନକ ବୋଲି ଓଡ଼ିଶା ସମାଜବାଦୀ ପାର୍ଟି କହିଛି। ବିଶେଷକରି ଅଷ୍ଟମ ଶ୍ରେଣୀର ପୁସ୍ତକରେ ୭୦୫ଟି ଭୁଲ୍ ଥିବା ଘଟଣା ଶିକ୍ଷା ବିଭାଗର ଦାୟିତ୍ୱହୀନତାର ଜ୍ୱଳନ୍ତ ଉଦାହରଣ।ସମାଜବାଦୀ ପାର୍ଟି ରାଜ୍ଯ ସଭାପତି ଶିବ ହାତୀ ଯାଦବ କହିଛନ୍ତି ଯେ, ପ୍ରଥମରୁ ଅଷ୍ଟମଶ୍ରେଣୀ ସ୍କୁଲ ବହିରେ ଅନେକ ମହାପୁରୁଷଙ୍କ ନାମକୁ ଭୁଲ୍ ଉଲ୍ଲେଖ କରାଯାଇଛି, ଓଡ଼ିଶା ବିଧାନସଭା ବଦଳରେ କର୍ଣ୍ଣାଟକ ବିଧାନସଭାର ଚିତ୍ର ପ୍ରକାଶ କରାଯାଇଛି, ନିୟମଗିରି ପାହାଡ଼କୁ ଛତିଶଗଡ଼ରେ ଥିବା ବୋଲି ଦର୍ଶାଯାଇଛି ଏବଂ ଗଞ୍ଜାମ ଜିଲ୍ଲା ବଦଳରେ ବ୍ରହ୍ମପୁରକୁ ଜିଲ୍ଲା ଭାବେ ଉଲ୍ଲେଖ କରାଯାଇଛି। ଏଭଳି ଗୁରୁତର ତ୍ରୁଟି ଲକ୍ଷାଧିକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଓ ଜ୍ଞାନ ଉପରେ ସିଧାସଳଖ ପ୍ରଭାବ ପକାଇବ। ଶ୍ରୀ ହାତୀ ପ୍ରଶ୍ନ କରିଛନ୍ତି ଯେ, ପାଠ୍ୟପୁସ୍ତକ ପ୍ରକାଶ ପୂର୍ବରୁ ଯାଞ୍ଚ ଓ ସମ୍ପାଦନା ପ୍ରକ୍ରିୟା କିପରି ସମ୍ପନ୍ନ ହୋଇଥିଲା? କେଉଁ ଅଧିକାରୀ ଓ ବିଶେଷଜ୍ଞମାନେ ଏହାର ଦାୟିତ୍ୱ ନେଇଥିଲେ? ଏତେ ବଡ଼ ଭୁଲ୍ ପାଇଁ କିଏ ଜବାବ ଦେବ?

ଓଡ଼ିଶା ସମାଜବାଦୀ ପାର୍ଟି ଦାବି କରିଛି ଯେ: ୧. ସମସ୍ତ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକକୁ ତୁରନ୍ତ ସଂଶୋଧନ କରାଯାଉ। ୨. ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କରାଯାଉ। ୩. ଦାୟୀ ଅଧିକାରୀ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେଉ। ୪. ଶିକ୍ଷାମନ୍ତ୍ରୀ ଓ ସରକାର ରାଜ୍ୟବାସୀଙ୍କ ନିକଟରେ କ୍ଷମା ମାଗନ୍ତୁ।

“ଯେଉଁ ସରକାର ଛାତ୍ରଛାତ୍ରୀଙ୍କୁ ସଠିକ୍ ତଥ୍ୟ ଓ ଇତିହାସ ଦେଇପାରୁନାହିଁ, ସେ ସରକାରର ଶିକ୍ଷା ନୀତି ଉପରେ ଜନସାଧାରଣଙ୍କ ବିଶ୍ୱାସ କିପରି ରହିବ?” ବୋଲି ସମାଜବାଦୀ ପାର୍ଟି ରାଜ୍ଯ ସଭାପତି କଡ଼ା ଭାଷାରେ ସମାଲୋଚନା କରିଛନ୍ତି। ସେ ଆହୁରି କହିଛନ୍ତି ଯେ, “ପିଲାଙ୍କ ଭବିଷ୍ୟତ ସହ ଖେଳ ବନ୍ଦ କରନ୍ତୁ, ଭୁଲ୍ ପାଠ୍ୟପୁସ୍ତକ ପାଇଁ ସରକାର ଜବାବ ଦିଅନ୍ତୁ।”

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.