ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ଗାଁରେ ତିନି ଦିନ ଧରି ଉତ୍ସାହ ଉଦ୍ଦୀପନା ମଧ୍ୟରେ ପାଳିତ ହୋଇଛି ‘ରଜ’ ପର୍ବ। ରଜର ପାରମ୍ପରିକ ରୀତିନୀତି, ପିଠା-ପଣା ଓ ଆଧୁନିକ ନୃତ୍ୟର ସମନ୍ୱୟରେ ସାରା ଗାଁ ଉତ୍ସବମୁଖର ହୋଇଉଠିଥିଲା। ଏହି ଅବସରରେ ଲାଞ୍ଜିଗଡ଼ ବେନଗାଁ ମାଁ ଭୌରବି ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଏକ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଅନୁଷ୍ଠାନର ସଭାପତି ମୋହନ ମାଝୀ ସଭାପତିତ୍ୱରେ ଆୟୋଜିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶ୍ଵନାଥପୁର ମାଁ ହୀରାନୀଳା ସ୍ନାତକ ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପକ ଡ଼. ରମେଶ ଚନ୍ଦ୍ର ସାହୁ ଯୋଗଦେଇ ରଜ ପର୍ବ ଓଡ଼ିଆ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ। ବସୁମତୀଙ୍କ ଋତୁସ୍ରାବ ପର୍ବ ଭାବେ ପାଳନ ହେଉଥିବା ଏହି ପର୍ବ ମାଧ୍ୟମରେ ମାଟି ମା’ଙ୍କୁ ସମ୍ମାନ ଦିଆଯାଏ। ବେନଗାଁ ଭଳି ଦୂର ଅଞ୍ଚଳରେ ଏଭଳି ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ହେବା ଆମ ପାଇଁ ଗର୍ବର ବିଷୟ ବୋଲି କରିଥିଲେ।
ଏଥିରେ ସମ୍ମାନିତ ଅତିଥି ଭାବେ ବେନଗାଁ ପଞ୍ଚାୟତ ସରପଞ୍ଚ ପୁରଣା ମାଝୀ, ଲାଞ୍ଜିଗଡ଼ ବିଜେପି ମଣ୍ଡଳ ସଭାପତି ନରେନ୍ଦ୍ର ବେହେରା, ଶିକ୍ଷାବିତ ରମାକାନ୍ତ ସାହୁ, ଦିଲ୍ଲୀପ ନାଏକ, ଉତ୍ତର ନାଏକ, ପ୍ରଭାକର ଦୋରା, ରବି କରୁଆଁ, ପିତାମ୍ବର ମାଝୀ, ସାମ୍ବାଦିକ ତୁଳସୀ ରାମ ପ୍ରଧାନୀ, ଦେବାନ୍ଦ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ ଏବଂ ବିଜେତାମାନଙ୍କୁ ପୁରସ୍କୃତ କରିଥିଲେ।

ପ୍ରତିଯୋଗିତାରେ ଆଖପାଖ ଗାଁରୁ ୧୨ଟିରୁ ଅଧିକ ନୃତ୍ୟ ଗ୍ରୁପ୍ ଭାଗ ନେଇଥିଲେ। ପ୍ରତିଯୋଗି ରଜ ଗୀତ ଉପରେ ପାରମ୍ପରିକ ନୃତ୍ୟ ପରିବେଷଣ କରିଥିବା ବେଳେ ଯୁବଗୋଷ୍ଠୀ ଆଧୁନିକ ଢଙ୍ଗରେ ଡୋଲି ନୃତ୍ୟ, ଘୁମୁରା ଓ ଜିରୋ ଡାନ୍ସ ପରିବେଷଣ କରିଥିଲେ। ପ୍ରତିଯୋଗିତାର ଆକର୍ଷଣର କେନ୍ଦ୍ର ପାଲଟିଥିଲା ଲାଖବାହାଲି ଜିରୋ ଡାନ୍ସ ଗ୍ରୁପ୍ର ପ୍ରଦର୍ଶନ। ସେମାନଙ୍କ ଚିତ୍ତାକର୍ଷକ ଷ୍ଟେପ୍ ଓ ସମନ୍ୱୟ ଦେଖି ଦର୍ଶକ କରତାଳି ଦେଇ ଉଠିଥିଲେ। କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନେ ନଗଦ ଅର୍ଥ, ଟ୍ରଫି ଓ ମାନପତ୍ର ପ୍ରଦାନ କରି ଉତ୍ସାହିତ କରିଥିଲେ। କାର୍ଯ୍ୟକ୍ରମକୁ ସାମ୍ବାଦିକ ଗୋପାଳ ଦାସ ମହାନନ୍ଦ ଓ ସନ୍ଧ୍ୟାରାଣୀ ମାଝୀ ମଞ୍ଚ ପରିଚାଳନା କରିଥିବା ବେଳେ ହରି ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ଶେଷରେ ନରେନ୍ଦ୍ର ବେହେରା ସମସ୍ତ ଅତିଥି, ପ୍ରତିଯୋଗୀ, ସ୍ୱେଚ୍ଛାସେବୀ ଓ ଦର୍ଶକଙ୍କୁ ଧନ୍ୟବାଦ ଜଣାଇଥିଲେ।





