“କେଜି ରୁ ପିଜି” ଫିଜ ଫ୍ରି ଘୋଷଣାକୁ ନେଇ ଛାତ୍ରଛାତ୍ରୀ ଓ ଅଭିଭାବକ ଖୁସ, କାନ୍ଦୁଛନ୍ତି ପରିଚାଳନା କତ୍ତୃପକ୍ଷ
ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ନର୍ଲା, ତୁଳାପଡା ଓ ରୁପ୍ରା ଯୁକ୍ତ ଦୁଇ କଲେଜରେ ଚାଲିଛି ଛାତ୍ରଛାତ୍ରୀଙ୍କ ଏଡମିଶନ। ପ୍ରଥମ ସିଲେକ୍ସନ ରେ ଏହି କଲେଜ ଗୁଡିକ ପାଇଁ ଅପସନ ଦେଇଥିବା ଛାତ୍ରଛାତ୍ରୀ ଅଭିଭାବକ ମାନଙ୍କ ସହ ଆସି ଏଡମିଶନ ନେଉଛନ୍ତି। ରାଜ୍ୟ ସରକାର “କେଜି ରୁ ପିଜି”ଯାଏଁ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଫିଜ ଛାଡ ଘୋଷଣା କରିଥିବା ବିଷୟକୁ ନେଇ ବିଭିନ୍ନ ମହଲ ସମେତ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ବେଶ ଖୁସ ଅଛନ୍ତି। ଏହି କ୍ରମରେ ଗତ ବୁଧବାର ଠାରୁ ବିଜୟାନନ୍ଦ ଯୁକ୍ତ ଦୁଇ କଲେଜ ତୁଳାପଡାରେ ମଧ୍ୟ ଚାଲିଛି ଛାତ୍ରଛାତ୍ରୀଙ୍କ ଏଡମିଶନ। ସକାଳ ୧୦ ଠାରୁ ସଂଧ୍ୟା ୫ ଯାଏଁ ଚାଲୁଛି ଏଡମିଶନ। ୧୯୯୪ ରେ ସ୍ଥାପିତ ତୁଳାପଡା ବିଜୟାନନ୍ଦ ପଞ୍ଚାୟତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ସିଟ ସଂଖ୍ୟା ରହିଛି ୨୫୬। ୨୦୧୨ ଯାଏଁ ୧୨୮ ସିଟ ରେ ଚାଲିଆସୁଥିଲା କଲେଜ। ୨୦୧୩ ରେ ଏହାର ସିଟ ପୁଣି ୧୨୮ କୁ ବୃଦ୍ଧି ପାଇଁ ଅନୁମତି ଦେଲେ ସରକାର। ଏହାପରେ ସିଟ ସଂଖ୍ୟା ହେଲା ୨୫୬। ଏବେ ରାଜ୍ୟ ସରକାରଙ୍କ ଘୋଷଣା ଅନୁଯାୟୀ ସରକାରୀ ଅନୁଦାନ ପ୍ରାପ୍ତ ଶିକ୍ଷାନୁଷ୍ଠାନ ଗୁଡିକ କେଜି କ୍ଲାସ ରୁ ଉଚ୍ଚ ଶିକ୍ଷା ପିଜି ଯାଏଁ ପିଲାଙ୍କୁ ମାଗଣାରେ ପାଠ ପଢେଇବେ। ଏହି କଲେଜରେ କଳା ଓ ବିଜ୍ଞାନ ଦୁଇଗୋଟି ବିଭାଗ ରହିଛି। ୨୦୧୯ ରେ ବିଜ୍ଞାନ ଷ୍ଟ୍ରିମ ପାଇଁ ଅନୁମତି ମିଳିଥିଲା। ହେଲେ କଳା ବିଭାଗ କୁ ସରକାରଙ୍କ ଅନୁଦାନ ମିଳୁଛି। ଷ୍ଟାଫ ମାନେ ଦରମା ପାଉଛନ୍ତି। ବିଭିନ୍ନ ଆବଶ୍ୟକିୟ ପାଠ୍ୟ ଉପକରଣ ପାଇଁ ସରକାର ଅନୁଦାନ ଦେଉଛନ୍ତି। ହେଲେ ତୁଳାପଡା ବିଜୟାନନ୍ଦ କଲେଜରେ ଚାଲିଥିବା ସାଇନ୍ସ ଷ୍ଟ୍ରିମ ପାଇଁ ସରକାରଙ୍କ ଠାରୁ କାଣି କଉଡି ଟିଏ ମଧ୍ୟ ଅନୁଦାନ ମିଳୁନି। ଏଣୁ ପରିଚାଳନା କମିଟି ଷ୍ଟାଫ ମାନଙ୍କୁ ଦରମା ଦେଇଥାନ୍ତି ପିଲାଙ୍କ ଡୋନେସନ ଓ ଅନାନ୍ୟ ଫିସ ସଂଗ୍ରହ କରି। ତୁଳାପଡା ଯୁକ୍ତ ଦୁଇ କଲେଜରେ କଳା ବିଭାଗରେ ୧୫ ଜଣ ଷ୍ଟାଫ ରହିଥିବା ବେଳେ ୨୬ ଜଣ ଅଛନ୍ତି ଗେଷ୍ଟ ଅଧ୍ୟାପକ । ସେହିଭଳି ସାଇନ୍ସ ଷ୍ଟ୍ରିମ ରେ ୮ ଜଣ ଷ୍ଟାଫ ରହି ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ କରୁଛନ୍ତି। ଯେଉଁ କଲେଜ ଗୁଡିକ ଅନୁଦାନ ପାଉ ନାହାନ୍ତି ସେମାନଙ୍କ ପାଇଁ ଅର୍ଥର ବ୍ୟବସ୍ଥା କରାଯିବ ବୋଲି ଉଚ୍ଚ ଶିକ୍ଷାମନ୍ତ୍ରୀ ଘୋଷଣା ସିନା କରିଦେଲେ ହେଲେ ବିନା ପଇସାରେ ବିନା ଅନୁଦାନ ପ୍ରାପ୍ତ ସାଇନ୍ସ କଲେଜ ଚାଲିବ କେମିତି? ଏଣୁ ସାଇନ୍ସ ପିଲାଙ୍କ ଏଡମିଶନ ପାଇଁ ଆମେ ବାଧ୍ୟ ହୋଇ ଡୋନେସନ ଓ ଫିସ ନେଉଛୁ ବୋଲି ବିଦ୍ୟାଳୟର ଅଧ୍ୟକ୍ଷ ସୁଶୀଲ କୁମାର ସେନାପତି ମତବ୍ୟକ୍ତ କରିଛନ୍ତି। ଆଉ ସରକାରଙ୍କ ଫିସ ଫ୍ରି ଚିଠି ଆଜି ଆସି ପହଞ୍ଚିଛି। ଆଗରୁ ଯେଉଁ ପିଲାଙ୍କ ଫିସ ନିଆଯାଇଛି ସେ ସବୁ ଫେରସ୍ତ କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ସେନାପତି ମତବ୍ୟକ୍ତ କରିଛନ୍ତି। ଅନୁଦାନ ପ୍ରାପ୍ତ ଆମ କଲେଜର ଜଣେ ପିଅନ ସେ ଦରମା ପାଇବାକୁ ଯୋଗ୍ୟ ହୋଇଥିବା ବେଳେ ଆଜିଯାଏଁ ସରକାରଙ୍କ ଠାରୁ ଟଙ୍କାଟିଏ ମଧ୍ୟ ଦରମା ପାଇ ନାହାନ୍ତି। ଆଉ ଅଳ୍ପ ଦିନ ମଧ୍ୟରେ ସେ ଅବସର ଗ୍ରହଣ କରିବେ। ଆଉ ଅନୁଦାନ ପାଇ ନଥିବା କଲେଜ କୁ ସରକାର କେବେ ଅର୍ଥ ଯୋଗାଇ ଦେବେ ଯେ କର୍ମଚାରୀ ଉପକୃତ ହେବେ। ସରକାରଙ୍କ ଏହି ଘୋଷଣାରେ ଛାତ୍ରଛାତ୍ରୀ ଓ ଅଭିଭାବକ ଖୁସି ଥିବା ବେଳେ ଆମେ କଲେଜ ପରିଚାଳନା କତ୍ତୃପକ୍ଷ ଓ ସାଇନ୍ସ କଲେଜର ଅଧ୍ୟାପକ ଅଧ୍ୟାପିକା ମାନେ ଏହି ଘୋଷଣାକୁ ନେଇ ଧର୍ମସଙ୍କଟରେ ପଡିଛୁ ବୋଲି କହିଛନ୍ତି କଲେଜ କତ୍ତୃପକ୍ଷ। ମାଗଣାରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ଦେଇ ବିନା ପଇସାରେ ବିଜ୍ଞାନ କଲେଜ କେମିତି ଚଲେଇବେ ପରିଚାଳନା କମିଟି? ସେମାନଙ୍କ ପାଇଁ ଏହି ଅର୍ଥସଙ୍କଟ ଚ୍ୟାଲେଞ୍ଜ କେତେ ଭାରି ପଡିବ ତାହା ସମୟ ହିଁ କହିବ।





