ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ ବ୍ଲକ ଶିକ୍ଷା କାର୍ଯ୍ୟାଳୟରେ ଦୀର୍ଘଦିନ ଧରି ଖାଲି ପଡ଼ିଥିବା ତିନୋଟି ଗୁରୁତ୍ୱପୂର୍ଣ୍ଣ ପଦବୀ ତୁରନ୍ତ ପୂରଣ କରିବା, ଜଣେ ସ୍ଥାୟୀ ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ନିଯୁକ୍ତି ଦେବା ଏବଂ ବର୍ତ୍ତମାନର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ବିରୋଧରେ ଆସୁଥିବା ଅଭିଯୋଗର ନିରପେକ୍ଷ ତଦନ୍ତ କରାଯିବାକୁ ଦାବିକରି କଳାହାଣ୍ଡି ଜିଲ୍ଲାପାଳଙ୍କ ନିକଟରେ ଲାଞ୍ଜିଗଡ଼ ବ୍ଲକ ସାମ୍ବାଦିକ ସମୂହ ଏକ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି।ବର୍ତ୍ତମାନର ବିଇଓ ରୁଷିଆ ମେହେର ଯୋଗଦାନ ପରଠାରୁ ଲାଞ୍ଜିଗଡ଼ର ଦୁର୍ଗମ ଆଦିବାସୀ ଅଞ୍ଚଳରେ ଶିକ୍ଷା ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ବିଭିନ୍ନ ପଦକ୍ଷେପ ନେଇଛନ୍ତି। ବିଦ୍ୟାଳୟ ପରିଦର୍ଶନ, ପାଠଛାଡ଼ା, ଶିଶୁଙ୍କୁ ପୁନଃ ବିଦ୍ୟାଳୟକୁ ଫେରାଇବା, କର୍ତ୍ତବ୍ୟରେ ଅବହେଳା କରୁଥିବା ଶିକ୍ଷକଙ୍କୁ ସତର୍କ କରିବା ଏବଂ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ସକ୍ରିୟ ଭୂମିକା ନେଇଥିବାରୁ ସାଧାରଣ ଲୋକ ଓ ଅବିଭାବକ ଙ୍କ ମଧ୍ୟରେ ସକାରାତ୍ମକ ପ୍ରଭାବ ପଡ଼ିଥିବା ଦାବି କରାଯାଇଛି।ଦାବିପତ୍ରରେ ଆହୁରି କୁହାଯାଇଛି ଯେ, ଲାଞ୍ଜିଗଡ଼ ବିଇଓ କାର୍ଯ୍ୟାଳୟରେ ତିନୋଟି ପଦବୀ ଦୀର୍ଘଦିନ ଧରି ଖାଲି ରହିଥିବା ସହ ସ୍ଥାୟୀ ଏବିଇଓ ନଥିବାରୁ ପ୍ରଶାସନିକ କାର୍ଯ୍ୟ ପ୍ରଭାବିତ ହେଉଛି।ଏହା ବ୍ୟତୀତ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ୧୫ରୁ ୨୦ ବର୍ଷ ଧରି ନିଜ ଆସ୍ଥାନ ଯମାଇଥିବା ଶିକ୍ଷକଙ୍କୁ ଲୋକଙ୍କ ଅଭିଯୋଗ ପରେବି ଅନ୍ୟ ବିଦ୍ୟାଳୟକୁ ବଦଳି କରାଯାଉନାହିଁ।ସେହି ଶିକ୍ଷକ ମାନଙ୍କୁ ଚିହ୍ନଟ କରି ଅନ୍ୟ ବିଦ୍ୟାଳୟକୁ ମାନଙ୍କୁ ସ୍ଥାନାନ୍ତରିତ କରାଯାଉ ବୋଲି ସାମ୍ବାଦିକ ସମୂହ ଦାବି କରିଛନ୍ତି। ଏହି ପଦବୀଗୁଡ଼ିକ ପୂରଣ ହେଲେ ଶିକ୍ଷା ପ୍ରଶାସନ ଅଧିକ ସୁଦୃଢ଼ ହେବ ବୋଲି ସାମ୍ବାଦିକ ସମୂହ ମତ ପ୍ରକାଶ କରିଛି।ସେହିପରି, କିଛି ଶିକ୍ଷକ ଗୋଷ୍ଠୀ ବ୍ୟକ୍ତିଗତ ସ୍ୱାର୍ଥବଶତଃ ବିଇଓଙ୍କ ବିରୋଧରେ ବିଭିନ୍ନ ଅଭିଯୋଗ ଆଣୁଥିବା ଦାବି କରି ସାମ୍ବାଦିକ ସମୂହ ଏହାର ନିରପେକ୍ଷ ତଦନ୍ତ କରାଯିବାକୁ ଅନୁରୋଧ କରିଛି। ତଦନ୍ତରେ ଯଦି କୌଣସି ଅନିୟମ କିମ୍ବା ମିଥ୍ୟା ଅଭିଯୋଗର ପ୍ରମାଣ ମିଳେ, ତେବେ ନିୟମାନୁଯାୟୀ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉ ବୋଲି ଦାବିପତ୍ରରେ ଉଲ୍ଲେଖ ରହିଛି।ଲାଞ୍ଜିଗଡ଼ ବ୍ଲକରେ ଶିକ୍ଷାର ବିକାଶ ଓ ସ୍ୱଚ୍ଛ ପ୍ରଶାସନ ବଜାୟ ରଖିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆବଶ୍ୟକ ପ୍ରଶାସନିକ ସହଯୋଗ ପ୍ରଦାନ କରିବା ସହ ଖାଲି ପଦବୀ ପୂରଣ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସାମ୍ବାଦିକ ସମୂହ ଜିଲ୍ଲାପାଳଙ୍କୁ ଅନୁରୋଧ କରିଛି। ଲାଞ୍ଜିଗଡ ସାମ୍ବାଦିକ ସମୂହର ସାମ୍ବାଦିକ ସୁଶୀଲ କୁମାର ବାଗ, ଏମ୍ ଚନ୍ଦ୍ର ଶେଖର, କ୍ଷମାନିଧି ମହାକୁଡ଼,ନୀଲେଶ ନାଗ, ଗୋପାଳ ଦାସ ମହାନନ୍ଦ, କୈଳାସ ସାହୁ, ତୁଳସୀରାମ ପ୍ରଧାନୀ, ରମେଶ ନାୟକ ମନୋଜ ଦୋରା, ପ୍ରଭୁରଞ୍ଜନ ସାମଲ,ଧର୍ମେନ୍ଦ୍ର ପଣ୍ଡା, ଦିଲ୍ଲୀପ ପଟ୍ଟନାୟକ, ଦେବାନନ୍ଦ ମାଝୀ ପ୍ରମୁଖ ଜିଲ୍ଲାପାଲଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ।ଏନେଇ ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ କରିଛନ୍ତି ଯେ, ନିଶ୍ଚିତ ଭାବେ ଏଦିଗରେ ତଦନ୍ତ ହେବ ବୋଲି କହିଥିବା ବେଳେ ଜିଲ୍ଲା ଶିକ୍ଷାଧିକାରୀ ରାଧାକାନ୍ତ ଛତ୍ରୀ କହିଛନ୍ତି ଯେ ଲାଞ୍ଜିଗଡ଼ ବିଇଓ ଋଷିଆ ମେହେର ଲାଞ୍ଜିଗଡ଼ରେ ଯୋଗଦେବା ଠାରୁ ଶିକ୍ଷା କ୍ଷେତ୍ରରେ ବହୁତ ସୁଧାର ଆସିଛି। ଯାହାବି ତାଙ୍କ ବିରୋଧରେ ଅଭିଯୋଗ ଆସିଥାଏ ତାହା ତଦନ୍ତ କରାଯିବ ବୋଲି ପ୍ରକାଶ କରିଛନ୍ତି।






