ବାଲେଶ୍ୱର ଜିଲ୍ଲା ପରିଷଦର ନବମ ବୈଠକ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲାର ସର୍ବାଙ୍ଗୀନ ବିକାଶ ଓ ଜନକଲ୍ୟାଣମୂଳକ ଯୋଜନାର ସମୀକ୍ଷା ପାଇଁ ଷଷ୍ଠ ଜିଲ୍ଲା ପରିଷଦର ନବମ ବୈଠକ ଆଜି ପୂର୍ବାହ୍ନ ୧୦.୩୦ରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଡିଟୋରିୟମରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲ୍ଲା ପରିଷଦ ସଭାପତି ଶ୍ରୀ ନାରାୟଣ ପ୍ରଧାନ ଅଧ୍ୟକ୍ଷତା କରିଥିଲେ। ବୈଠକରେ ଜିଲ୍ଲାର ବିଭିନ୍ନ ବିଭାଗର କାର୍ଯ୍ୟକ୍ରମ, ଚାଲିଥିବା ବିକାଶମୂଳକ ପ୍ରକଳ୍ପର ଅଗ୍ରଗତି ଏବଂ ସରକାରୀ ଯୋଜନାର କାର୍ଯ୍ୟାନ୍ୱୟନ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଭିତ୍ତିଭୂମି ବିକାଶ, ଶିକ୍ଷା, କୃଷି ଓ ସମାଜ ମଙ୍ଗଳ ଭଳି ଜନହିତକର ପ୍ରସଙ୍ଗଗୁଡ଼ିକୁ ପ୍ରାଥମିକତା ଦିଆଯାଇଥିଲା।

ଏହି ବୈଠକରେ ବାଲେଶ୍ୱର ସାଂସଦ ଶ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ଶ୍ରୀ ପଦ୍ମଲୋଚନ ପଣ୍ଡା, ଉପ ମୁଖ୍ୟ ସଚେତକ ତଥା ରେମୁଣା ବିଧାୟକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ, ସଦର ବିଧାୟକ ଶ୍ରୀ ମାନସ କୁମାର ଦତ୍ତ, ବସ୍ତା ବିଧାୟିକା ଶ୍ରୀମତୀ ସୁବାସିନୀ ଜେନା, ଜଳେଶ୍ୱର ବିଧାୟକ ଶ୍ରୀ ଅଶ୍ୱିନୀ କୁମାର ପାତ୍ର, ଭୋଗରାଇ ବିଧାୟକ ଶ୍ରୀ ଗୌତମ ବୁଦ୍ଧ ଦାସ, ଉପ ସଭାପତି ଶ୍ରୀମତୀ ଅନୁସୂୟା ପ୍ରଧାନ ଏବଂ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟବଂଶୀ ମୟୂର ବିକାଶ ମଞ୍ଚାସୀନ ଥିଲେ।

ଭଦ୍ରକ ସାଂସଦଙ୍କ ପ୍ରତିନିଧି ଶ୍ରୀ ଈଶ୍ୱର ଚନ୍ଦ୍ର ବେହେରା, ସୋରୋ ବିଧାୟକଙ୍କ ପ୍ରତିନିଧି ଶ୍ରୀ ଅଶ୍ୱିନୀ ମହାପାତ୍ର ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସଞ୍ଜୟ କୁମାର ରାଉତ ମଧ୍ୟ ଉପସ୍ଥିତ ଥିଲେ। ଏତଦ୍ ବ୍ୟତୀତ ଜିଲ୍ଲାର ସମସ୍ତ ବ୍ଲକ ଅଧ୍ୟକ୍ଷ/ଅଧ୍ୟକ୍ଷା, ଜିଲ୍ଲା ପରିଷଦ ସଦସ୍ୟ/ସଦସ୍ୟା, ଜିଲ୍ଲାସ୍ତରୀୟ ଅଧିକାରୀ, ସମସ୍ତ ବିଡିଓ ଓ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ବୈଠକରେ ଉପସ୍ଥିତ ଜନ ପ୍ରତିନିଧିମାନେ ନିଜ ନିଜ ଅଞ୍ଚଳର ସ୍ଥାନୀୟ ସମସ୍ୟା, ଉନ୍ନୟନ କାର୍ଯ୍ୟର ଅଗ୍ରଗତି ଏବଂ ଲୋକଙ୍କ ଦାବି ସମ୍ପର୍କରେ ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ ଏବଂ ଯୋଜନାଗୁଡ଼ିକର ଫଳପ୍ରଦ କାର୍ଯ୍ୟାନ୍ୱୟନ ପାଇଁ ସମ୍ପୃକ୍ତ ବିଭାଗମାନଙ୍କୁ ଆବଶ୍ୟକ ପରାମର୍ଶ ଓ ନିର୍ଦ୍ଦେଶ ଦିଆଯାଇଛି। ସଭାପତି ଶ୍ରୀ ନାରାୟଣ ପ୍ରଧାନ କହିଥିଲେ ଯେ ଜନସାଧାରଣଙ୍କୁ ଉନ୍ନତ ସେବା ପ୍ରଦାନ, ବିକାଶ କାର୍ଯ୍ୟରେ ଗତି ଆଣିବା ଏବଂ ସମନ୍ୱିତ ପ୍ରୟାସ ମାଧ୍ୟମରେ ବାଲେଶ୍ୱର ଜିଲ୍ଲାର ସର୍ବାଙ୍ଗୀନ ବିକାଶକୁ ସୁନିଶ୍ଚିତ କରିବା ଆମର ମୁଖ୍ୟ ଲକ୍ଷ୍ୟ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.