ଇମାମି ନଗର ଗୁଣ୍ଡିଚା ମେଳାର ଦ୍ୱିତୀୟ ଦିନରେ ଅନୁଷ୍ଠିତ ହେଲା ରାସଲୀଳା ଓ ଓଡ଼ିଶୀ ନୃତ୍ୟ : ଭକ୍ତିରସରେ ମୁଗ୍ଧ ହେଲେ ଶ୍ରଦ୍ଧାଳୁମାନେ

ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ରେମୁଣା ବାଲଗୋପାଳପୁର ସ୍ଥିତ ଇମାମି ନଗର ଶ୍ରୀ ଗୁଣ୍ଡିଚା ମନ୍ଦିର ମେଳାପଡ଼ିଆରେ ରଥ ଉତ୍ସବର ଦ୍ୱିତୀୟ ଦିନ ଭକ୍ତି, ସଂସ୍କୃତି ଓ ସେବାର ଅଦ୍ୱିତୀୟ ସମନ୍ବୟରେ ପାଳିତ ହୋଇଯାଇଛି। ମହାପ୍ରଭୁଙ୍କ ଦର୍ଶନ ଓ ମହାପ୍ରସାଦ ଲାଭ ପାଇଁ ସକାଳୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା। ଉତ୍ସବର ଉଦଘାଟନୀ ସମାରୋହରେ ପ୍ରସିଦ୍ଧ ଓଡ଼ିଶା ନୃତ୍ୟଶିଳ୍ପୀ ସୁଜାତା ମହାପାତ୍ର ଏବଂ ରେମୁଣା ବ୍ଲକ ଅଧ୍ୟକ୍ଷ ରାଜେନ୍ଦ୍ର ରାଉତ ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ। ସେମାନେ ଦୀପ ପ୍ରଜ୍ଜ୍ବଳନ କରି ଉତ୍ସବର ଶୁଭାରମ୍ଭ କରିଥିଲେ।

ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ସକାଳ ୧୦.୩୦ରୁ ୧୨.୦ ପର୍ଯ୍ୟନ୍ତ ମନ୍ତ୍ରୋଚ୍ଚାରଣ ସହ ତୁଳସୀ ଅଭିଷେକ ଅନୁଷ୍ଠିତ ହୋଇଥିଲା। ଅପରାହ୍ନ ୩.୩୦ରୁ ୫.୦ ପର୍ଯ୍ୟନ୍ତ ଭଜନ ମଣ୍ଡପରେ ରଙ୍ଗୋଲି ପ୍ରଦର୍ଶନୀ ଆୟୋଜିତ ହୋଇ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ମେଳାର ମୁଖ୍ୟ ଆକର୍ଷଣ ପାଲଟିଥିଲା। ସନ୍ଧ୍ୟା ୫ରୁ ୬ ପର୍ଯ୍ୟନ୍ତ ଗଣେଶ ବନ୍ଦନାର ଭକ୍ତିମୟ ସଙ୍ଗୀତ ପରିବେଶକୁ ଆଧ୍ୟାତ୍ମିକତାରେ ଭରିଦେଇଥିଲା। ଏହାପରେ ଓଡ଼ିଶୀ ନୃତ୍ୟଗୁରୁ ସୁଜାତା ମହାପାତ୍ର ଓ ତାଙ୍କ ଦଳଙ୍କ ଓଡ଼ିଶୀ ନୃତ୍ୟ ପ୍ରଦର୍ଶନ ଉପସ୍ଥିତ ଶ୍ରଦ୍ଧାଳୁଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। କାର୍ଯ୍ୟକ୍ରମର ସର୍ବାଧିକ ଚର୍ଚ୍ଚିତ ଅଂଶ ଥିଲା ହରିଦ୍ଵାରୁ ଆସିଥିବା ଏକ ପ୍ରତିଷ୍ଠିତ କଳାସଂସ୍ଥା ଦ୍ବାରା ପରିବେଷିତ ରାସଲୀଳା। ଶ୍ରୀକୃଷ୍ଣଙ୍କ ଦିବ୍ୟ ଲୀଳା ଉପରେ ଆଧାରିତ ଏହି ପ୍ରସ୍ତୁତିରେ ସୁମଧୁର ସଙ୍ଗୀତ, ଭାବପୂର୍ଣ୍ଣ ଅଭିନୟ ଓ ନୃତ୍ୟର ସମନ୍ବୟ ଦର୍ଶକଙ୍କୁ ଆଧ୍ୟାତ୍ମିକ ଆନ୍ଦରେ ଭସାଇ ଦେଇଥିଲା।

ରାତ୍ରି ୮.୪୫ରେ ଗଭୀର ଭକ୍ତି ଓ ଶାନ୍ତିପୂର୍ଣ୍ଣ ପରିବେଶ ମଧ୍ୟରେ ଶୟନ ଆରତି ସମ୍ପନ୍ନ ହୋଇଥିଲା। ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ସୁରକ୍ଷା ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ ଓ ପ୍ରସାଦ ବିତରଣର ସୁଚାରୁ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.