ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ପୂର୍ବତନ ବିଧାୟକ ସ୍ୱର୍ଗତ ଶିବାଜୀ ମାଝୀଙ୍କ ଅକାଳ ବିୟୋଗରେ ସମଗ୍ର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି। ତାଙ୍କ ସ୍ମୃତିରେ ଲାଞ୍ଜିଗଡ଼ ଶ୍ରୀ ହରିହର ସାଂସ୍କୃତିକ ସେବା ସମିତି ପକ୍ଷରୁ ଏକ ଶୋକସଭା ଅନୁଷ୍ଠିତ ହୋଇଛି। ସମିତିର ସଭାପତି ରାଜେନ୍ଦ୍ର ପ୍ରତାପ ସିଂଦେଓଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଶୋକସଭାରେ ଲାଞ୍ଜିଗଡ଼ ଆଞ୍ଚଳିକ ପରିଷଦ ସଭାପତି ଶ୍ରୀଧର ପେସନିଆ, ମନ୍ଦିର ପରିଚାଳନା କମିଟି କୋଷାଧ୍ୟକ୍ଷ ଚନ୍ଦ୍ରଧ୍ୱଜ ପେସନିଆ, ଲାଞ୍ଜିଗଡ଼ ଯୁବକ ସଂଘ ସଭାପତି ହିମାଦ୍ରୀ ପେସନିଆ, ସମାଜସେବୀ ଶ୍ରୀମୁଖ ଅଗସ୍ତି, ଏମ୍. ଚନ୍ଦ୍ର ଶେଖର, ସୁମନ୍ତ ଦଳବେହେରା, ରାଘବ ଗହୀର, କାର୍ତ୍ତିକ ଓଡ଼ିଆ, ଦେବେନ୍ଦ୍ର ମାଝୀ, ସାମ୍ବାଦିକ କ୍ଷମାନିଧି ମହାଖୁଡ଼, ରମେଶ ଚନ୍ଦ୍ର ନାୟକ, ମହେଶ୍ୱର ପତି ସମେତ ସମିତିର କର୍ମକର୍ତ୍ତା, ଯୁବକ ସଂଘର କର୍ମକର୍ତ୍ତା ଓ ସାଧାରଣ ଜନତା ଯୋଗଦେଇ ତାଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ଅବସରରେ ବକ୍ତାମାନେ ତାଙ୍କ ସରଳ ଓ ଜନପ୍ରିୟ ଜୀବନକୁ ସ୍ମରଣ କରି କହିଥିଲେ, ବିଧାୟକ ଥିବା ସମୟରେ ସେ ନିଜ ପାଣ୍ଠିରୁ ଲାଞ୍ଜିଗଡ଼ ଜଗନ୍ନାଥ ମନ୍ଦିର ନିର୍ମାଣ ପାଇଁ ଲକ୍ଷାଧିକ ଟଙ୍କା ଅନୁଦାନ ଦେଇଥିଲେ। ତାଙ୍କ ବିୟୋଗ ଅଞ୍ଚଳ ପାଇଁ ଅପୂରଣୀୟ କ୍ଷତି ବୋଲି ମତ ପ୍ରକାଶ ପାଇଥିଲା। ଶେଷରେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା ସହ ତାଙ୍କ ଆତ୍ମାର ସଦଗତି ଓ ଶୋକସନ୍ତପ୍ତ ପରିବାରକୁ ଶକ୍ତି ପ୍ରଦାନ ପାଇଁ ପ୍ରାର୍ଥନା କରାଯାଇଥିଲା।





