ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): ଦୁଇ ଦିନ ହେଲା ଲାଗି ରହିଛି ଲଘୁଚାପ ବର୍ଷା l ଏହି ଲଗାଣ ଯୋଗୁଁ ଦିର୍ଘ ବର୍ଷରୁ ଦୁର୍ବଳ ଅବସ୍ଥାରେ ଥିବା କୋକସରା ବ୍ଲକ ମୋଟେର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୁସୁମଖୁଣ୍ଟି ପୁଝାରୀପଡ଼ାର ସୋମନାଥ ମାଝୀଙ୍କ ଘର ଭାଙ୍ଗି ଯାଇଛି। ଯାହା ଫଳରେ ଦିନବେଳା ବୃଦ୍ଧ ଦମ୍ପତି ବିପଦପୂର୍ଣ୍ଣ ଭଙ୍ଗା ଘରେ ରହୁଥିବା ବେଳେ ରାତିରେ ପରଘରେ ଆଶ୍ରୟ ନେଉଛନ୍ତି। ଏହି ବୃଦ୍ଧ ଦମ୍ପତିଙ୍କ କୌଣସି ସନ୍ତାନ ସନ୍ତତି ନଥିବାବେଳେ ଏକୁଟିଆ ସେମାନେ ରହୁଛନ୍ତି। ସରକାରଙ୍କ ତରଫରୁ ସେମାନଙ୍କ ରାସନ୍ କାର୍ଡରେ ଚାଉଳ ମିଲୁଥିବା ବେଳେ ବାର୍ଦ୍ଧକ୍ୟ ଭତ୍ତା ମଧ୍ୟ ସେମାନଙ୍କୁ ମିଲୁ ନାହିଁ। ଏଭଳି ସ୍ଥିତିରେ ସେମାନଙ୍କୁ ମୁଣ୍ଡ ଉପରେ ଛାତଟେ କରିବା ମୁସ୍କିଲ ହୋଇ ପଡିଛି। ପକ୍କା ଗୃହ ଖଣ୍ଡିଏ ପାଇଁ ବିଭିନ୍ନ ସମୟରେ ପ୍ରଶାସନ ପାଖରେ ଦାବି ଓ ଗୁହାରି କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ତାଙ୍କୁ ଘର ମିଲି ପାରିନାହିଁ। ଗତ କିଛି ଦିନ ତଳେ ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରକାଶିତ ତଥ୍ୟ ଅନୁଯାୟୀ ତାଙ୍କ ନାମରେ ୫୯୫ ନମ୍ବର ସ୍ଥାନରେ ରହିଛି। ଯାହା ସେମାନଙ୍କ ସମୟ ଆସିବା ପାଇଁ ଅନେକ ଦିନ ଅତିକ୍ରମ କରିଯିବାକୁ ପଡ଼ିପାରେ। ଯାହା ସେମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି। କାହିଁକି ନାଁ ବର୍ତ୍ତମାନ ରହୁଥିବା ମାଟି କୁଡିଆ ଆଉ ରହିବା ଯୋଗ୍ୟ ହୋଇ ରହିନାହିଁ। ଅନେକ ଲୋକେ ସରକାର ଦ୍ବାରା ମିଲୁଥିବା ଗୃହ ସହଯରେ ହାତୋଉଥିବା ବେଳେ ସୋମନାଥଙ୍କ ପରି ଲୋକେ କେମିତି ବଞ୍ଚିତ ହେଉଛନ୍ତି। ତାହା’ ଆବାସ ଯୋଜନାର ଚଞ୍ଚକତା ଓ ଅନିୟମିତତା ହେଉଥିବା ସ୍ପଷ୍ଟ ବାରିହୋଇ ପଡୁଛି। ପ୍ରଶାସନ ପକ୍ଷରୁ ସୋମନାଥଙ୍କ ପରି ପ୍ରକୃତ ଯୋଗ୍ୟ ହିତାଧିକାରୀଙ୍କୁ ତଦନ୍ତ କରି ଗୃହ ପ୍ରଦାନ କରିବାକୁ ଦାବି ହେଉଛି। ଏହି ବୃଦ୍ଧ ଦମ୍ପତି ପ୍ରଶାସନ ପାଖରେ ଘର ଖଣ୍ଡିଏ ପାଇଁ ଗୁହାରି କରିଥିବା ବେଳେ ପ୍ରଶାସନ ପକ୍ଷରୁ ସେମାନଙ୍କୁ ଆବାସ ଯୋଜନାରେ ଗୃହ ଖଣ୍ଟିଏ କେବେ ଯୋଗାଇ ଦେଉଛନ୍ତି ଦେଖିବାକୁ ବାକି ରହିଲା l ଏ ବିଷୟରେ କୋକସରା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼ଃ ହିମାଞ୍ଚଳ ମାଝୀଙ୍କ ପ୍ରତିକ୍ରିୟା ନେବାରୁ ତଦନ୍ତ କରି ଯୋଗ୍ୟ ହୋଇଥିଲେ ଆବାସ ଗୃହ ଓ ଅନ୍ୟାନ୍ୟ ସାହାୟତା ପ୍ରଦାନ କରାଯିବ ବୋଲି କହିଛନ୍ତି।





