ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ତଥା ନର୍ଲା ନିର୍ବାଚନ ମଣ୍ଡଳୀର ଯୁବ ସଂଗଠକ, ସଂଗ୍ରାମୀ ଯୁବ ନେତା ଆଶୁତୋଷ ପାଢୀଙ୍କୁ ବିଜେପି ଯୁବ ମୋର୍ଚ୍ଚାର କଳାହାଣ୍ଡି ଜିଲ୍ଲା ଉପ ସଭାପତି ଭାବେ ଦାୟିତ୍ବ ପ୍ରଦାନ କରାଯାଇଛି। ତାଙ୍କ ନିଯୁକ୍ତିକୁ ନେଇ ନର୍ଲା ସମେତ କଳାହାଣ୍ଡି ଜିଲ୍ଲାର ଯୁବ କାର୍ଯ୍ୟକର୍ତ୍ତା ଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। ଆଶୁତୋଷ ପାଢୀ ସବୁ ସମୟରେ ସାମାଜିକ ଓ ସାଙ୍ଗଠନିକ କାର୍ଯ୍ୟକଳାପ ସହ ଜଡ଼ିତ ରହିଆସିଛନ୍ତି। ଯୁବମାନଙ୍କ ବିଭିନ୍ନ ପ୍ରସଙ୍ଗରେ ସକ୍ରିୟ ଭୂମିକା ନେବା ସହ ସାଙ୍ଗଠନିକ କାର୍ଯ୍ୟକୁ ଆଗେଇ ନେବାରେ ତାଙ୍କର ଅନେକ ଅବଦାନ ରହିଛି। ନର୍ଲା ନିର୍ବାଚନ ମଣ୍ଡଳୀରେ ଯୁବମାନଙ୍କୁ ସଂଗଠିତ କରିବା, ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମରେ ଯୁବ କାର୍ଯ୍ୟକର୍ତ୍ତାଙ୍କୁ ଯୋଡ଼ିବା ଓ ସାଙ୍ଗଠନିକ କାର୍ଯ୍ୟକଳାପକୁ ତୃଣମୂଳ ସ୍ତରରେ ପହଞ୍ଚାଇବାରେ ସେ ସକ୍ରିୟ ରହିଆସିଥିବା ଦଳୀୟ ମହଲରେ କୁହାଯାଇଛି। ନୂତନ ଦାୟିତ୍ବ ପାଇବା ପରେ ଶ୍ରୀ ପାଢୀ କହିଛନ୍ତି ଯେ, ଦଳ ପକ୍ଷରୁ ତାଙ୍କ ଉପରେ ରଖାଯାଇଥିବା ବିଶ୍ଵାସ ଓ ଦାୟିତ୍ବକୁ ସେ ନିଷ୍କାର ସହ ପାଳନ କରିବେ। କଳାହାଣ୍ଡି ଜିଲ୍ଲାରେ ଯୁବ ମୋର୍ଚ୍ଚା କୁ ଆହୁରି ସକ୍ରିୟ ଓ ସୁଦୃଢ଼ କରିବା ସହ ଅଧିକରୁ ଅଧିକ ଯୁବକ-ଯୁବତୀଙ୍କୁ ସଂଗଠନ ସହ ଯୋଡ଼ିବା ଦିଗରେ କାର୍ଯ୍ୟ କରିବେ ବୋଲି ଶ୍ରୀ ପାଢୀ କହିଛନ୍ତି। ତାଙ୍କ ନୂତନ ଦାୟିତ୍ବ ପାଇଁ ନର୍ଲା ବ୍ଲକ ତଥା କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଦଳୀୟ ନେତା, କାର୍ଯ୍ୟକର୍ତ୍ତାଙ୍କ ଶୁଭେଚ୍ଛାର ସୁଅ ଛୁଟୁଛି।





