ତିନି ଦିନ ଧରି ନିଖୋଜ ପରେ ବିଦ୍ୟାଳୟ ପଛପଟ ଝରଣାରୁ ମିଳିଲା ମୃତଦେହ
ଓଡ଼ିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): ବୋରିଗୁମ୍ମା ବ୍ଲକ ଅନ୍ତର୍ଗତ ଗୁମୁଡା ସରକାରୀ ଉଚ୍ଚ ବିଦ୍ୟାଳୟର ଅଷ୍ଟମ ଶ୍ରେଣୀର ଛାତ୍ର ଗୁରୁ ମୁଦୁଲିଙ୍କ ମୃତଦେହ ଆଜି ବିଦ୍ୟାଳୟ ପଛପଟେ ଥିବା ଏକ ଝରଣାରୁ ଉଦ୍ଧାର ହୋଇଛି। ସେ ବିଦ୍ୟାଳୟ ଛାତ୍ରାବାସରେ ରହି ପାଠ ପଢ଼ୁଥିଲେ। ଗତ ତିନି ଦିନ ଧରି ସେ ନିଖୋଜ ଥିବା ଜଣାପଡ଼ିଛି। ଗୁରୁ ମୁଦୁଲି ଛାତ୍ରାବାସରୁ ନିଖୋଜ ହେବା ପରେ ପରିବାର ଓ ବିଦ୍ୟାଳୟ ପକ୍ଷରୁ ତାଙ୍କୁ ଖୋଜାଖୋଜି କରାଯାଉଥିଲା। ତେବେ ଆଜି ବିଦ୍ୟାଳୟ ପଛପଟେ ଥିବା ଝରଣାରୁ ତାଙ୍କ ମୃତଦେହ ମିଳିବା ପରେ ପରିବାର ଲୋକେ ଭାଙ୍ଗିପଡ଼ିଛନ୍ତି। ଘଟଣାକୁ ନେଇ ଅଞ୍ଚଳରେ ମଧ୍ୟ ଶୋକର ଛାୟା ଖେଳିଯାଇଛି। ତେବେ ଛାତ୍ରଙ୍କ ନିଖୋଜ ଓ ପରବର୍ତ୍ତୀ ମୃତ୍ୟୁକୁ ନେଇ ପରିବାର ପକ୍ଷରୁ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅସାବଧାନତା ଓ ଦାୟିତ୍ୱହୀନତା ଉପରେ ଅଭିଯୋଗ ଅଣାଯାଇଛି। ଛାତ୍ରାବାସରୁ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର କିପରି ନିଖୋଜ ହେଲେ ଏବଂ ତିନି ଦିନ ଧରି ତାଙ୍କ ସନ୍ଧାନ କିପରି ଚାଲିଥିଲା, ତାହାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି। ଘଟଣାର ପ୍ରକୃତ କାରଣ କ’ଣ ଏବଂ ଛାତ୍ରଙ୍କ ମୃତ୍ୟୁ କେଉଁ ପରିସ୍ଥିତିରେ ହେଲା, ସେନେଇ ତଦନ୍ତ ପରେ ହିଁ ସ୍ପଷ୍ଟ ହେବ। ପରିବାର ପକ୍ଷରୁ ଘଟଣାର ନିରପେକ୍ଷ ତଦନ୍ତ କରି ପ୍ରକୃତ ତଥ୍ୟ ସାମ୍ନାକୁ ଆଣିବା ସହ ଯଦି କୌଣସି ଅବହେଳା ପ୍ରମାଣିତ ହୁଏ, ତେବେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରାଯାଇଛି।





