ଓଡ଼ିଆ ବାର୍ତ୍ତା/ ଟିଟିଲାଗଡ: ସମ୍ବଲପୁର ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ସାରସ୍ଵତ ସମାରୋହ ଅବସରରେ ସପ୍ତର୍ଷି ଭୀମ ଭୋଇ ସାହିତ୍ୟ ସମ୍ମାନ କବି ବୃନ୍ଦାବନ କୁମ୍ଭାର ଲାଭ କରିଛନ୍ତି। ମହିମା ସାହିତ୍ୟ ଓ ଦର୍ଶନର ପ୍ରଚାର ପ୍ରସାର କ୍ଷେତ୍ରକୁ ଆହୁରି ପାଦେ ଆଗେଇ ନେବାରେ କବି ବୃନ୍ଦାବନ ହେଉଛନ୍ତି ଅନ୍ୟତମ ସଫଳ ସ୍ରଷ୍ଟା। ଓଡ଼ିଶାର ବିଭିନ୍ନ ସାହିତ୍ୟ ପତ୍ରରେ ତାଙ୍କର ଭୀମ ଭୋଇଙ୍କ ଧର୍ମ ଓ ଦର୍ଶନ ସମ୍ବନ୍ଧିତ ଲେଖା ବରାବର ପ୍ରକାଶିତ ହୋଇ ଆସୁଅଛି। ବିଶେଷତଃ ଭୀମ ଭୋଇଙ୍କ “ସ୍ତୁତି ଚିନ୍ତାମଣି” କାବ୍ୟକୁ ପଶ୍ଚିମ ଓଡ଼ିଶାରେ ବ୍ୟବହୃତ ହେଉଥିବା ସମ୍ବଲପୁରୀ/କୋଶଲି ଭାଷାରେ ରୂପାନ୍ତରିତ କରି ଏହାକୁ ଆହୁରି ବ୍ୟାପକ ପାଠକୀୟତା ଦେବାରେ ସେ ଅନ୍ୟତମ ସ୍ରଷ୍ଟା। ଏହା ବ୍ୟତୀତ କବି ବୃନ୍ଦାବନ ପ୍ରାୟ ବିଂଶାଧିକ ପୁସ୍ତକ ରଚନା କରିବା ପୂର୍ବକ ଶିଶୁ ଲେଖା କ୍ଷେତ୍ରରେ ବେଶ୍ ଲୋକପ୍ରିୟ ଅଟନ୍ତି। ଜଣେ କୃତି ଶିକ୍ଷକ ଭାବେ ସେ ରାଜ୍ୟ କୃତି ସମ୍ମାନ ଲାଭ କରିଛନ୍ତି। ଅବସରାନ୍ତେ ଶିଶୁମାନଙ୍କର ପୁସ୍ତକ ପଠନ ପ୍ରତି ଆଗ୍ରହ ସୃଷ୍ଟି କରିବା ପାଇଁ ତାଙ୍କ ଦ୍ବାରା ପ୍ରତିଷ୍ଠିତ ଓ ପରିଚାଳିତ ବିଦ୍ୟାଶ୍ରୀ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର ରାଜ୍ୟ ତଥା ରାଜ୍ୟ ବାହାରେ ସକ୍ରିୟ ରହି ବେଶ ପ୍ରଶଂସିତ। ଏହାବ୍ୟତୀତ ସେ “ଫୁଲ ବଗିଚା” ନାମକ ଏକ ଶିଶୁ ପତ୍ରର ସଂପାଦକ ମଧ୍ୟ ଅଟନ୍ତି। କବି ବୃନ୍ଦାବନ କୁମ୍ଭାରଙ୍କ ଶିଶୁ କବିତା ସଂକଳନ “ଫୁଲ ବଗିଚା”ନିକଟରେ ପ୍ରକାଶିତ ହେବ।ଜଣେ ମହିମା ଧର୍ମାବଲମ୍ବୀ ଓ ମହିମା ସାହିତ୍ୟର ସାଧକ ଭାବେ ଏହି ମର୍ଯ୍ୟାଦାପୂର୍ଣ୍ଣ ସମ୍ମାନ ଲାଭ କରିଥିବାରୁ ଏ ମାଟି ଗର୍ବିତ। ଏଥିପାଇଁ ସାରା ଓଡ଼ିଶାରୁ ତାଙ୍କ ପାଖକୁ ଅଭିନନ୍ଦନର ସୁଅ ଛୁଟୁଛି। ଵିଶେଷତଃ କବି ବୃନ୍ଦାବନ ଜିଲ୍ଲା ଲେଖକ ପରିଷଦ ବଲାଙ୍ଗୀର,କୋଶଲି ଭାଷା ସୁରକ୍ଷା ସମିତି ଟିଟିଲାଗଡ଼, ବରିଷ୍ଠ ନାଗରିକ ସଂଘ ଟିଟିଲାଗଡ଼, ସାହିତ୍ୟ ସଂସ୍କୃତି ଟିଟିଲାଗଡ଼, ଓଡ଼ିଶାର ବିଭିନ୍ନ ଶିଶୁ ସାହିତ୍ୟ ଅନୁଷ୍ଠାନ, କୋଶଲି ସାଂସ୍କୃତିକ ମହାଜୋଟ ଟିଟିଲାଗଡ଼ ଓ ସଂପୃକ୍ତ ଶିକ୍ଷାନୁଷ୍ଠାନ ମାନଙ୍କରେ ସକ୍ରିୟ ସଭ୍ୟ ରହି ଥିବାରୁ ସମସ୍ତଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଉଠିଛି।





