ଡିଜିଟାଲ ଯୁଗରେ ସାମ୍ବାଦିକତାର ଦାୟିତ୍ୱ ଓ ନିରପେକ୍ଷତା ଉପରେ ଗୁରୁତ୍ୱାରୋପ
ଓଡ଼ିଆ ବାର୍ତ୍ତା/ କୋରାପୁଟ (ସୁନ୍ଦର କୁମାର ପାଣି): ସ୍ଥାନୀୟ ଅଲିଶାନ ହୋଟେଲ ପରିସରରେ ଏନ୍ଟିଭି ଓଡ଼ିଆ ନ୍ୟୁଜ୍ ଚ୍ୟାନେଲ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଚ୍ୟାନେଲର କୋରାପୁଟ ଜିଲ୍ଲା ପ୍ରତିନିଧି ସୁଜିତ ବୋଷଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ କୋରାପୁଟର ବରିଷ୍ଠ ଆଇନଜୀବୀ ଅଶୋକ ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ଚ୍ୟାନେଲ ମୁଖ୍ୟ ବିଶ୍ୱ ଏବଂ ଷ୍ଟେଟ୍ ମିଡିଆ ୟୁନିୟନର ସଭାପତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ଡିଜିଟାଲ ଯୁଗରେ ସାମ୍ବାଦିକତାର ଭୂମିକା, ଦାୟିତ୍ୱ ଓ ଆହ୍ୱାନ ସମ୍ପର୍କରେ ଆଲୋକପାତ କରିଥିଲେ। ଦ୍ରୁତଗତିରେ ବଦଳୁଥିବା ଡିଜିଟାଲ ମାଧ୍ୟମ ଯୁଗରେ ଖବର ପରିବେଷଣ ସହିତ ସତ୍ୟତା, ନିରପେକ୍ଷତା ଓ ଦାୟିତ୍ୱବୋଧକୁ ସାମ୍ବାଦିକମାନେ ପ୍ରାଥମିକତା ଦେବା ଆବଶ୍ୟକ ବୋଲି ଅତିଥିମାନେ ମତପ୍ରକାଶ କରିଥିଲେ। ଆଦିବାସୀ ବହୁଳ କୋରାପୁଟ ଜିଲ୍ଲାର ପାହାଡ଼ିଆ, ଦୁର୍ଗମ ଓ ଅପହଞ୍ଚ ଅଞ୍ଚଳରେ ଘଟୁଥିବା ଘଟଣା ଓ ଲୋକଙ୍କ ସମସ୍ୟାକୁ ସାମ୍ନାକୁ ଆଣିବା ସାମ୍ବାଦିକମାନଙ୍କ ପାଇଁ ବଡ଼ ଆହ୍ୱାନ ବୋଲି ଅତିଥିମାନେ କହିଥିଲେ। କଠିନ ପରିସ୍ଥିତି ସତ୍ତ୍ୱେ ଜିଲ୍ଲାର ସାମ୍ବାଦିକମାନେ ଲୋକଙ୍କ ସମସ୍ୟା, ଅଧିକାର ଓ ବାସ୍ତବ ଚିତ୍ରକୁ ଗଣମାଧ୍ୟମ ସମ୍ମୁଖକୁ ଆଣିବାରେ ନିରନ୍ତର ପ୍ରୟାସ କରୁଥିବାରୁ ସେମାନଙ୍କୁ ପ୍ରଶଂସା କରାଯାଇଥିଲା। ସଭାରେ କୋରାପୁଟ ଜିଲ୍ଲାର ବହୁ ସାମ୍ବାଦିକଙ୍କ ସମେତ ସମାଜସେବୀ ପ୍ରଦୀପ୍ତ ଟାକ୍ରୀ, ସୋଲମନ ଖୋସଲା, ଜୟନ୍ତ କୋଚିମଙ୍କ ସମେତ ବିଭିନ୍ନ ଅଞ୍ଚଳର ଶିକ୍ଷାବିତ୍ମାନେ ଯୋଗଦେଇଥିଲେ। ଏହି ଅବସରରେ ସାମ୍ବାଦିକତାର ଗୁରୁତ୍ୱ, ଗଣମାଧ୍ୟମର ଦାୟିତ୍ୱ ଏବଂ ଜନସାଧାରଣଙ୍କ ସ୍ୱରକୁ ଅଧିକ ପ୍ରଭାବଶାଳୀ ଭାବେ ସାମ୍ନାକୁ ଆଣିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା।





