ନର୍ଲାରେ ସିରିଜ ଡକାୟତି ଘଟଣା; ଥାନାରେ ୫ ଅଟକ

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରେ ଗତ ୪ ମାସ ମଧ୍ୟରେ ୧୫ ରୁ ଉର୍ଦ୍ଧ୍ୱ ଚୋରୀ, ଡକାୟତି, ଦୋକାନ ଲୁଟ ଘଟଣା ସଙ୍ଘଟିତ ହୋଇ ଆସୁଥିଲା। ଏନେଇ ନର୍ଲା ଥାନାରେ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଦୀର୍ଘ ୪ ମାସ ଧରି ପୋଲିସ ର ହାତ କାଲି ପଡିଥିଲା। ନର୍ଲା ପୋଲିସକୁ ଚାଲେଞ୍ଜ ପରେ ଚାଲେଞ୍ଜ ଦେଇ ଡକାୟତି କରି ଚାଲିଥିଲେ ସିରିଜ ଡକାୟତ ଦଳ। ରୁପ୍ରାରୋଡ ଅଳଙ୍କାର ଦୋକାନ ଲୁଟ ଘଟଣା, ତୁଳାପଡା ସତ୍ୟବ୍ରତ ଦାସ ଘର ଚୋରୀ ଘଟଣା, ନର୍ଲା ଥାନା ସମ୍ମୁଖରେ ରହିଥିବା ଜିନମାତା ଦୋକାନ ଚୋରୀ ଘଟଣା। ଏହି ପ୍ରଭୃତି ଚୋରୀ ଘଟଣାରେ ସନ୍ଧାନୀ କୁକୁର ଆସି ଅନୁସନ୍ଧାନ କରି ଫେଲ ମାରିଥିଲା। ରୁପ୍ରାରୋଡ ର ତିନି ଜଣ ବ୍ୟବସାୟୀଙ୍କ ଠାରୁ ବିଭିନ୍ନ ସମୟରେ ୧୦ ଲକ୍ଷ, ୧୫ ଲକ୍ଷ ଏଭଳି ୪୫ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଛୁରୀ ଓ ପିସ୍ତଲ ଦେଖାଇ ଲୁଟ କରାଯାଇଥିଲେ ମଧ୍ୟ ଡକାୟତଙ୍କ ପତ୍ତା ପାଇ ପାରୁନଥିଲା ନର୍ଲା ପୋଲିସ। ଇତି ମଧ୍ୟରେ ନର୍ଲା ଆଇଆଇସି ବିଜୟରାଜ ମାଝୀଙ୍କୁ ଜିଲ୍ଲା ହେଡ କ୍ୱାର୍ଟର ଏସପି ଅଫିସକୁ ସ୍ଥାନାନ୍ତର ହୋଇସାରିଛି। ନର୍ଲାର ନୂଆ ଆଇଆଇସି ଭାବରେ କୈବଲ୍ୟ ସେଠ ଦାଇତ୍ୱଭାର ଗ୍ରହଣ କରି ନର୍ଲାରେ ଗତ ୪ ମାସ ଧରି ଚାଲିଆସିଥିବା ଚୋରୀ ଓ ଡକାୟତି ଘଟଣାକୁ ପ୍ରାଥମିକତା ଦେଇ ଅନୁସନ୍ଧାନକୁ କଡାକଡି କରିଥିଲେ। ଫଳ ସ୍ୱରୁପ ଉପରୋକ୍ତ ସମସ୍ତ ଚୋରୀ ଓ ଡକାୟତି ଘଟଣାର ମାଷ୍ଟର ମାଇଣ୍ଡ କୁହାଯାଉଥିବା ନର୍ଲା ବ୍ଲକ ରୁପ୍ରାରୋଡ ଗ୍ରାମ ପଞ୍ଚାୟତର ବଲବସପୁର ଗ୍ରାମର ତିନିଜଣ ବ୍ୟକ୍ତି ଓ ଲାଞ୍ଜିଗଡ ବ୍ଲକ ର ସିକେରକୁପା ତଥା ପାଖ ଗାଁ ର ଅଗ୍ରଣୀ ପଦବୀରେ ରହିଥିବା ବିଜେପି ଯୁବ ମୋର୍ଚ୍ଚାର ଜଣେ ଯୁବକ ଓ ଜଣେ ବିଜେଡି ନେତାଙ୍କ ଭଣଜା ହୋଇଥିବା ଜଣାପଡିଛି। ଡକାୟତ ମାନଙ୍କୁ ଗିରଫ କରି ନର୍ଲା ପୋଲିସ ଆଣିଥିବା ଖବର ଜଣାପଡିବା ପରେ ସାଧାରଣ ଲୋକ ଓ ଚୋରୀ, ଡକାୟତି ଓ ଲୁଟ ଘଟଣା ନେଇ ଅଭିଯୋଗ କରିଥିବା ବ୍ୟବସାୟୀ, ଦୋକାନୀ ଓ ଘର ମାଲିକ ମାନଙ୍କ ଭିଡ ନର୍ଲା ଥାନାରେ ଦେଖିବାକୁ ମିଳୁଛି। ଏହା ବାଦ ଚୋର ଡକାୟତ ମାନେ କାହାର ଭଣଜା, କାହାର ପୁଅ, କାହାର ଭାଇ ହୋଇଥିବା ବେଳେ ପରିବାର ସଦସ୍ୟ ମାନେ ମଧ୍ୟ ସେମାନଙ୍କୁ କଳେବଳେ କୌଶଳେ ମୁକୁଳାଇବା ପାଇଁ ନର୍ଲା ଥାନାକୁ ଆସି ଶକ୍ତି ଲଗେଇ, ନେତା ମନ୍ତ୍ରୀ ମାନଙ୍କୁ ଚାପ ପକାଉଥିବା ଜଣାପଡିଛି। ନର୍ଲା ପୋଲିସ କୁ ଏ ବିଷୟରେ ପଚାରିବାରୁ କେତେ ଜଣଙ୍କୁ ଆମେ ନର୍ଲା ଥାନାକୁ ଆଣିଛୁ। ଅଧିକ ତଦନ୍ତ ଚାଲିଛି। ଏଥିରେ ସମ୍ପୃକ୍ତ ଅନ୍ୟ ମାନଙ୍କୁ ମଧ୍ୟ ଖୁବ ଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.