ବାଲେଶ୍ଵର ବନ୍ୟାଞ୍ଚଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ହେଲା ଜୋରଦାର : ଜିଲ୍ଲାପାଳଙ୍କ ବନ୍ୟାଞ୍ଚଳ ପରିଦର୍ଶନ

• ଅଗ୍ନିଶମ ବାହିନୀର ଉଦ୍ଧାର ଅଭିଯାନ
• ବନ୍ୟା ପୀଡ଼ିତଙ୍କୁ ରନ୍ଧା ଖାଦ୍ୟ ଯୋଗାଣ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ବାଲେଶ୍ୱର ଜିଲ୍ଲାର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି। ବାଲେଶ୍ୱର ପୌରପାଳିକା ସମେତ ଭୋଗରାଇ ଓ ବାଲିଆପାଳ ବ୍ଲକ୍‌ର ବନ୍ୟା ପ୍ରଭାବିତ ଅଞ୍ଚଳରେ ଅଗ୍ନିଶମ ସେବା ବାହିନୀର ଦଳଗୁଡ଼ିକ ସକ୍ରିୟ ଭାବେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଜଳବନ୍ଦୀ ହୋଇ ରହିଥିବା ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରିବା ସହ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଉଛି। ବନ୍ୟା ପ୍ରଭାବିତ ଲୋକଙ୍କୁ ତୁରନ୍ତ ଖାଦ୍ୟ ଯୋଗାଇବା ପାଇଁ ଜଳେଶ୍ୱର ଓ ଭୋଗରାଇ ବ୍ଲକ୍‌ର ବିଭିନ୍ନ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ମାଗଣା ରନ୍ଧନଶାଳା ଖୋଲା ଯାଇଛି। ଏଠାରୁ ବନ୍ୟା ପ୍ରଭାବିତ ପରିବାରଗୁଡ଼ିକୁ ସଦ୍ୟ ପ୍ରସ୍ତୁତ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଉଛି। ଏଥିସହ ଆବଶ୍ୟକତା ଅନୁଯାୟୀ ଅନ୍ୟାନ୍ୟ ରିଲିଫ୍ ସହାୟତା ମଧ୍ୟ ପହଞ୍ଚାଯାଉଛି। ବାଲେଶ୍ୱର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଓ ଉପଜିଲ୍ଲାପାଳ ଶିବ ମାଲବ୍ୟ ଭୋଗରାଇ ଓ ବାଲିଆପାଳ ବ୍ଲକ୍‌ର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ଜଳସ୍ତରର ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ସେମାନେ ଚାଲିଥିବା ଉଦ୍ଧାର ଓ ରିଲିଫ୍ କାର୍ଯ୍ୟର ତଦାରଖ କରିବା ସହ ମାଗଣା ରନ୍ଧନଶାଳାଗୁଡ଼ିକର କାର୍ଯ୍ୟକାରିତା ମଧ୍ୟ ସମୀକ୍ଷା କରିଥିଲେ।

ପରିଦର୍ଶନ ସମୟରେ ଜିଲ୍ଲାପାଳ ଓ ଉପଜିଲ୍ଲାପାଳ ବନ୍ୟା ପ୍ରଭାବିତ ଲୋକଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ସମସ୍ୟା ଓ ଅଭିଯୋଗ ଶୁଣିଥିଲେ। ଲୋକଙ୍କ ତୁରନ୍ତ ଆବଶ୍ୟକତା ଆକଳନ କରି ସେହି ଅନୁଯାୟୀ ଖାଦ୍ୟ, ରିଲିଫ୍ ଓ ଅନ୍ୟାନ୍ୟ ଆବଶ୍ୟକ ସହାୟତା ଯୋଗାଣ ସୁନିଶ୍ଚିତ କରିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ଏଥିସହ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଭୋଗରାଇ ବ୍ଲକ୍‌ରେ ରହି ବନ୍ୟା ପ୍ରଭାବିତ ଅଞ୍ଚଳରେ ଚାଲିଥିବା ଉଦ୍ଧାର ଓ ରିଲିଫ୍ କାର୍ଯ୍ୟର ତଦାରଖ କରୁଛନ୍ତି। ମାଗଣା ରନ୍ଧନଶାଳାଗୁଡ଼ିକ ମାଧ୍ୟମରେ ବନ୍ୟା ପୀଡ଼ିତଙ୍କୁ ସମୟୋଚିତ ଭାବେ ରନ୍ଧା ଖାଦ୍ୟ ଯୋଗାଣ ଓ ଆବଶ୍ୟକ ସହାୟତା ପହଞ୍ଚାଇବା ଉପରେ ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି। ବନ୍ୟା ପରିସ୍ଥିତିରେ ଲୋକଙ୍କ ସୁରକ୍ଷା, ଉଦ୍ଧାର ଏବଂ ରିଲିଫ୍ ବଣ୍ଟନକୁ ପ୍ରାଥମିକତା ଦେଇ ବିଭିନ୍ନ ପ୍ରଶାସନିକ ଓ ଉଦ୍ଧାରକାରୀ ଦଳ ସମନ୍ୱୟରେ କାର୍ଯ୍ୟ କରୁଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.