ରାୟଗଡ଼ା ସହରରେ ଆରମ୍ଭ ହେବାକୁ ଯାଉଛି ଅତ୍ୟାଧୁନିକ ମେକାନିକାଲ ସ୍ୱିପିଂ ବ୍ୟବସ୍ଥା

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ପୌରପରିଷଦ ଅଞ୍ଚଳକୁ ଅଧିକ ସ୍ୱଚ୍ଛ,ସୁନ୍ଦର ତଥା ପ୍ରଦୂଷଣମୁକ୍ତ କରିବା ଉଦ୍ଦେଶ୍ୟରେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ର ପତ୍ର ସଂଖ୍ୟା ୮୬୨୫ / ୨୨.୦୪.୨୦୨୬ ଅନୁସାରେ ସମ୍ବଲପୁର ମହାନଗର ନିଗମ,ଜୟପୁର୍ ପୌରପରିଷଦ ଏବଂ ରାୟଗଡ଼ ପୌରପରିଷଦ କୁ ଯାନ୍ତ୍ରିକ ସଫେଇ ପାଇଁ ଗ୍ରୀନ ଇନୋଭେଟିବ ପାୱାର ପ୍ରାଇଭେଟ୍ ଲିମିଟେଡ ସଂସ୍ଥାକୁ ନିୟୋଜିତ କରାଯାଇଛି । ଏହି ସଂସ୍ଥା ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିବା ପାଇଁ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ସ୍ଵାୟତ ଶାସନ ଦିବସ ପାଳନ ଅବସରରେ ରାୟଗଡ଼ା ଜିଲ୍ଲାର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଆପାଲା ସ୍ଵାମୀ କାଡ୍ରାକା ଏହି ଯାନ୍ତ୍ରିକ ସଫେଇ ଗାଡିକୁ ରାୟଗଡ଼ା ପୌରପରିଷଦର ଅଧକ୍ଷ,କାର୍ଯ୍ୟନିର୍ବାହୀ ଅଧିକାରୀ, ସମସ୍ତ ପରିଷଦ ବୃନ୍ଦ ଏବଂ ପୌର କର୍ମଚାରୀଙ୍କ ଉପସ୍ଥିତିରେ ଉଦ୍ଘାଟନ କରିଥିଲେ । ୧ ସେପ୍ଟେମ୍ବର ୨୦୨୬ ରୁ ରାୟଗଡ଼ା ସହର ରେ ଅତ୍ୟାଧୁନିକ ମେକାନିକାଲ ସ୍ୱିପିଂ ସେବା ଆରମ୍ଭ କରାଯାଇଛି । 
ଏହି ଯାନ୍ତ୍ରିକ ସଫେଇ ବ୍ୟବସ୍ଥା ଦ୍ୱାରା ପୌରାଞ୍ଚଳ ଅଧୀନରେ ଥିବା ସମସ୍ତ ମୁଖ୍ୟ ରାସ୍ତାଗୁଡ଼ିକର ସଫେଇ କାର୍ଯ୍ୟ ସୁଚାରୁରୂପେ ସମ୍ପାଦିତ ହେବ । ଅତ୍ୟାଧୁନିକ ମେସିନ୍ ସାହାଯ୍ୟରେ ଧୂଳି,ବାଲି ଏବଂ ଅଳିଆ ଆବର୍ଜନାକୁ ଖୁବ୍ କମ୍ ସମୟ ମଧ୍ୟରେ ସଫା କରାଯାଇ ପାରିବ,ଯାହା ପାରମ୍ପରିକ ସଫେଇ ତୁଳନାରେ ଯଥେଷ୍ଟ ଉନ୍ନତ ଓ ପ୍ରଭାବଶାଳୀ ହେବ । ସହରର ସମସ୍ତ ପ୍ରମୁଖ ତଥା ବ୍ୟସ୍ତ ବହୁଳ ରାଜପଥ ଓ ରାସ୍ତା ଗୁଡ଼ିକ ଏହି ବ୍ୟବସ୍ଥା ଅଧୀନରେ ନିୟମିତ ଭାବେ ସଫେଇ କରାଯିବ । ରାସ୍ତାରୁ ଉଡୁଥିବା ଧୂଳିକୁ ମେସିନ୍ ଦ୍ୱାରା ଟାଣି ନିଆଯିବା ଫଳରେ ସହରର ବାୟୁ ଗୁଣବତ୍ତାରେ ଉନ୍ନତି ଆସିବ ଏବଂ ନାଗରିକଙ୍କ ସ୍ୱାସ୍ଥ୍ୟ ସୁରକ୍ଷିତ ରହିବ । ଏହି ସେବା ପରିଚାଳନା ପାଇଁ ସରକାରୀ ନିୟମାନୁଯାୟୀ ଯୋଗ୍ୟତା ହାସଲ କରିଥିବା ଗ୍ରୀନ ଇନୋଭେଟିବ୍ ପାୱାର ପ୍ରାଇଭେଟ୍ ଲିମିଟେଡ଼ ସଂସ୍ଥା ଦ୍ୱାରା ଉଚ୍ଚ ମାନର ମେସିନ୍ ନିୟୋଜିତ କରାଯାଉଛି । ରାୟଗଡ଼ା କୁ ଏକ ସ୍ୱଚ୍ଛ ଓ ସବୁଜ ସହର ଭାବେ ଗଢ଼ି ତୋଳିବା ପାଇଁ ପୌର ପ୍ରଶାସନ ସର୍ବଦା ପ୍ରତିଶ୍ରୁତିବଦ୍ଧ । ଏହି ନୂତନ ପଦକ୍ଷେପକୁ ସଫଳ କରିବା ପାଇଁ ପୌରପରିଷଦ ତରଫରୁ ସମସ୍ତ ସହରବାସୀଙ୍କ ଆନ୍ତରିକ ସହଯୋଗ କାମନା କରାଯାଉଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.