ନୂଆପଡ଼ାରେ ଜିଲ୍ଲାସ୍ତରୀୟ ଗୁରୁ ଦିବସ ପାଳିତ, ୫୫ ଅବସରପ୍ରାପ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ସମ୍ବର୍ଦ୍ଧିତ

ଓଡ଼ିଆ ବାର୍ତ୍ତା/ ବୋଡେ଼ନ (ରିଖିରାମ ଦଳ): ନୂଆପଡ଼ା ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ଆନୁକୂଲ୍ୟରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ଜିଲ୍ଲାସ୍ତରୀୟ ଗୁରୁ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ଅମିଲାଲ୍ ଶବର ଆମନ୍ତ୍ରିତ ଅତିଥିମାନଙ୍କୁ ସ୍ୱାଗତ ଜଣାଇବା ସହ ଗୁରୁ ଦିବସ ପାଳନର ଉଦ୍ଦେଶ୍ୟ ଓ ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ।

ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ନିଜ ଅଭିଭାଷଣରେ ସେ କହିଥିଲେ ଯେ, ଛାତ୍ରଛାତ୍ରୀଙ୍କ ଜୀବନ ଗଠନ ଓ ଭବିଷ୍ୟତ ନିର୍ମାଣରେ ଶିକ୍ଷକଙ୍କ ଭୂମିକା ଅତୁଳନୀୟ। ମାଆ ହେଉଛନ୍ତି ଜଣେ ଶିଶୁର ପ୍ରଥମ ଓ ଶ୍ରେଷ୍ଠ ଗୁରୁ। ଶିକ୍ଷକମାନେ ନିଜେ ନିରନ୍ତର ଅଧ୍ୟୟନ କରିବା ସହ ଛାତ୍ରଛାତ୍ରୀଙ୍କୁ ଜ୍ଞାନର ଆଲୋକ ପ୍ରଦାନ କରନ୍ତି। ଶିକ୍ଷକମାନେ ଜାଗ୍ରତ ରହିଲେ ସମାଜ ମଧ୍ୟ ଜାଗ୍ରତ ରହିବ ବୋଲି ସେ ମତବ୍ୟକ୍ତ କରିଥିଲେ।

ମହାନ ଶିକ୍ଷାବିତ୍‌ ତଥା ଭାରତର ପୂର୍ବତନ ରାଷ୍ଟ୍ରପତି ଡ. ସର୍ବପଲ୍ଲୀ ରାଧାକୃଷ୍ଣନଙ୍କୁ ସ୍ମରଣ କରି ଜିଲ୍ଲାପାଳ ଗୁରୁ ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ନିଜ ଶିକ୍ଷକମାନଙ୍କୁ ମଧ୍ୟ ସ୍ମରଣ କରି ସେମାନଙ୍କ ଅବଦାନ ପ୍ରତି କୃତଜ୍ଞତା ଜଣାଇଥିଲେ। ଛାତ୍ରଛାତ୍ରୀମାନେ ଜୀବନରେ କେବଳ ସଫଳ ହେବା ନୁହେଁ, ବରଂ ଜଣେ ଭଲ ମଣିଷ ହେବାକୁ ଲକ୍ଷ୍ୟ ରଖିବା ଉଚିତ ବୋଲି ସେ ପରାମର୍ଶ ଦେଇଥିଲେ।

ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଲ୍ ସିଂ, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ. ରେଶମଲାଲ ନାଏକ, ଜିଲ୍ଲା ପରିଷଦ ସଦସ୍ୟ ଭାନୁ ପ୍ରତାପ ସିଂ ମାଝୀ, ଜିଲ୍ଲା ଓକିଲ ସଂଘ ସଭାପତି କ୍ଷିତୀଶ ଅଶୋକ ବୋଧନକର, ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘର ଉପସଭାପତି ପ୍ରଶାନ୍ତ ପଣ୍ଡା ଏବଂ ପ୍ରାଥମିକ ଶିକ୍ଷକ ସଂଘର ରାଜ୍ୟ ଉପସଭାପତି ଶିକ୍ଷକ ଆଶିଷ ପାଢ଼ୀ ପ୍ରମୁଖ ଯୋଗଦେଇ ଗୁରୁଙ୍କ ମହତ୍ତ୍ୱ, ଶିକ୍ଷକଙ୍କ ଦାୟିତ୍ୱ ଓ ସମାଜ ଗଠନରେ ଶିକ୍ଷାର ଭୂମିକା ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ସଭାପତି ତଥା ଜିଲ୍ଲା ଶିକ୍ଷା ଅଧିକାରୀ ଡ. ପ୍ରଶାନ୍ତ କୁମାର ମହାନ୍ତି ସଭାପତିତ୍ୱ କରିଥିଲେ। ଏହି ଅବସରରେ ଜିଲ୍ଲାର ୫୫ ଜଣ ଅବସରପ୍ରାପ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଉପଢୌକନ ଓ ସମ୍ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା। ବରିଷ୍ଠ ଶିକ୍ଷକ ଶଙ୍କର୍ଷଣ ପୁରୋହିତ ମଞ୍ଚ ପରିଚାଳନା କରିଥିବାବେଳେ ପ୍ରଧାନ ଶିକ୍ଷୟିତ୍ରୀ ପ୍ରାଜ୍ଞ ପରମିତା ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.