ଓଡ଼ିଆ ବାର୍ତ୍ତା/ ଭୁବନେଶ୍ଵର: ଅସ୍ମିତାବୋଧର ପ୍ରତୀକ ପଣ୍ଡିତ ନୀଳକଣ୍ଠ ଦାସଙ୍କ ସାରସ୍ୱତ କୃତି ଓ କୃତିତ୍ଵ ଉଭୟ ସାହିତ୍ୟ ଓ ଅନ୍ୟାନ୍ୟ କ୍ଷେତ୍ରରେ ଚିରସ୍ମରଣୀୟ ହୋଇ ରହିଅଛି। ଶିକ୍ଷା, ସାହିତ୍ୟ, ରାଜନୀତି ଆଦି ବହୁ ଦିଗରେ ଯାହାଙ୍କର ଅବଦାନ ଭାଷା ସାହିତ୍ୟ ଠାରୁ ଆରମ୍ଭ କରି ସମାଜ ଶାସନ ପର୍ଯ୍ୟନ୍ତ ଦେଶର ସବୁରି କ୍ଷେତ୍ରରେ ଉନ୍ନତି କରିବାରେ ସେ ଥିଲେ ଅନ୍ୟତମ ଦିଗ୍ଦର୍ଶକ ବୋଲି ଆଜି ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଭୁବନେଶ୍ଵର ସ୍ଥିତ ସଂସ୍କୃତି ଭବନ ସମ୍ମିଳନୀ କକ୍ଷଠାରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ସ୍ମାରକୀ ବକ୍ତୃତା କାର୍ଯ୍ୟକ୍ରମରେ ଆମନ୍ତ୍ରିତ ଅତିଥିମାନଙ୍କ ଦ୍ଵାରା ମତପ୍ରକାଶ ପାଇଛି। ପଣ୍ଡିତ ନୀଳକଂଠ ଦାସଙ୍କ ପୁଣ୍ୟସ୍ମୃତିରେ ସ୍ମାରକୀ ବକ୍ତୃତାର ବିଷୟବସ୍ତୁ ‘ଓଡ଼ିଶାର ଅସ୍ମିତା ନିର୍ମାଣରେ ପଣ୍ଠିତ ନୀଳକଂଠ ଦାସଙ୍କ ଅବଦାନ‘କୁ ଆଧାର କରି ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ବିଶିଷ୍ଟ ସାହିତ୍ୟିକ ଓ ଲୋକସଂସ୍କୃତି ଗବେଷକ ଡକ୍ଟର ମହେନ୍ଦ୍ର କୁମାର ମିଶ୍ର ସାରଗର୍ଭକ ସ୍ମାରକୀ ବକ୍ତୃତା ପ୍ରଦାନ କରିଥିଲେ। ପଣ୍ଡିତ ଗୋପବନ୍ଧୁ ଦାସ, ପଣ୍ଡିତ ଗୋଦାବରୀଶ ମିଶ୍ର ଓ ପଣ୍ଡିତ କୃପାସିନ୍ଧୁ ମିଶ୍ରଙ୍କ ସହିତ ସାହିତ୍ୟ ସୃଷ୍ଟି ମାଧ୍ୟମରେ ଇତିହାସର ଅନ୍ତରାଳରେ ଓଡ଼ିଆ ଜାତିକୁ ଶିକ୍ଷା, ସଂସ୍କୃତିମୂଳକ, ସଂସ୍କାରମୂଳକ, ସମାଲୋଚନାଧର୍ମୀ, କଳାତ୍ମକ ଓ ଆଧ୍ୟାତ୍ମିକ ଭାବଧାରା ସମନ୍ଵିତ ବହୁ ଉପାଦେୟ ପ୍ରବନ୍ଧ ଓଡ଼ିଆ ଓ ଇଂରାଜୀ ଭାଷାରେ ରଚନା କରି ସେ ନିଜର ବିଜ୍ଞତା ତଥା ପାରଦର୍ଶିତା କିପରି ପ୍ରତିପାଦନ କରିପାରିଥିଲେ ଏ ସଂପର୍କରେ ବିଶିଷ୍ଟ ଅତିଥି ଭାବେ ଡକ୍ଟର ପୂର୍ଣ୍ଣେନ୍ଦୁ କୁମାର ଦାସ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଅତିବଡ଼ି ଜଗନ୍ନାଥ ଦାସ ପୁରସ୍କାରପ୍ରାପ୍ତ ବିଶିଷ୍ଟ ଗାଳ୍ପିକ ତଥା ଔପନ୍ୟାସିକ ଶାନ୍ତନୁ କୁମାର ଆଚାର୍ଯ୍ୟ ମୁଖ୍ୟଅତିଥି ଭାବେ ଯୋଗଦାନ କରି ପୂର୍ବରୁ ଆଲୋଚନା କରିଥିବା ଅତିଥିମାନଙ୍କ ବକ୍ତବ୍ୟରୁ ସମ୍ୟକ୍ ସୂଚନା ପ୍ରଦାନ କରିବା ସହ ପଣ୍ଡିତ ନୀଳକଣ୍ଠ ଏକାଧାରରେ ଜଣେ କବି, ସାହିତ୍ୟିକ, ରାଜନୀତିଜ୍ଞ, ଦେଶପ୍ରେମୀ, ସାମ୍ବାଦିକ, ସମାଜସଂସ୍କାରକ ଓ ଆଦର୍ଶଶିକ୍ଷକ ଭାବରେ ସେ କିପରି ପରିଚିତ ହୋଇପାରିଥିଲେ ଏବଂ ଉଭୟ ପଦ୍ୟ ଓ ଗଦ୍ୟ ରଚନାରେ ନୀଳକଣ୍ଠଙ୍କ ଚିନ୍ତାର ମୌଳିକତା ଓ ଭାଷା କିପରି ଆଜିର ପାଠକକୁ ମୁଗ୍ଧ କରିପାରିଥିଲା ଏ ସଂପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ। ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତା ସ୍ୱାଗତ ସମ୍ଭାଷଣ ପ୍ରଦାନ କରିବା ସହ ପଣ୍ଡିତ ନୀଳକଣ୍ଠଙ୍କ ବହୁମୁଖୀ ପ୍ରତିଭା ଉପରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଏହିପରି ଜଣେ ସାରସ୍ୱତ ସାଧକଙ୍କୁ ନିଜର ପାଣ୍ଡିତ୍ୟରେ ନୁହେଁ ବରଂ ଓଡ଼ିଆତ୍ୟରେ ମଧ୍ୟ ତାଙ୍କର ଜୀବନବ୍ୟାପୀ ସାଧନା ଏ ଜାତିର ଚିରନମସ୍ୟ ହୋଇ ରହିବ ବୋଲି ଆଲୋଚନା କରିଥିଲେ। ଏକାଡେମୀର ସହ-ସଚିବ ସଞ୍ଜୟ କୁମାର ଛୁଆଳସିଂହ ଧନ୍ୟବାଦ ପ୍ରଦାନ କରିଥିଲେ। ଅଭିନନ୍ଦନ ଦାସ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଏଥିରେ ଜ୍ଞାନୀଗୁଣୀ, ସଜ୍ଜନମଣ୍ଡଳୀ, ସାହିତ୍ୟିକ/ସାହିତ୍ୟିକା ଏବଂ ସାମ୍ବାଦିକ ବନ୍ଧୁ ଆଦି ଯୋଗଦାନ କରି ଏହି ସ୍ମାରକୀ ବକ୍ତୃତା କାର୍ଯ୍ୟକ୍ରମଟିକୁ ଅତ୍ୟନ୍ତ ପ୍ରଶଂସା କରିବା ସହ ଏଥିରେ ସଂପୂର୍ଣ୍ଣ ଭାବେ ସହଯୋଗ କରିଥିଲେ।





