ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ସ୍ତରୀୟ ଗୁରୁ ଦିବସ ସମାରୋହରେ ଲାଞ୍ଜିଗଡ଼ ବ୍ଲକର ବରିଷ୍ଠ ଶିକ୍ଷକ ପଦ୍ମଲୋଚନ ସୁନାଙ୍କୁ କୃତି ଶିକ୍ଷକ ଭାବେ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଛି। କୋକସରା ବ୍ଲକ୍ ଅନ୍ତର୍ଗତ କାଉଡୋଳା ଧାନ ମଣ୍ଡି ଠାରେ ଆୟୋଜିତ ୨୯ତମ କଳାହାଣ୍ଡି ଜିଲ୍ଲା ସ୍ତରୀୟ ଗୁରୁ ଦିବସ ସମାରୋହରେ ତାଙ୍କୁ ଏହି ସମ୍ମାନ ଦିଆଯାଇଛି। ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ (ହରିପୁର ରୋଡ୍, କଟକ) ଆନୁକୂଲ୍ୟରେ ପାଳିତ ଏହି ମହା ସମାରୋହରେ ଜିଲ୍ଲାର ୧୩ଗୋଟି ବ୍ଲକରୁ ଜଣେ ଅବସରପ୍ରାପ୍ତ ଓ ଜଣେ ବରିଷ୍ଠ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିରେ ଶତାଧିକ ଗୁରୁ ଉପସ୍ଥିତ ରହି ଗୁରୁ ପୂଜନ ପରମ୍ପରାକୁ ସମୃଦ୍ଧ କରିଥିଲେ।
ଲାଞ୍ଜିଗଡ଼ ବ୍ଲକର ଶିକ୍ଷକ ପଦ୍ମଲୋଚନ ସୁନା ପୂର୍ବତନ ଭାରପ୍ରାପ୍ତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଲାଞ୍ଜିଗଡ଼ର ପ୍ରଧାନଶିକ୍ଷକ ଭାବରେ କାର୍ଯ୍ୟ କରିଛନ୍ତି। ସେ ଜଣେ ମିଷ୍ଠଭାଷୀ, ଦାୟିତ୍ଵସମ୍ପନ୍ନ ଓ ଆଦର୍ଶ ଶିକ୍ଷକ ଭାବରେ ପରିଚିତ। ତାଙ୍କର ଶିକ୍ଷାଦାନ ଶୈଳୀ ଓ ଗୁରୁତ୍ଵପୂର୍ଣ୍ଣ ଦାୟିତ୍ଵ ନିର୍ବାହ ପାଇଁ ଏହି ସମାରୋହରେ ତାଙ୍କୁ ବିଶେଷ ଭାବରେ ସମ୍ମାନିତ କରାଯାଇଥିଲା।
ଏହି ସମାରୋହର ଗରିମା ବୃଦ୍ଧି କରିବାକୁ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦାନ କରିଥିଲେ। ମୁଖ୍ୟ ଅତିଥି ଭାବରେ ଜିଲ୍ଲା ଶିକ୍ଷାଧିକାରୀ ରାଧାକାନ୍ତ ଛତ୍ରୀ, ମୁଖ୍ୟ ବକ୍ତା ଭାବରେ ମାଧ୍ୟମିକ ଶିକ୍ଷା ପରିଷଦ, କଟକର ବରିଷ୍ଠ ସଦସ୍ୟ ଶିବପ୍ରସାଦ ବେହେରା, ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ, ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘର ରାଜ୍ୟ ସଭାପତି ଧୀରେନ୍ଦ୍ର କୁମାର ପଟ୍ଟନାୟକ, ଜିଲ୍ଲା ସଭାପତି ପଦ୍ମଲୋଚନ ନାଏକ ଓ ସମ୍ପାଦକ ଅଜିତ୍ କୁମାର ନାୟକ ପ୍ରମୁଖ ଯୋଗଦାନ କରିଥିଲେ। ୧୩ଟି ବ୍ଲକର ଶିକ୍ଷକ ସଂଘର ସଭାପତି, ସମ୍ପାଦକ ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରାଇଥିଲେ।





