ବାଲେଶ୍ୱରରେ ଅନୁଷ୍ଠିତ ହେଲା ‘ବିଚାର ମନ୍ଥନ ସଂସ୍ଥାନ’ର ବୁଦ୍ଧିଜୀବୀ ସମ୍ମିଳନୀ

ବିଭାଜନର ତିକ୍ତ ସତ୍ୟରୁ ଭବିଷ୍ୟତ ଭାରତର ଉଜ୍ଜ୍ୱଳ ଦିଗ ଉପରେ ଆଲୋକପାତ

ଓଡ଼ିଆ ବାର୍ତ୍ତା, ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଭାରତ ବିଭାଜନର ତିକ୍ତ ଇତିହାସ, ଏହାର ମାନବୀୟ ବିଭୀଷିକା ଏବଂ ଅତୀତରୁ ଶିକ୍ଷା ନେଇ ଭବିଷ୍ୟତ ଭାରତ ଗଠନର ଦିଗ ନେଇ ବାଲେଶ୍ୱରରେ ଏକ ବୌଦ୍ଧିକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ‘ବିଚାର ମନ୍ଥନ ସଂସ୍ଥାନ’ ପକ୍ଷରୁ ସ୍ଥାନୀୟ ଭେନ୍ୟା ପାରାଡାଇଜ କଲ୍ୟାଣ ମଣ୍ଡପରେ ‘ବିଭାଜନର ତିକ୍ତ ସତ୍ୟତାରୁ ଭବିଷ୍ୟ ଭାରତର ଉଜ୍ଜ୍ୱଳ ଭବିଷ୍ୟତ’ ଶୀର୍ଷକରେ ଏହି ବୁଦ୍ଧିଜୀବୀ ସମ୍ମିଳନୀ ଆୟୋଜିତ ହୋଇଥିଲା। ସଂସ୍ଥାନର ସଭାପତି ତଥା ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା ଏଥିରେ ପୌରୋହିତ୍ୟ କରି କହିଥିଲେ ଯେ ରାଷ୍ଟ୍ରବାଦ ସର୍ବୋପରି। ଏହି ମୂଳମନ୍ତ୍ର ସହ କୌଣସି ପ୍ରକାର ବୁଝାମଣା ହୋଇପାରିବ ନାହିଁ। ରାଷ୍ଟ୍ରହିତକୁ ସର୍ବାଗ୍ରେ ରଖି ଦେଶକୁ ଆଗକୁ ନେବା ହିଁ ସମୟର ଆହ୍ୱାନ ବୋଲି ସେ ମତ ଦେଇଥିଲେ। ଏହି ଅବସରରେ ନବଗଠିତ ‘ବିଚାର ମନ୍ଥନ ସଂସ୍ଥାନ’ର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ଭବିଷ୍ୟତ ଆଭିମୁଖ୍ୟ ସମ୍ପର୍କରେ ମଧ୍ୟ ସେ ଆଲୋକପାତ କରିଥିଲେ।

ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅବସରପ୍ରାପ୍ତ କର୍ଣ୍ଣେଲ କ୍ଷେତ୍ରମୋହନ ମହାପାତ୍ର ଭାରତ ବିଭାଜନର ଐତିହାସିକ ପୃଷ୍ଠଭୂମି, ତତ୍କାଳୀନ ରାଜନୈତିକ ପରିସ୍ଥିତି ଏବଂ ବିଭାଜନର ବିଭିନ୍ନ ପ୍ରଭାବ ସମ୍ପର୍କରେ ନିଜ ମତ ରଖିଥିଲେ। ବିଶେଷ ଅତିଥି ତଥା ମୁଖ୍ୟ ବକ୍ତା, ରାଷ୍ଟ୍ରୀୟ ବିଚାରକ, ସାମ୍ବାଦିକ ଏବଂ ‘ହେ ରାମ’ ପୁସ୍ତକର ରଚୟିତା ପ୍ରଖର ଶ୍ରୀବାସ୍ତବ ଦୀର୍ଘ ଓ ତଥ୍ୟଭିତ୍ତିକ ଅଭିଭାଷଣରେ ବିଭାଜନର ବିଭୀଷିକା ସହ ଏହା ପଛରେ ଥିବା ବିଭିନ୍ନ ଅନାଲୋଚିତ ତଥ୍ୟ ଉପସ୍ଥାପନ କରିଥିଲେ।

ସେ କହିଥିଲେ ଯେ ଅଖଣ୍ଡ ଭାରତର ବିଭାଜନ କେବଳ ଭୌଗୋଳିକ ସୀମାରେଖାର ପରିବର୍ତ୍ତନ ନଥିଲା। ଏହା କୋଟି କୋଟି ଲୋକଙ୍କୁ ନିଜ ଭିଟାମାଟି, ଭାଇଚାରା, ଆତ୍ମୀୟତା ଓ ଶତାବ୍ଦୀପୁରୁଣା ସାଂସ୍କୃତିକ ମୂଳରୁ ବିଚ୍ଛିନ୍ନ କରିଦେଇଥିବା ଏକ ଦାରୁଣ ମାନବୀୟ ବିପର୍ଯ୍ୟୟ ଥିଲା। ପୁରୁଣା ସ୍ମୃତି ଓ ଐତିହାସିକ ଚେତନାକୁ ସୁରକ୍ଷିତ ରଖିବା କ୍ଷେତ୍ରରେ ଇସ୍ରାଏଲର ଉଦାହରଣ ଦେଇ ସେ କହିଥିଲେ ଯେ ଭାରତରେ ବିଭାଜନ ସମ୍ପର୍କିତ ତଥ୍ୟ ଓ ସ୍ମୃତିକୁ ସଂରକ୍ଷଣ କରିବା ବଦଳରେ ଅନେକ କ୍ଷେତ୍ରରେ ତାହା ନଷ୍ଟ ହୋଇଯାଇଛି, ଯାହା ଦୁର୍ଭାଗ୍ୟଜନକ।

ନିଜ ଅଭିଭାଷଣରେ ଶ୍ରୀ ଶ୍ରୀବାସ୍ତବ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କ ମୁସଲିମ ଲିଗ, ଆଲିଗଡ଼ ମୁସଲିମ ବିଶ୍ୱବିଦ୍ୟାଳୟର ତତ୍କାଳୀନ ଯୁବ ଓ ଛାତ୍ର ସମାଜରେ ବିଭାଜନକୁ ନେଇ ଥିବା ବିଭିନ୍ନ ମତ, ଓଡ଼ିଶାରେ ମୁସଲିମ ଲିଗର କାର୍ଯ୍ୟଧାରା ଏବଂ ‘ଡାଇରେକ୍ଟ ଆକ୍ସନ ଡେ’ ସମୟରେ ଓଡ଼ିଶାର କେତେକ ମୁସଲିମ ନେତାଙ୍କ ଭୂମିକା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ।

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ‘ସ୍ମୃତି ଅନୁଭୂତି’ ପୁସ୍ତକରେ ଓଡ଼ିଶାରେ ମୁସଲିମ ଲିଗର ପ୍ରଭାବ ଓ ପାକିସ୍ତାନ ଗଠନ ପ୍ରକ୍ରିୟା ସମ୍ପର୍କିତ ବିଭିନ୍ନ ତଥ୍ୟ ରହିଥିବା ସେ ଉଲ୍ଲେଖ କରିଥିଲେ।

ପ୍ରାୟ ଏକ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଚାଲିଥିବା ତାଙ୍କ ତଥ୍ୟଭିତ୍ତିକ ଓ ବିଶ୍ଳେଷଣାତ୍ମକ ଅଭିଭାଷଣ ଉପସ୍ଥିତ ଶ୍ରୋତାଙ୍କ ମଧ୍ୟରେ ବେଶ୍ ପ୍ରଭାବ ପକାଇଥିଲା। କାର୍ଯ୍ୟକ୍ରମରେ ବାଲେଶ୍ୱର ନୃତ୍ୟ ସଙ୍ଗୀତ କଳା ମନ୍ଦିରର ଛାତ୍ରଛାତ୍ରୀମାନେ ଦେଶାତ୍ମବୋଧକ ସଙ୍ଗୀତ ଓ ନୃତ୍ୟ ପରିବେଷଣ କରିଥିଲେ। ‘ବନ୍ଦେ ମାତରମ୍’ ଗାନରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ଶେଷରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା। ରାଜେଶ ମହାପାତ୍ର ମଞ୍ଚ ଆହ୍ୱାନ କରିଥିଲେ। ସଂସ୍ଥାନର କାର୍ଯ୍ୟକର୍ତ୍ତା ଓ ସଦସ୍ୟସଦସ୍ୟାମାନଙ୍କ ସକ୍ରିୟ ସହଯୋଗରେ ସମ୍ମିଳନୀ ସଫଳ ହୋଇଥିଲା। ବାଲେଶ୍ୱରର ବହୁ ବିଶିଷ୍ଟ ବ୍ୟକ୍ତି, ବୁଦ୍ଧିଜୀବୀ, ସାମାଜିକ କର୍ମୀ ଓ ବିଭିନ୍ନ କ୍ଷେତ୍ରର ପ୍ରତିନିଧି ଯୋଗଦେଇ ବିଭାଜନର ଇତିହାସ, ଏହାର ମାନବୀୟ ପ୍ରଭାବ ଏବଂ ଭବିଷ୍ୟତ ଭାରତ ଗଠନର ଆହ୍ୱାନ ଉପରେ ଆଲୋଚନାରେ ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.