ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣୀ ରାୟଗଡ଼ାକୁ ପୂର୍ଣ୍ଣ ସାକ୍ଷର ଜିଲ୍ଲା ରୂପେ ଘୋଷଣା କରିବା ନିମନ୍ତେ ଏକ ଅଭିନବ ପଦକ୍ଷେପ ନେଇଛନ୍ତି |ରାୟଗଡ଼ା ଜିଲ୍ଲାରେ ସାଠିଏ ହଜାର ଲକ୍ଷ୍ୟ ଧାର୍ଯ୍ୟ ଥିବା ବେଳେ ଅଦ୍ୟାବଧି ଚାଳିଶି ହଜାରରୁ ଉର୍ଦ୍ଧ ଉଲ୍ଲାସ ଯୋଜନାରେ ନିରକ୍ଷରଙ୍କୁ ପଞ୍ଜିକରଣ କରାଯାଇଅଛି । ରାୟଗଡ଼ା ଜିଲ୍ଲାରେ ଉଲ୍ଲାସ ସାକ୍ଷରତା ପକ୍ଷ ସେପ୍ଟେମ୍ବର ୧ ରୁ ୧୪ ପର୍ଯ୍ୟନ୍ତ ପାଳିତ ହେଉଛି । ରବିବାର ଦିନ ଏଥି ନିମନ୍ତେ ଏକ ସଚେତନତା ଶିବିର ସ୍ଥାନୀୟ ପିଏମଶ୍ରୀ ଗୋବିନ୍ଦ ଚନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି |ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ଭଜନଲାଲ୍ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଶିବିରରେ ରାୟଗଡ଼ା ଜିଲ୍ଲାର ଏଗାର ଗୋଟି ବ୍ଲକ ରୁ ଚାରିଶହ ରୁ ଉର୍ଦ୍ଧ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ଶାନ୍ତିଲତା ମୁନୀ ଯୋଜନାର ଲକ୍ଷ୍ୟ ଓ ଉଦେଶ୍ୟ ସହ ଜିଲ୍ଲାରେ ସର୍ବାଧିକ ପଞ୍ଜିକରଣ କରି ଉଲ୍ଲାସ ଯୋଜନାରେ ସାମିଲ କରିବା ନିମନ୍ତେ ଆଲୋଚନା କରିଥିଲେ । ଜାତୀୟ ଶିକ୍ଷା ନୀତି ଅନ୍ତର୍ଗତ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ ମାଧ୍ୟମରେ ଭାରତରେ ପନ୍ଦର ବର୍ଷରୁ ଉର୍ଦ୍ଧ ବୟସ୍କ ପ୍ରତି ବର୍ଷ ଏକ କୋଟି ନିରକ୍ଷର ଙ୍କୁ ସାକ୍ଷର ଓ ଆତ୍ମ ନିର୍ଭରଶିଳ କରିବା ଉଦେଶ୍ୟରେ ଏହି “ଜନ ଜନ ସାକ୍ଷାର” ଅଭିଯାନ ୨୦୨୨ ରୁ ଆରମ୍ଭ ହୋଇ ୨୦୨୭ ପର୍ଯ୍ୟନ୍ତ ଚାଲିବ । ଏଣୁ ରାୟଗଡ଼ାକୁ ଏକ ପୂର୍ଣ୍ଣ ସାକ୍ଷର ଜିଲ୍ଲାରେ ପରିଣତ କରିବାରେ ସଭିଙ୍କ ସହଯୋଗ କାମନା କରିଥିଲେ । ଏହି ବୈଠକରେ ଗୁଣୁପୁର ଗୋଷ୍ଠୀ ଶିକ୍ଷାଧିକାରୀ ସୁବାସ ସିଂ, ଚନ୍ଦ୍ରପୁର ଓ ମୁନିଗୁଡ଼ା ବ୍ଲକର ଶିକ୍ଷାଧିକାରୀ ଗଣେଶ ଶବର, ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ସମେତ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ,ଜିଲ୍ଲା ଶିକ୍ଷାଧିକାରୀ ଓ ବିଭିନ୍ନ ଗୋଷ୍ଠୀ ଶିକ୍ଷାଧିକାରୀ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ |





