ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାର ନେଇ ନୂଆପଡ଼ାରେ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ରିଖିରାମ ଦଳ): ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟବହାରକୁ ଅଧିକ ସରଳ, ସୁବୋଧ ଓ ପ୍ରଭାବଶାଳୀ କରିବା ଉଦ୍ଦେଶ୍ୟରେ ଓଡ଼ିଆ ଭାଷା ପ୍ରତିଷ୍ଠାନ ପକ୍ଷରୁ ନୂଆପଡ଼ା ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ସମ୍ମିଳନୀ କକ୍ଷରେ ଆୟୋଜିତ ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଆଜି ଉଦ୍‌ଯାପିତ ହୋଇଯାଇଛି। ଉଦ୍‌ଯାପନୀ ପର୍ବରେ ଜିଲ୍ଲାପାଳ ମଧୁସୂଦନ ଦାଶ ଯୋଗଦେଇ ପ୍ରଶିକ୍ଷଣରେ ଅଂଶଗ୍ରହଣ କରିଥିବା ଅଧିକାରୀ ଓ କର୍ମଚାରୀମାନଙ୍କୁ ପ୍ରମାଣପତ୍ର ବଣ୍ଟନ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ କହିଥିଲେ ଯେ, ଆମ ମଧ୍ୟରୁ ଅନେକେ ଓଡ଼ିଆ ଭାଷାର ଅନେକ ଶବ୍ଦ ଜାଣିଥିଲେ ମଧ୍ୟ ସରକାରୀ କାର୍ଯ୍ୟରେ ସେଗୁଡ଼ିକର ବ୍ୟବହାର କରିବା ସମୟରେ ଭୁଲ୍‌ ହୋଇଯିବାର ଭୟ କରିଥାଉ। ଏହି ଭୟ ଯୋଗୁଁ ଓଡ଼ିଆ ଶବ୍ଦର ବ୍ୟବହାରରୁ ମଧ୍ୟ ବେଳେବେଳେ ଦୂରେଇ ରହୁଛୁ। ତେଣୁ ଭୁଲ୍‌ ହେବାର ଭୟ ନକରି ଓଡ଼ିଆ ଭାଷାର ସଠିକ୍‌ ବ୍ୟବହାର କରିବା ସହ ଏହାକୁ ନିୟମିତ ଅଭ୍ୟାସ କରିବା ଆବଶ୍ୟକ।

ଏହି ପ୍ରଶିକ୍ଷଣ ମାଧ୍ୟମରେ ଅଧିକାରୀ ଓ କର୍ମଚାରୀମାନେ ସରକାରୀ କାର୍ଯ୍ୟରେ ବ୍ୟବହୃତ ବିଭିନ୍ନ ପ୍ରଶାସନିକ ଓଡ଼ିଆ ଶବ୍ଦ, ନଥି ପ୍ରସ୍ତୁତି ଓ ଓଡ଼ିଆ ଭାଷାର ବ୍ୟବହାର ସମ୍ପର୍କରେ ଜ୍ଞାନ ଆହରଣ କରିଛନ୍ତି। ଏହା ସେମାନଙ୍କ ଦୈନନ୍ଦିନ ସରକାରୀ କାର୍ଯ୍ୟ ସମ୍ପାଦନରେ ବେଶ୍‌ ସହାୟକ ହେବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। ଏଭଳି ପ୍ରଶିକ୍ଷଣ ଶିବିର ନିୟମିତ ବ୍ୟବଧାନରେ ଆୟୋଜନ କରାଯିବା ଆବଶ୍ୟକ ବୋଲି ସେ ମତବ୍ୟକ୍ତ କରିବା ସହ ପ୍ରଶିକ୍ଷକମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

ସରକାରୀ କାର୍ଯ୍ୟରେ ମାତୃଭାଷାର ବ୍ୟବହାରକୁ ସୁଦୃଢ଼ କରିବା ସହ ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ଓଡ଼ିଆ ଭାଷାକୁ ଏକ ସହଜ ଓ ପ୍ରଭାବଶାଳୀ ସେତୁ ଭାବେ ବିକଶିତ କରିବା ଏହି ପ୍ରଶିକ୍ଷଣର ପ୍ରମୁଖ ଉଦ୍ଦେଶ୍ୟ ଥିଲା। ଦୁଇଦିନିଆ ପ୍ରଶିକ୍ଷଣରେ ଓଡ଼ିଆ ବାକ୍ୟ ଗଠନ ଓ ଚିହ୍ନ ପ୍ରୟୋଗ, ଇଂରାଜୀରୁ ଓଡ଼ିଆ ଟିପ୍ପଣୀ ପ୍ରସ୍ତୁତି, କମ୍ପ୍ୟୁଟରରେ ଓଡ଼ିଆ ଟାଇପିଙ୍ଗ୍‌, ଓସୱାସରେ ସରକାରୀ କାର୍ଯ୍ୟ ସମ୍ପାଦନ, ପ୍ରଶାସନିକ ଶବ୍ଦ ନିରୂପଣ, ବନାନ ଅଶୁଦ୍ଧି ନିରାକରଣ, ଓଡ଼ିଆରେ ନଥ୍‌ ପ୍ରସ୍ତୁତି, ସଂକ୍ଷେପାକ୍ଷରର ପ୍ରୟୋଗ ଏବଂ ଶବ୍ଦଭଣ୍ଡାରର ବ୍ୟାବହାରିକ ରୂପ ଆଦି ବିଷୟରେ ବିଶେଷଜ୍ଞମାନେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ବିଭିନ୍ନ ଅଧିବେଶନରେ ଡ. ସନ୍ତୋଷ କୁମାର ରଥ, ଡ. ସଞ୍ଜୟ କୁମାର ପଣ୍ଡା, ଡ. ବିପ୍ଳବ ରଞ୍ଜନ ପ୍ରଧାନ, ପରମେଶ୍ୱର ମୁଣ୍ଡ ଓ ସିଦ୍ଧାର୍ଥ ଶଙ୍କର ପାଢ଼ୀ ପ୍ରଶିକ୍ଷକ ଭାବେ ଯୋଗଦେଇଥିଲେ। ପ୍ରଶ୍ନୋତ୍ତର ଓ ଆଲୋଚନା ମାଧ୍ୟମରେ ଅଂଶଗ୍ରହଣକାରୀମାନଙ୍କ ବିଭିନ୍ନ ସନ୍ଦେହ ଦୂର କରାଯାଇଥିଲା। ଜିଲ୍ଲା ଇ-ଶାସନ ପରିଚାଳକ ବୀରେନ୍ଦ୍ର ସିଂ ଦଣ୍ଡସେନା ଓସ୍ସୱାସ ମାଧ୍ୟମରେ ସରକାରୀ କାର୍ଯ୍ୟ ସମ୍ପାଦନ ସମ୍ପର୍କରେ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ଏହି ପ୍ରଶିକ୍ଷଣ ଶିବିରରେ ଅତିରିକ୍ତ ଜିଲ୍ଲାପାଳ ସୁବାସ ଚନ୍ଦ୍ର ରଇତଙ୍କ ସମେତ ଡେପୁଟି ଜିଲ୍ଲାପାଳ, ସହକାରୀ ଜିଲ୍ଲାପାଳ, ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଓ କର୍ମଚାରୀ ଯୋଗଦେଇଥିବାବେଳେ ୨୪୦ରୁ ଅଧିକ ଏଥିରେ ଅଂଶଗ୍ରହଣ କରିଥିଲେ। ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ରାଜେନ୍ଦ୍ର ବଢ଼େଇ ମଞ୍ଚ ପରିଚାଳନା କରିଥିବା ବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ରମେଶ ମହରା କାର୍ଯ୍ୟକ୍ରମର ସମନ୍ୱୟ କରିଥିଲେ। ଡିଆର୍‌ସି ଅନିଲ କୁମାର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.