ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ବଣ ପାହାଡ଼ ନଦୀ ଘେରା ଭିତରେ କିପରି ଜୀବନ ଯାପନ କରୁଛନ୍ତି, ସେମାନଙ୍କ ସମସ୍ୟା ସବୁ କ’ଣ ରହିଛି, କିପରି ବର୍ଷା ଦିନରେ ଏହି ଗାଁ ଲୋକେ ରହୁଛନ୍ତି। ଦଶ ଦଶନ୍ଧି ଧରି କିପରି ଜଳବନ୍ଦୀ ଜୀବନ କାଟୁଛନ୍ତି ଉମେଜ ଗାଁର କରୁଣ କାହାଣୀ। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଲାଞ୍ଜି ପଞ୍ଚାୟତର ଗାଁ ଉମେଜ। ଏହି ଗାଁରେ ୪୫ ରୁ ଉର୍ଦ୍ଧ୍ୱ ପରିବାର ଦଶ ଦଶନ୍ଧି ଧରି ବସବାସ କରି ଆସୁଛନ୍ତି। ଏହି ଗାଁର ମୁଖ୍ୟ ସମସ୍ୟା ହେଲା ପୋଲ। ଗାଁ ବିକାଶରେ ପୋଲ ଏକ ପ୍ରକାର ବାଧକ ସାଜିଛି। ମୂଷାନାଳ-ବିଜେପୁର ପୂର୍ତ୍ତ ବିଭାଗର ମୁଖ୍ୟ ରାସ୍ତାରେ ଗଲେ ଲଡାଙ୍ଗ ଛକ ପଡେ। ସେହି ଛକରୁ ବାମକୁ ଗଲେ ୨ କିମି ଦୂରରେ ରହିଛି ଏହି ଉମେଜ ଗାଁ। ସେହି ଖାଲଖମାରେ ଭର୍ତ୍ତି ପଥୁରିଆ ରାସ୍ତା ଦେଇ ଯିବା ଅଧା ରାସ୍ତାରେ ପଡୁଛି ରେତ ନଦୀ। ଗ୍ରାମରେ ସ୍କୁଲ ନଥିବା ଯୋଗୁଁ ନଦୀ ଏପଟ ଲଡାଙ୍ଗ ଛକରେ ରହିଛି ପ୍ରାଥମିକ ସ୍କୁଲ। ଉମେଜ ଓ ଲଡାଙ୍ଗ ଛକ ମଝିରେ ରହିଛି ରେତ ନଦୀ। ସେହିପରି ଉମେଜ ଗାଁରେ ଅଙ୍ଗନବାଡି କେନ୍ଦ୍ର ନଥିବା ଯୋଗୁଁ ତେତେଲପଙ୍ଗା ଅଙ୍ଗନବାଡି କେନ୍ଦ୍ରକୁ ଯାଉଛନ୍ତି ଗାଁର କୋମଳମତି ଶିଶୁମାନେ। କିନ୍ତୁ ଏହି ଦୁଇ ଗୋଟି ଗାଁ ମଝିରେ ରହିଛି ବିରାଟ କୂଟରୁବଣ୍ଡେଲ ନାଳ। ତେଣୁ ସ୍କୁଲ ଛାତ୍ରଛାତ୍ରୀ ଓ ଅଙ୍ଗନବାଡି ଶିଶୁ ମାନେ ବର୍ଷା ଦିନରେ ସ୍କୁଲ ଓ କେନ୍ଦ୍ର ଯିବା ସମ୍ଭବ ହୁଏନାହିଁ। ଯେଉଁ ଦିନ ସ୍କୁଲ ଯାଆନ୍ତି ସେଦିନ ବର୍ଷା ହେଲେ ମୂଷାନାଳ ହିଁ ସୋଇପଡନ୍ତି।ସେହିପରି ସ୍ୱାସ୍ଥ୍ୟ ହେଉ ଅବା ନିତିଦିନିଆ ଆବଶ୍ୟକୀୟ ସାମଗ୍ରୀ, ପିଡିଏସ ସାମଗ୍ରୀ ପାଇଁ ୨ କିମି ଖାଲଖମା ପଥୁରିଆ କଚ୍ଚା ରାସ୍ତା ଦେଇ ରେତ ନଦୀ ପାର ହୋଇ ମୁଖ୍ୟ ରାସ୍ତା କଡାଙ୍ଗ ଛକକୁ ଗଲାପରେ ସେଠାରୁ ୩ କିମି ପଞ୍ଚାୟତ କାର୍ଯ୍ୟାଳୟକୁ ଯାଉଥିବା ବେଳେ ବର୍ଷା ଦିନେ ତାହା ସମ୍ଭବ ହେଉନାହିଁ। ଯାହା ଫଳରେ ଗର୍ଭବତୀ, ପ୍ରସୂତି ମହିଳାଙ୍କୁ ବର୍ଷା ଦିନରେ ଖଟିଆରେ ବୋହି ନଦୀରେ ପାର କରିବାକୁ ପଡିଥାଏ। ତେଣୁ ବର୍ଷା ଦିନେ ସମ୍ପୂର୍ଣ୍ଣ ଭାବେ ଜଳବନ୍ଦୀ ଜୀବନ କାଟନ୍ତି ଗ୍ରାମବାସୀ। ଅନ୍ୟ ପଟେ ଗାଁରେ ଦୁଇ ଗୋଟି ନଳକୂପ ରହିଥିବା ବେଳେ ୭ ବର୍ଷ ହେଲା ଗୋଟିଏ ନଳକୂପ ଅଚଳ ହୋଇ ରହିଛି। ଗୋଟିଏ ନଳକୂପରେ ୪୫ ରୁ ଉର୍ଦ୍ଧ୍ୱ ପରିବାରଙ୍କୁ ପାଣି ନିଅଣ୍ଟ ହେଉଛି। ବ୍ଲକରେ ବର୍ତ୍ତମାନ ୭୦% ଗାଁରେ ବସୁଧା ଜଳଯୋଗାଣ ବ୍ୟବସ୍ଥା ରହିଛି। କିନ୍ତୁ ଏହି ଉମେଜ ଗାଁରେ ବସୁଧା ଯୋଜନାରେ ମଧ୍ୟ ଜଳଯୋଗାଣ ହେଉନାହିଁ ବୋଲି ଗାଁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ରାସ୍ତା ଓ ପୋଲ ପାଇଁ ବାରମ୍ବାର ଜିଲ୍ଲାପାଳ ଅଭିଯୋଗ ଶୁଣାଣି, ପଞ୍ଚାୟତ ସମିତି ବୈଠକ, ଗ୍ରାମ ପଞ୍ଚାୟତ ବୈଠକ, ବିଭାଗୀୟ ଅଧିକାରୀଙ୍କ ନିକଟରେ ଗୁହାରି କରୁଥିଲେ ମଧ୍ୟ ସରକାର କିମ୍ବା ପ୍ରଶାସନ ପକ୍ଷରୁ କୌଣସି ସୁଫଳ ମିଳୁନଥିବା ପ୍ରକାଶ କରିଛନ୍ତି ଗାଁ ଲୋକେ। ସରକାର ଅପହଞ୍ଚ ଇଲାକାରେ ରାସ୍ତା ନିର୍ମାଣ ସହ ଆବଶ୍ୟକସ୍ଥଳେ ରାସ୍ତା ଓ ପୋଲ ନିର୍ମାଣ ପାଇଁ ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ସବୁ ନେଉଛନ୍ତି। ହେଲେ ଶାସନ କାଳର ଦୂରଦୃଷ୍ଟି ଅଭାବରୁ ବିକାଶର ସ୍ରୋତରେ ସାମିଲ ହେବାରୁ ବଞ୍ଚିତ ରହିଯାଇଛି ଏଇ ଉମେଜ ଗାଁ। ଅନ୍ୟ ପଟେ ବ୍ଲକରେ ଅଧିକାଂଶ କାମ କେବଳ କାଗଜପତ୍ରରେ ଚାଲିଥିବା ବେଳେ ପ୍ରଶାସନ ପକ୍ଷରୁ ଗାଁ ଲୋକଙ୍କୁ କାମ ମିଳୁନଥିବା ଯୋଗୁଁ ବର୍ତ୍ତମାନ ଦେଶର ବିଭିନ୍ନ ରାଜ୍ୟରେ ଗାଁର ୨୦ରୁ ଉର୍ଦ୍ଧ୍ୱ ଲାଇମନ ସୁନା, ଉତ୍ସବ ସୁନା, ବିଜୟ ସୁନା, ଜିତେନ୍ଦ୍ର ସୁନା, ଲୋଗେସ ଶୁଣ, କେଶବ ସୁନା, କୌତୁକ ସୁନା, ଚବି ସୁନା, ମୋହନ ବାତ୍ରା, ଅଷ୍ଟମୀ ବାତ୍ରା, ଉଗ୍ରେସନ ସୁନା, ପ୍ରକାଶ ସୁନା, ପଦ୍ମ ସୁନା, କୃଷ୍ଣ ସୁନା, ଦୀପ ସୁନା, ଅଜିତ ସୁନା, ମନୋଜ ସୁନା ସମେତ ଅନ୍ୟମାନେ ଦାଦନ ଖଟୁଛନ୍ତି। ଏବେ ବି ଲୋକଙ୍କ ମନରେ ଆଶା ନିଶ୍ଚୟ ଶୁଣିବେ ଏହି ନୂତନ ଡବଲ ଇଞ୍ଜିନ ସରକାର ବୋଲି କହିଛନ୍ତି ଗାଁର ଯୋଗେଶ୍ୱର ସୁନା, ଚୈତନ୍ୟ ସୁନା, ପ୍ରକାଶ ସୁନା, ଧନିଆ ସୁନା, ଫଣ୍ଟୁ ସୁନା, ଗୌତମ ସୁନା, ପୃଥିବୀ ଦୁର୍ଗା, ମହାନ୍ତି ସୁନା ଓ ଦିନ ସୁନା।





