୨୩ ଦିନର ପୂଜାକରି କଲ୍ୟାଣୀ ନଦୀରେ ବିସର୍ଜନ କଲେ, ଭସାଣିରେ ଜମିଲା ହଜାର ହଜାର ଭକ୍ତଙ୍କ ଭିଡ଼
ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ସଦର ପଞ୍ଚାୟତ ଅନ୍ତର୍ଗତ ବଡ଼ଦ୍ୱାର ସାହିରେ ବିଗ୍ନ ବିନାଷାୟ ଶ୍ରୀ ଗଜାନନଙ୍କ ଭସାଣି ଉତ୍ସବ ଧୁମ୍ଧାମରେ ସମାପନ ହୋଇଛି । ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ୨୩ ଦିନ ଧରି ଗଜାନନଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । ସକାଳ ଓ ସନ୍ଧ୍ୟାରେ ବିଧିବିଧାନ ଅନୁଯାୟୀ ପୂଜା ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ବୁଗିବୁଗି ଡ୍ୟାନ୍ସ ପ୍ରତିଯୋଗିତା ଓ ଆନୁଷ୍ଠାନିକ ଡ୍ରାମା ଆଦି ୨୧ ଦିନ ଧରି ଆୟୋଜିତ ହୋଇଥିଲା । ଭସାଣି ଦିନ କଳାହାଣ୍ଡି ଜିଲ୍ଲା ଠେମରାର ଦିଲଦାର ମେଲୋଡି ବାଜାର ତାଳେ ତାଳେ ଯୁବକ ଓ ମହିଳାମାନେ ନାଚ ଗୀତରେ ମସଗୁଲ ହୋଇଥିଲେ । ରୋସଣି ଓ ବାଣ ଫୁଟାଇ ଶ୍ରୀ ଗଜାନନଙ୍କୁ ଏକ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇଥିଲା । ପ୍ରାୟ ୬ ଘଣ୍ଟା ଧରି ଚାଲିଥିବା ଏହି ଭସାଣି ଶୋଭାଯାତ୍ରାରେ ସମଗ୍ର କଲ୍ୟାଣସିଂହପୁର ସହର ଉତ୍ସବ ମୁଖର ହୋଇ ପଡିଥିଲା । ପରେ ଶ୍ରୀ ଗଜାନନଙ୍କ ମୂର୍ତ୍ତିକୁ ଶ୍ରଦ୍ଧା ଓ ଭକ୍ତିର ସହ କଲ୍ୟାଣୀ ନଦୀରେ ବିସର୍ଜନ କରାଯାଇଥିଲା । ଏହି ଅବସରରେ ଶ୍ରୀ ଗଜାନନଙ୍କ ୫ କିଲୋ ଓଜନର ଲଡୁ ନିଲାମ କରାଯାଇଥିଲା। ନିଲାମରେ ବଡ଼ଦ୍ୱାର ସାହିର ଦଳନ୍ତ ଭତ୍ରା ୧୨ ହଜାର ୧ ଟଙ୍କାରେ ବିଜେତା ହୋଇଥିଲେ । ଭସାଣି ଉତ୍ସବରେ ଗ୍ରାମର ପିଲାଠାରୁ ବୃଦ୍ଧଙ୍କ ପର୍ଯ୍ୟନ୍ତ ଏବଂ ଶତାଧିକ ମହିଳାଙ୍କ ସମେତ ହଜାର ହଜାର ଲୋକ ସାମିଲ ହୋଇ ଉତ୍ସବକୁ ସଫଳ କରିଥିଲେ । ମାଁ ବନବୈରବୀ ପୂଜା କମିଟି ଯୁବକ ସଂଘର ସମସ୍ତ କର୍ମ କର୍ତ୍ତାଙ୍କ ପ୍ରଚେଷ୍ଟାରେ ସୁରୁଖୁରୁରେ ସମ୍ପହ୍ନ ହୋଇଥିଲା |






