ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ଅକ୍ଟୋବର ୮ ରେ ଓଡିଶା ବନ୍ଦ ଡାକରା ଦେଇଛି ଇଣ୍ଡିଆ ବ୍ଲକ। ନର୍ଲାରେ ଏହାର ପ୍ରଭାବକୁ ନେଇ ବିଭିନ୍ନ ମହଲରେ ଆଲୋଚନା ଚାଲିଛି। ଏହି ସମୟରେ କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ନୀରଜ ଶର୍ମା ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି ଯେ, ନର୍ଲାରେ ୮ ତାରିଖ ଦିନ ଶାନ୍ତିପୂର୍ଣ୍ଣ ଭାବରେ ହେବ ବନ୍ଦ ପାଳନ। ସକାଳ ୬ ଟା ରୁ ସନ୍ଧ୍ୟା ୬ ଟା ଯାଏଁ ବନ୍ଦ ପାଳନ କରାଯିବ। ଆମ୍ବୁଲାନ୍ସ ଗମନା ଗମନ, ରୋଗୀସେବା, ସ୍ୱାସ୍ଥ୍ୟସେବାକୁ ପ୍ରାଥମିକତା ଦେଇ ଏସବୁକୁ ସହଯୋଗ କରାଯିବ। ଆମେ ଆଜି ନର୍ଲା ନିର୍ବାଚନ ମଣ୍ଡଳୀ ସାରା ବୁଲି ବୁଲି ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ, ଅନୁଷ୍ଠାନ, ବ୍ୟାଙ୍କ ସବୁକୁ ବନ୍ଦ ପାଳନରେ ସହଯୋଗ କରିବା ପାଇଁ ଅନୁରୋଧ କରୁଛୁ। କେନ୍ଦ୍ର ସରକାରଙ୍କ ଏମଏମଡିଆର ସଂଶୋଧନ ନୀତିକୁ ବିରୋଧ କରି ୨୯/୧୧ ରେ ବିଧାନ ସଭା ଓ ମୁଖ୍ୟ ମନ୍ତ୍ରୀଙ୍କ ବାସ ଭବନ ଘେରାଉ କରିଥିଲା କଂଗ୍ରେସ। ଇଣ୍ଡିଆ ମେଣ୍ଟର ଆହ୍ୱାନ କ୍ରମେ ୮ ଗୋଟି ଦଳର ସମର୍ଥନରେ ଏହି ଘେରାଉ ଓ ପ୍ରତିବାଦ ଅନୁଷ୍ଠିତ ହେଉଛି। ନର୍ଲାରେ ଶାନ୍ତିପୂର୍ଣ୍ଣ ଭାବରେ ୧୨ ଘଣ୍ଟିଆ ବନ୍ଦ ପାଳନ କରାଯିବ ବୋଲି ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ଶର୍ମା। କଳାହାଣ୍ଡି ଜିଲ୍ଲାର କଂଗ୍ରେସ ସାଧାରଣ ସମ୍ପାଦକ ନୀରଜ ଶର୍ମା (ସାନୁ)ଙ୍କ ନେତୃତ୍ୱରେ ନର୍ଲା ନିର୍ବାଚନ ମଣ୍ଡଳୀର ନର୍ଲା, ଏମ ରାମପୁର, କର୍ଲାମୁଣ୍ଡା, ବାଲିପଡା, ଶେରଗଡ ପ୍ରଭୃତି ସ୍ଥାନ ସମେତ ଆହୁରି ଅନେକ ଭିଡ ବଜାର ଓ ଛକ ଗୁଡିକରେ ଇଣ୍ଡିଆ ବ୍ଲକର କର୍ମୀ ରହି ବନ୍ଦ ପାଳନକୁ ସଫଳ କରିବେ।ଜିଲ୍ଲା ଛାତ୍ର ସଭାପତି ଦେବାଶିଶ କୁମାର, ଜିଲ୍ଲା ସମ୍ପାଦକ ମନୋଜ କରୁଆଁ, ନର୍ଲା ଯୁବ ସଭାପତି ଦୀପୁ ପାତ୍ର ପ୍ରମୁଖଙ୍କ ନେତୃତ୍ୱରେ ନର୍ଲା ନିର୍ବାଚନ ମଣ୍ଡଳୀର ୨୦୦ ରୁ ଉର୍ଦ୍ଧ୍ବ କଂଗ୍ରେସ କର୍ମୀ ଇଣ୍ଡିଆ ମେଣ୍ଟର ଏହି ବନ୍ଦ ପାଳନକୁ ସଫଳ କରିବା ପାଇଁ ଲାଗି ପଡିଛନ୍ତି। ଜନ ସାଧାରଣ, ବ୍ୟବସାୟୀ ଓ ବୁଦ୍ଧିଜୀବୀ ତ ସହଯୋଗ କରିବେ। ନର୍ଲା ପୋଲିସ ଓ ପ୍ରଶାସନ ମଧ୍ୟ ଆମକୁ ସହଯୋଗ କରନ୍ତୁ। ଅଣ ଦଳୀୟ ଅସାମାଜିକ ବ୍ୟକ୍ତି ବିଶେଷ ଆମକୁ ବଦନାମ କରିବା ପାଇଁ ତତ୍ପର ଅଛନ୍ତି। ସେମାନେ ଆମର କାର୍ଯ୍ୟକ୍ରମକୁ ଭଣ୍ଡୁର କରିବା ପାଇଁ ଚେଷ୍ଟିତ ରହିବେ। ଏଣୁ ପୋଲିସ ପ୍ରଶାସନ ଏଥିପ୍ରତି ସଜାଗ ରୁହନ୍ତୁ ବୋଲି ଜିଲ୍ଲା ସାଧାରଣ ସମ୍ପାଦକ ନୀରଜ ଶର୍ମା ତାଙ୍କ ପ୍ରତିକ୍ରୀୟାରେ ପ୍ରକାଶ କରିଛନ୍ତି। ଏମଏମଡିଆର ସଂଶୋଧନ ଆଇନକୁ ବିରୋଧ କରି ଆମର ଏଇ ବନ୍ଦ ପାଳନ। କେନ୍ଦ୍ର ବିଜେପି ସରକାରଙ୍କ ଦୋ- ମୁହାଁ ନିତୀକୁ ସବୁବେଳେ ବିରୋଧ କରି ଆସିଛି କଂଗ୍ରେସ। ଏମଏମଡିଆର ସଂଶୋଧନ ନୀତିକୁ କଂଗ୍ରେସ ଦୃଢ଼ ବିରୋଧ କରୁଛି। ବିଜେପି ସରକାର ମୁଣ୍ଡ ନ ନୁଆଇବା ପର୍ଯ୍ୟନ୍ତ କଂଗ୍ରେସ ଚୁପ ହୋଇ ବସିବ ନାହିଁ। ଅକ୍ଟୋବର ୮ ରେ ଓଡିଶା ବନ୍ଦକୁ ଯୋରଦାର କରାଯିବ। ଶାନ୍ତିପୂର୍ଣ୍ଣ ଭାବରେ ପାଳନ କରାଯିବ ବୋଲି କଂଗ୍ରେସ ସାଧାରଣ ସମ୍ପାଦକ ଶ୍ରୀ ଶର୍ମା ମତବ୍ୟକ୍ତ କରିଛନ୍ତି। ଏହା ସହ ନର୍ଲା ନିର୍ବାଚନ ମଣ୍ଡଳୀର ସମସ୍ତ ଜନ ସାଧାରଣ ଜନ ସ୍ୱାର୍ଥ ଦୃଷ୍ଟିରୁ ଏହି ଓଡିଶା ବନ୍ଦକୁ ସମର୍ଥନ କରି ଆମକୁ ସହଯୋଗ କରନ୍ତୁ ବୋଲି ନିବେଦନ କରିଛନ୍ତି ଜିଲ୍ଲା ସାଧାରଣ ସମ୍ପାଦଜ ଶ୍ରୀ ଶର୍ମା।





