ଦୁର୍ଗାପୂଜା ଓ ଭସାଣି ପାଇଁ ବାଲେଶ୍ୱର ଜିଲ୍ଲା ପ୍ରଶାସନ ଜାରି କଲା କଟକଣା ଓ ଆଚରଣବିଧି

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଆଗାମୀ ୧୭ ଅକ୍ଟୋବରରୁ ଆରମ୍ଭ ହେବାକୁ ଥିବା ଶାରଦୀୟ ଦୁର୍ଗାପୂଜାକୁ ପାରମ୍ପରିକ ରୀତିନୀତି, ଶାନ୍ତି, ଶୃଙ୍ଖଳା ଓ ସୁରକ୍ଷିତ ଭାବେ ପାଳନ ପାଇଁ ବାଲେଶ୍ୱର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଓ ଆଚରଣବିଧି ଜାରି କରାଯାଇଛି। ଏନେଇ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ଅଧ୍ୟକ୍ଷତାରେ ଗତ ୩ ଅକ୍ଟୋବର ଅପରାହ୍ନରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନଠାରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଦୁର୍ଗାପୂଜା ଓ ଭସାଣି ଉତ୍ସବକୁ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ପୂଜା ପାଇଁ ଆବଶ୍ୟକ ଅନୁମତି ଓ ଆପତ୍ତିବିହୀନ ପ୍ରମାଣପତ୍ର ପ୍ରଦାନ ନିମନ୍ତେ ଆସନ୍ତା ୭ରୁ ୯ ଅକ୍ଟୋବର ପର୍ଯ୍ୟନ୍ତ ସିଙ୍ଗଲ୍ ୱିଣ୍ଡୋ ବ୍ୟବସ୍ଥା କରାଯିବ। ପ୍ରତିଦିନ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ୩୦ ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଚାଲିବ। ଏଥିସହିତ ଶୋଭାଯାତ୍ରା ପାଇଁ ମଧ୍ୟ ପୂଜା କମିଟିଗୁଡ଼ିକୁ ଆବଶ୍ୟକ ଅନୁମତି ନେବାକୁ ପ୍ରଶାସନ ପକ୍ଷରୁ କୁହାଯାଇଛି।

ଦୁର୍ଗା ମା’ଙ୍କ ବିସର୍ଜନ ପାଇଁ ୨୨ ଅକ୍ଟୋବର ତାରିଖ ଧାର୍ଯ୍ୟ କରାଯାଇଛି। ଭସାଣି ଉତ୍ସବ ସମୟରେ ମଦ୍ୟପାନ, ନିଶାଦ୍ରବ୍ୟର ବ୍ୟବହାର, ମାରଣାସ୍ତ୍ର ଓ ଲାଠି ନେବା ସହିତ ବାଣ ଓ ଆତସବାଜି ବ୍ୟବହାର ଉପରେ କଟକଣା ଲାଗୁ କରାଯାଇଛି। ପୂଜା ଓ ଭସାଣି ସମୟରେ ଆଇନଶୃଙ୍ଖଳା ଏବଂ ଜନସୁରକ୍ଷା ଉପରେ ବିଶେଷ ନଜର ରଖାଯିବ। ସିସିଟିଭି ଓ ଡ୍ରୋନ୍‌ ମାଧ୍ୟମରେ ନିରୀକ୍ଷଣ କରାଯିବା ସହ ଟ୍ରାଫିକ୍‌ ନିୟନ୍ତ୍ରଣ ଓ ପାର୍କିଂ ବ୍ୟବସ୍ଥାକୁ ସୁଦୃଢ଼ କରାଯିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପୂଜା କମିଟି, ଶ୍ରଦ୍ଧାଳୁ ଓ ଜନସାଧାରଣଙ୍କୁ ପ୍ରଶାସନ ସହ ସହଯୋଗ କରିବା ସହ ଶାନ୍ତି, ଶୃଙ୍ଖଳା ଓ ସୌହାର୍ଦ୍ଦ୍ୟର ସହିତ ଦୁର୍ଗାପୂଜା ଓ ଭସାଣି ଉତ୍ସବ ପାଳନ ପାଇଁ ଆହ୍ୱାନ ଦିଆଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.