ଏୟାରଫୋର୍ସ ଆସୋସିଏସନ୍ ଚାପ୍ଟର ପକ୍ଷରୁ ଅବସରପ୍ରାପ୍ତ ବାୟୁସେନା କର୍ମଚାରୀ ଓ ସମାଜସେବୀଙ୍କୁ ସମ୍ବର୍ଦ୍ଧନା
ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଦେଶର ସୁରକ୍ଷାରେ ଭାରତୀୟ ବାୟୁସେନା ସମେତ ତିନି ସେନାବାହିନୀର ଅବଦାନକୁ ସ୍ମରଣ ଓ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଏୟାରଫୋର୍ସ ଆସୋସିଏସନ୍, ବାଲେଶ୍ୱର ଚାପ୍ଟର ପକ୍ଷରୁ ଏୟାରଫୋର୍ସ ଦିବସ ରବିବାର ପୂର୍ବାହ୍ନରେ ସ୍ଥାନୀୟ ଜଗନ୍ନାଥ କଲ୍ୟାଣ ମଣ୍ଡପ ଠାରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଦେଶସେବା, ସମ୍ମାନ ଓ ଭାଇଚାରାର ଭାବନାରେ ପରିପୂର୍ଣ୍ଣ ଥିଲା। ବାଲେଶ୍ୱର ଚାପ୍ଟର ସଭାପତି ଶିବଦାସ କୁଣ୍ଡୁଙ୍କ ପୌରୋହିତ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ସହକାରୀ ଜିଲ୍ଲାପାଳ ଅମ୍ଲାନ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଶର ସୁରକ୍ଷା କ୍ଷେତ୍ରରେ ତିନି ସେନାବାହିନୀର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ସେ କହିଥିଲେ ଯେ, ମହାବିଦ୍ୟାଳୟରେ ଅଧ୍ୟୟନ କରୁଥିବା ସମୟରେ ସେ ମଧ୍ୟ ବାୟୁସେନାରେ ଯୋଗଦେବାର ସ୍ୱପ୍ନ ଦେଖିଥିଲେ, ଯଦିଓ ତାହା ସାକାର ହୋଇପାରିନଥିଲା। ତେବେ ଓଡ଼ିଶା ସରକାରଙ୍କ ଅଧୀନରେ କାର୍ଯ୍ୟ କରିବା ସମୟରେ ଜରୁରୀକାଳୀନ ପରିସ୍ଥିତିରେ ସେନାବାହିନୀର ସହାୟତା ଆବଶ୍ୟକ ହେଉଥିବା ବେଳେ ସେମାନେ ଅତ୍ୟନ୍ତ ଶୃଙ୍ଖଳିତ ଭାବେ ସେବା ଯୋଗାଇ ଦେଉଥିବା କଥା ସେ ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ। ଦେଶର ସୁରକ୍ଷା ଓ ଜନସେବାରେ ନିୟୋଜିତ ପ୍ରତ୍ୟେକ ସେନା କର୍ମଚାରୀ ଓ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ଦେଶବାସୀ ସମ୍ମାନ ଜଣାଇବା ଆବଶ୍ୟକ ବୋଲି ଶ୍ରୀ ନାୟକ କହିଥିଲେ। ସଭାପତି ଶିବଦାସ କୁଣ୍ଡୁ ତାଙ୍କ ଅଧ୍ୟକ୍ଷୀୟ ଭାଷଣରେ ଏୟାରଫୋର୍ସ ଦିବସ ପାଳନର ଉଦ୍ଦେଶ୍ୟ ଓ ଏହାର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ। ବାଲେଶ୍ୱର ଚାପ୍ଟର ନିଜର ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମରେ ସର୍ବଦା ଆଗରେ ରହି ଜାତୀୟସ୍ତରରେ ସମ୍ମାନିତ ହୋଇଥିବା ସେ ଉଲ୍ଲେଖ କରିଥିଲେ। କାର୍ଯ୍ୟକ୍ରମରେ ଚାପ୍ଟରର ବରିଷ୍ଠ ସଦସ୍ୟ ମୁରଲୀଧର ପାତ୍ର, ଉପସଭାପତି ଗୋପୀନାଥ ଦାସ, ସମ୍ପାଦକ ମହେଶ୍ୱର ବେହେରା, ସହକାରୀ ସମ୍ପାଦକ ରାଜକିଶୋର ଜେନା ଓ କୋଷାଧ୍ୟକ୍ଷ କୃଷ୍ଣବନ୍ଧୁ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ଅବସରପ୍ରାପ୍ତ ବାୟୁସେନା କର୍ମଚାରୀଙ୍କ ପତ୍ନୀ ତଥା ଚାପ୍ଟରର ସକ୍ରିୟ ସଦସ୍ୟାମାନେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି କାର୍ଯ୍ୟକ୍ରମକୁ ଆନନ୍ଦମୟ କରିଥିଲେ। ସେମାନଙ୍କ ପରିବେଷଣରେ ଅନୁଷ୍ଠାନସ୍ଥଳରେ ଏକ ଆତ୍ମୀୟ ଓ ପାରିବାରିକ ପରିବେଶ ସୃଷ୍ଟି ହୋଇଥିଲା। ଏହି ଅବସରରେ ଜିଲ୍ଲାର ବହୁ ସାମାଜିକ କର୍ମୀ, ସମାଜସେବୀ ଓ ପରିବେଶବିତ୍ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେନାସେବା ସହ ସାମାଜିକ ଦାୟିତ୍ୱ ଓ ପରିବେଶ ସୁରକ୍ଷାରେ ଅବଦାନ ରଖୁଥିବା ବ୍ୟକ୍ତିମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମକୁ ସଫଳ କରିବାରେ ଉମାକାନ୍ତ ମହାପାତ୍ର, ବୀରେନ୍ଦ୍ର କୁମାର ବେହେରା, ଅଶୋକ କୁମାର ଦାସ, ରଘୁନାଥ ପଣ୍ଡା, ସ୍ୱପ୍ନା କୁଣ୍ଡୁ, କାଦମ୍ବିନୀ ଦାସ, ମୁକ୍ତି ଦାସ ଓ ରୀନା ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ।





