ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ସପ୍ତାହ ବ୍ୟବଧାନରେ ପୁଣି ଲାଞ୍ଜିଗଡ଼ ଅଞ୍ଚଳରେ ଜଙ୍ଗଲୀ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। କଳାହାଣ୍ଡି ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ଅଧିନସ୍ତ ଲାଞ୍ଜିଗଡ ସେକ୍ସନ ଅନ୍ତର୍ଗତ କାଣ୍ଡଗୁଡା ଗାଁ ନିକଟରେ ସୋମବାର ମଧ୍ୟାହ୍ନରେ ଏହି ଅଘଟଣ ଘଟିଛି। ମୃତକ ହେଲେ କାଣ୍ଡଗୁଡା ଗାଁର ବଳ ମାଝୀ (୫୫)। ସୂଚନା ଅନୁସାରେ, ବଳ ମାଝୀ ଓ ତାଙ୍କ ସ୍ତ୍ରୀ ଟିଙ୍ଗୁ ମାଝୀ ସୋମବାର ମଧ୍ୟାହ୍ନରେ କାମ୍ବେଲ ନାପା ଡଙ୍ଗର ଅଞ୍ଚଳରେ ଥିବା ନିଜ ପୋଡୁ ଚାଷ ଫସଲ ଦେଖିବା ପାଇଁ ଯାଇଥିଲେ। ପୋଡୁ ଚାଷ ଅଞ୍ଚଳ ନିକଟରେ ପହଞ୍ଚିବା ସମୟରେ ହଠାତ୍ ଏକ ଦନ୍ତା ହାତୀ ସେମାନଙ୍କ ସାମ୍ନାକୁ ଆସିଥିଲା। ହାତୀକୁ ଦେଖି ଉଭୟ ସ୍ୱାମୀ-ସ୍ତ୍ରୀ ପ୍ରାଣ ବିକଳରେ ଦୌଡି ପଳାଇବାକୁ ଉଦ୍ୟମ କରିଥିଲେ। ଦୌଡ଼ିବା ସମୟରେ ବଳ ମାଝୀଙ୍କୁ ହାତୀ ଆକ୍ରମଣ କରିଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କ ମୃତଦେହ ଛିନ୍ନଭିନ୍ନ ଅବସ୍ଥାରେ ପଡିଥିବା ଦେଖାଯାଇଥିଲା। ଶରୀରର ଅଧିକାଂଶ ଅଂଶ ଚିହ୍ନଟ କରିବା କଷ୍ଟକର ହୋଇଥିବା ବେଳେ ଗୋଟିଏ ହାତ ଓ ଗୋଡ ହିଁ ସ୍ପଷ୍ଟ ଭାବେ ଜଣାପଡୁଥିଲା। ଏହି ଦୃଶ୍ୟ ଅଞ୍ଚଳବାସୀଙ୍କ ମଧ୍ୟରେ ଗଭୀର ଆତଙ୍କ ସୃଷ୍ଟି କରିଛି। ଅନ୍ୟପକ୍ଷରେ ତାଙ୍କ ସ୍ତ୍ରୀ ଟିଙ୍ଗୁ ମାଝୀ ଭୟଭୀତ ଅବସ୍ଥାରେ ସେଠାରୁ ଦୂରକୁ ଚାଲିଯାଇ ନିଜକୁ ରକ୍ଷା କରିଥିବା ଜଣାପଡିଛି।ଘଟଣା ସମ୍ପର୍କରେ ଖବର ପାଇବା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଖବର ପାଇବା ପରେ ବିଜେପୁର ଥାନାଧିକାରୀ ତୁଳସୀରାମ ଶବର ଓ ବନ ବିଭାଗର ଫରେଷ୍ଟର ଧରଣୀଧର ପଣ୍ଡା, ବଶ୍ଵନାଥପୁର ଫରେଷ୍ଟର ଚିନ୍ତାମଣି ମାଝୀ ଓ ବନବିଭାଗ କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇ ତଥ୍ୟ ସଂଗ୍ରହ କରିଥିଲେ। ମୃତଦେହକୁ ଉଦ୍ଧାର କରାଯାଇ ଆଇନଗତ ପ୍ରକ୍ରିୟା ପରେ ବ୍ୟବଚ୍ଛେଦ ପାଇଁ ପଠାଯିବାର ବ୍ୟବସ୍ଥା କରାଯାଇଥିଲା। ତେବେ ଲାଞ୍ଜିଗଡ ଅଞ୍ଚଳରେ ଗତ କିଛି ଦିନ ଧରି ହାତୀ ଚଳପ୍ରଚଳ ବଢ଼ିଥିବାରୁ ଜଙ୍ଗଲ ନିକଟବର୍ତ୍ତୀ ଗାଁଗୁଡିକରେ ଭୟର ବାତାବରଣ ଦେଖାଦେଇଛି। ବିଶେଷକରି ପୋଡୁ ଚାଷ ଓ ଚାଷଜମି ନିକଟକୁ ହାତୀ ପହଞ୍ଚୁଥିବାରୁ ଚାଷୀମାନେ ଫସଲ ଜଗିବାକୁ ଯାଇ ଅସୁରକ୍ଷିତ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ସପ୍ତାହକ ମଧ୍ୟରେ ପୁଣି ଜଣଙ୍କ ଜୀବନହାନି ଘଟିବା ପରେ ହାତୀ-ମଣିଷ ସଂଘର୍ଷକୁ ନେଇ ଚିନ୍ତା ବଢିଛି। ହାତୀ ଚଳପ୍ରଚଳ ଅଞ୍ଚଳରେ ଲୋକଙ୍କୁ ସତର୍କ କରିବା ସହ ହାତୀଙ୍କ ଗତିବିଧି ଉପରେ ଅଧିକ ନଜର ରଖିବାକୁ ସ୍ଥାନୀୟ ଲୋକେ ବନ ବିଭାଗ ନିକଟରେ ଦାବି କରିଛନ୍ତି। ଏଥିସହ ମୃତକଙ୍କ ପରିବାରକୁ ସରକାରୀ ନିୟମ ଅନୁସାରେ ଶୀଘ୍ର କ୍ଷତିପୂରଣ ପ୍ରଦାନ କରିବାକୁ ମଧ୍ୟ ଦାବି ହୋଇଛି।





